ବୃଦ୍ଧଙ୍କୁ ପ୍ରେମ ଜାଲରେ ଫସାଇ କରିଲେ ବ୍ଲାକମେଲ, ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା

ମିଛ ପ୍ରେମରେ ଫସାଇ, ଅଶ୍ଳୀଳ ଭିଡିଓ କରି ବ୍ଲାକମେଲ ଜରିଆରେ ପୁଳା ପୁଳା ଟଙ୍କା ହାତେଇଲେ ପ୍ରେମିକା

ଓଡିଶା ଭାସ୍କର: ମିଛ ପ୍ରେମରେ ଫସାଇ ଟଙ୍କା ରୋଜଗାର କରିବା ଏବେ ଟ୍ରେଣ୍ଡ ପାଲଟିଗଲାଣି। ସେହିପରି ଏକ ଘଟଣା ମଧ୍ୟପ୍ରଦେଶର ଇନ୍ଦୋରରେ ଦେଖିବାକୁ ମିଳିଛି। ଏଠାରେ ଜଣେ ମହିଳା 61ବର୍ଷର ଜଣେ ବୃଦ୍ଧଙ୍କୁ ନିଜ ପ୍ରେମ ଜାଲରେ ଫସାଇ ହୋଟେଲରେ ଅଶ୍ଳୀଳ ଭିଡିଓ ତିଆରି କରି ବ୍ଲାକମେଲ କରି 24ଲକ୍ଷ ଟଙ୍କା ଲୁଟି ନେଲେ।

ଏହି ପ୍ରେମ ସମ୍ପର୍କ ପ୍ରଥମେ ଗୋଟେ ଦୋକାନରୁ ଆରମ୍ଭ ହୋଇଥିଲା। ପୋଲିସର ସୂଚନା ଅନୁସାରେ, ମଦନ ସିଂହ ନାମକ ଜଣେ ବୃଦ୍ଧ ବ୍ୟକ୍ତି ଗତ 22 ତାରିଖରେ କନଡିୟା ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ଯେ, ତାଙ୍କର ଭଡାରେ ଦିଆଯାଇଥିବା ଦୋକାନରେ ଜଣେ ମହିଳା କର୍ମଚାରୀ ଥିଲେ। ଦୋକାନକୁ ଯିବା ଆସିବା ସମୟରେ, ସେହି ମହିଳାଙ୍କ ସହ କଥାବାର୍ତ୍ତା ଆରମ୍ଭ ହେଲା। ଏହା ପରେ ମହିଳା ଜଣକ ଧୀରେ ଧୀରେ ତାଙ୍କ ନିକଟତର ହେଲେ ଏବଂ ପ୍ରେମ ସମ୍ପର୍କ ଗଢି ଉଠିଲା।

ମଦନ ସିଂହଙ୍କ କହିବା ଅନୁସାରେ, ସେମାନଙ୍କର ପ୍ରଥମ ସାକ୍ଷାତ 28ନଭେମ୍ବର 2023 ହୋଇଥିଲା। ଏହା ପରେ 2023 ଡିସେମ୍ବରରେ ମହିଳା ଜଣଙ୍କ ଉଜ୍ଜୈନ ଯିବାପାଇଁ ତାଙ୍କୁ ରାଜି କରାଇଥିଲେ। ଏହା ପରେ ଦୁହେଁ ଦର୍ଶନ ପାଇଁ ଉଜ୍ଜୈନରେ ପହଞ୍ଚିଲେ ଏବଂ ଏକ ହୋଟେଲରେ ରହିଲେ। ଯେଉଁଠାରେ ମହିଳା ଜଣଙ୍କ ତାଙ୍କ ସହ ସମ୍ପର୍କ ରଖିଥିଲେ। ଯାହାର ଫଟୋ ଏବଂ ଭିଡିଓ ସେ ଗୁପ୍ତରେ ରେକର୍ଡ କରୁଥିଲେ।

ସେଠାରୁ ଫେରିବା ପରେ ଆରମ୍ଭ ହୋଇଗଲା ତାଙ୍କୁ ବ୍ଲାକମେଲ କରିବା। 2ବର୍ଷ ଧରି ମହିଳା ଜଣଙ୍କ ବୃଦ୍ଧ ବ୍ୟକ୍ତିଙ୍କୁ ବ୍ଲାକମେଲ କରିଚାଲିଲେ ଏବଂ 2ବର୍ଷ ମଧ୍ୟରେ ସେ 24 ଲକ୍ଷ ଟଙ୍କା ତାଙ୍କ ଠାରୁ ଆଦାୟ କରିନେଲେ। ଯେତେବେଳେ ଏହି ଘଟଣା ଅତ୍ୟଧିକ ହୋଇଗଲା ସେତେବେଳେ ବୃଦ୍ଧ ଜଣଙ୍କ ଅସ୍ତବ୍ୟସ୍ତ ହୋଇ ପୋଲିସରେ ଅଭିଯୋଗ କଲେ।

ଶେଷରେ ମହିଳା ଜଣଙ୍କୁ ଗିରଫ କରାଗଲା ଏବଂ ତାଙ୍କ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ଫ୍ରିଜ୍ କରି ୧୯ ଲକ୍ଷ ଟଙ୍କାକୁ ଅଟକ ରଖାଗଲା।