fbpx

ଯେବେ ସଚିନ୍‌ଙ୍କ ରନ୍ ବର୍ଷାରେ ଗ୍ରାଉଣ୍ଡରେ ସୃଷ୍ଟି ହୋଇଥିଲା ଧୁଳି ଝଡ଼, ରାତିରେ ଶୋଇ ପାରି ନଥିଲେ ଅଷ୍ଟ୍ରେଲିଆ ବୋଲର

ନୂଆଦିଲ୍ଲୀ: କ୍ରିକେଟ୍‌ର ଭଗବାନ କୁହାଯାଉଥିବା ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ଭାରତ ପାଇଁ ଅନେକ ସ୍ମରଣୀୟ ଇନିଂସ ଖେଳିଛନ୍ତି । ତାଙ୍କର ଏପରି ଏକ ସ୍ମରଣୀୟ ଇନିଂସ ୧୯୯୮ ମସିହାରେ ପାକିସ୍ତାନର ଶାରଜା ଗ୍ରାଉଣ୍ଡରେ ଦେଖିବାକୁ ମିଳିଥିଲା। ୨୫ ବର୍ଷ ପୂର୍ବେ ୨୨ ଏପ୍ରିଲରେ ସଚିନ ତେନ୍ଦୁଲକର ଅଷ୍ଟ୍ରେଲିଆ ଦଳ ବିପକ୍ଷରେ ୧୩୧ ବଲରେ ୧୪୩ ରନର ଏହି ଐତିହାସିକ ଇନିଂସ ଖେଳିଥିଲେ। ଏହି ସ୍ମରଣୀୟ ଇନିଂସରେ ସଚିନ ୯ଟି ଚୌକା ଓ ପାଞ୍ଚ ଛକା ମାରିଥିଲେ ।

ସଚିନ ତେନ୍ଦୁଲକରଙ୍କ ଏହି ଇନିଂସ ”ଡିଜର୍ଟ ଷ୍ଟର୍ମ” ନାମରେ ଜଣା। ଏହି ମ୍ୟାଚ୍‌ରେ ଭାରତ ୨୮୫ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିଲା, ସେହି ସମୟରେ ପଡ଼ିଆକୁ ଏକ ଧୁଳିଝଡ଼ ମାଡ଼ିଆସିଥିଲା। ଯେଉଁଥିପାଇଁ ମ୍ୟାଚ୍‌କୁ କିଛି ସମୟ ପର୍ଯ୍ୟନ୍ତ ରୋକିବାକୁ ପଡ଼ିଥିଲା। ତେବେ ଯେତେବେଳେ ଝଡ଼ ବନ୍ଦ ହୋଇଯାଇଥିଲା, ସେତେବେଳେ ପଡ଼ିଆରେ ସଚିନ୍ ନାମକ ଝଡ଼ ଆରମ୍ଭ ହୋଇଥିଲା। ଯାହା ପୁରା ଅଷ୍ଟ୍ରେଲିଆ ଟିମ୍‌କୁ ଉଡ଼ାଇ ଦେଇଥିଲା। ନିକଟରେ ୨୫ ବର୍ଷ ପୁରଣ ହୋଇଥିବା ବେଳେ ସଚିନ୍ ତେନ୍ଦୁଲକର ନିଜର ପ୍ରଶଂସକ ମାନଙ୍କ ସହିତ କେକ୍ କାଟି ଏହାକୁ ପାଳନ କରିଛନ୍ତି ।

ସୌରଭ ଗାଙ୍ଗୁଲିଙ୍କ ସହ ଓପନିଂ ଆସି ସଚିନ ତେନ୍ଦୁଲକର ଏପରି ବ୍ୟାଟିଂ କରିଥିଲେ, ସତେ ଯେପରି ସେ ସଂକଳ୍ପ କରି ଆସିଛନ୍ତି ଅଷ୍ଟ୍ରେଲିଆ ବୋଲରଙ୍କ ଉପରେ ରନ୍ ବର୍ଷା କରିବାକୁ । ସଚିନ ଯେଉଁଭଳି ଭାବରେ ଅଷ୍ଟ୍ରେଲୀୟ ବୋଲରଙ୍କୁ ଖେଳିବା ଆରମ୍ଭ କରିଥିଲେ, ତାଙ୍କର ଉଦ୍ଦେଶ୍ୟ ସ୍ପଷ୍ଟ ଦେଖିବାକୁ ମିଳିଥିଲା। ସଚିନ ସଚିନ ସେନ୍ ୱର୍ନ, ମାଇକେଲ କାସପ୍ରୋଭିଜ, ଷ୍ଟିଭ ୱଗ, ଟମ ମୁଡି ଆଦି ବୋଲରଙ୍କୁ ନିର୍ଦ୍ଧୁମ୍‌ ପ୍ରହାର କରିଥିଲେ। ସମସ୍ତଙ୍କ ଉପରେ ଛକା ଚୌକା ବର୍ଷା କରିଥିଲେ । ଆବଶ୍ୟ ଏହି ମ୍ୟାଚ୍‌ରେ ଭାରତ ହାରି ଯାଇଥିଲା, କିନ୍ତୁ ନେଟ୍ ରନ୍ ରେଟ୍ ଦମ୍‌ରେ ଭାରତ ଫାଇନାଲରେ ସ୍ଥାନ ପାଇଯାଇଥିଲା।

ଏହି ମ୍ୟାଚ୍ ବିଷୟରେ ଅଷ୍ଟ୍ରେଲିଆର ମହାନ୍ ସ୍ପିନ୍ ବୋଲର ସେନ୍ ୱର୍ନ କୁହନ୍ତି, ‘ଏହି ଦିନ ତାଙ୍କ ପାଇଁ ଏବଂ ତାଙ୍କ ଟିମ୍ ପାଇଁ ଏକ ଦୁଃସ୍ୱପ୍ନ ଥିଲା । ୱର୍ନ କହିଥିଲେ ଯେ, ଏହି ମ୍ୟାଚ୍ ପରେ ସେ ଯେବେ ଶୋଇବାକୁ ତାଙ୍କ ବେଡ୍‌କୁ ଯାଇଥିଲେ, ସେ ସ୍ୱପ୍ନ ଦେଖୁଥିଲେ ଯେ ସଚିନ୍ ତାଙ୍କ ମୁଣ୍ଡ ଉପରେ ଛକା ମାରୁଛନ୍ତି । ଏହା ସହିତ ୱର୍ନ କହିଥିଲେ ଯେ, ସଚିନ୍‌ଙ୍କୁ ସେଦିନ ଅଟକାଇବା କଷ୍ଟକର ଥିଲା । ମୁଁ ଭାବୁନାହିଁ ଯେ ସଚିନ ଯେଉଁ ପ୍ରକାର କ୍ରିକେଟ୍ ଖେଳିଛନ୍ତିି, ଡନ୍ ବ୍ରାଡମ୍ୟାନ୍‌ଙ୍କ ବ୍ୟତୀତ ଅନ୍ୟ କେହି ସେ ପ୍ରକାର ଅଛନ୍ତି।’

Get real time updates directly on you device, subscribe now.