fbpx

ଗରମ ଜଳରୁ ଠାବ ହେଲା ମଣିଷ ମାଂସଖିଆ ବ୍ୟାକ୍ଟେରିଆ: ଦୁଇ ଦିନ ମଧ୍ୟରେ ମୃତ୍ୟୁ ଘଟୁଛି, ସଂକ୍ରମିତ ଅଙ୍ଗ ମଧ୍ୟ ନଷ୍ଟ ହୋଇଯାଉଛି

ନୂଆଦିଲ୍ଲୀ: ଦିନକୁ ଦିନ ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ହେବାରେ ଲାଗିଛି । ଫଳରେ ମଣିଷକୁ ନୂଆ ନୂଆ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ୁଛି । ଜଳବାୟୁ ପରିବର୍ତ୍ତନର ଭୟଙ୍କର ପରିଣାମ ସ୍ୱରୂପ ନୂଆ ନୂଆ ବ୍ୟାକ୍ଟେରିଆ ସୃଷ୍ଟି ହେବା ସହିତ ଭୟଙ୍କର ବୀମାରୀର ସାମ୍ନାକୁ କରିବାକୁ ପଡ଼ୁଛି । ତେବେ ବର୍ତ୍ତମାନ ଗରମ ସିଜିନ୍ ଚାଲିଥିବା ବେଳେ ଏହି ସମୟରେ ଏକ ଭୟଙ୍କର ବ୍ୟାକ୍ଟେରିଆର ସନ୍ଧାନ କରାଯାଇଛି । ରିସର୍ଚ୍ଚରୁ ମିଳିଥିବା ଫଳାଫଳ ଭବିଷ୍ୟତ ପାଇଁ ଚେତାବନୀ ଦେଇଛି ।

ରିସର୍ଚ୍ଚ ମୁତାବକ, ଆମେରିକାର ତଟୀୟ ଅଞ୍ଚଳରେ ଏକ ଭୟଙ୍କର ବ୍ୟାକ୍ଟେରିଆ ସନ୍ଧାନ କରାଯାଇଛି । ଏହି ବ୍ୟାକ୍ଟେରିଆ ମଣିଷର ମାଂସକୁ ଖାଇବା ସହିତ ସଂକ୍ରମିତ କରିଥାଏ । ଗରମ ବଢ଼ିବା ସାଙ୍ଗକୁ ଏହି ବ୍ୟାକ୍ଟେରିଆ ଉପକୂଳବର୍ତ୍ତୀ ଜଳରେ ନିଜର ପ୍ରଭାବ ବିସ୍ତାର କରୁଛି । ଏହି ଘାତକ ବ୍ୟାକ୍ଟେରିଆ ମଣିଷ ପାଇଁ ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ପ୍ରତ୍ୟେକ ଦିନ ପୃଥିବୀର ପରିବେଶ ଓ ମହାସାଗର ଗରମ ହେବାରେ ଲାଗିଥିବା ବେଳେ ଏହି ମାନବଜନିତ ପରିବର୍ତ୍ତନ କାରଣରୁ ଶକ୍ତିଶାଳୀ ତୋଫାନ, ହୀଟୱେ ଓ ମୌସୁମୀ ପରି ବଡ଼ ବଡ଼ ଘଟଣା ଘଟୁଛି ।

ଜଳବାୟୁ ପରିବର୍ତ୍ତନକୁ ନେଇ ନିକଟରେ ଅନ୍ତରାଷ୍ଟ୍ରୀୟ ସ୍ତରର ଏକ ରିସର୍ଚ୍ଚ ଟିମ୍ ଗବେଷଣା କରିଥିଲେ । ସମୁଦ୍ର ଗରମ ହେବାର ଭୟଙ୍କର ପ୍ରଭାବ ବିଷୟରେ ଏହି ରିସର୍ଚ୍ଚରେ କୁହାଯାଇଛି । ଏପରିକି ଏହି କାରଣରୁ ଅନେକ ଭୟଙ୍କର ବ୍ୟାକ୍ଟେରିଆ ମଧ୍ୟ ଜନ୍ମ ନେଉଥିବା ଜଣାପଡ଼ିଛି । ଏହି ବ୍ୟାକ୍ଟେରିଆ ମଣିଷକୁ ସଂକ୍ରମିତ କରିବାର ୧-୨ ଦିନ ଭିତରେ ମୃତ୍ୟୁ ଘଟୁଛି । ଯଦି ବା ଜଣେ ବଞ୍ଚିରୁହେ, ତେବେ ସଂକ୍ରମିତ ଅଙ୍ଗକୁ କାଟିବାକୁ ପଡ଼ୁଛି । ଏହି ବ୍ୟାକ୍ଟେରିଆରର ନାମ ହେଉଛି ‘ଭିବ୍ରିଓ ଭଲନିଫିକସ’ ।

ମେକ୍ସିକୋର ତଟୀୟ ଜଳ, ଜର୍ଜିଆ ଓ ଫ୍ଲୋରିଡ଼ାର ଆଟଲାଣ୍ଟିକ ତଟରେ ଏହି ବ୍ୟାକ୍ଟେିଆର ଆତଙ୍କ ଦେଖିବାକୁ ମିଳିଛି । ଗତ ୩୦ ବର୍ଷ ମଧ୍ୟରେ ଆମେରିକାର ପୂର୍ବ ତଟରେ ଏହି ସଂକ୍ରମଣ ପ୍ରତି ବର୍ଷ ୧୦ରୁ ବଢ଼ି ୮୦ରେ ପହଞ୍ଚିଛି । ୨୧୦୦ ସୁଦ୍ଧା ପ୍ରତିବର୍ଷ ଏହି ସଂଖ୍ୟା ବୃଦ୍ଧି ପାଇ ୨୦୦ ପହଞ୍ଚିଯିବ ବୋଲି ଅନୁମାନ କରାଯାଉଛି । ୨୦୮୦ ସୁଦ୍ଧା ଏହା ପୂର୍ବ ଆମେରିକୀୟ ରାଜ୍ୟରେ ସଂକ୍ରମିତ କରିପାରେ ବୋଲି କୁହାଯାଉଛି । ଭଲନିଫିକସ ବ୍ୟାକ୍ଟେରିଆରେ ସଂକ୍ରମିତ ୫ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିବ ବୋଳି ୟୁଏସ ରୋଗ ନିୟନ୍ତ୍ରଣ ଓ ନିବାରଣ (ସିଡିସି) ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.