ଶିଶୁ ବିକ୍ରୟ ରାକେଟର ପର୍ଦ୍ଦାଫାଶ! ୯୦,୦୦୦ ଟଙ୍କାରେ କିଣି ୩୫ ଲକ୍ଷରେ ବିକୁଥିଲେ

୯୦,୦୦୦ ଟଙ୍କାରେ କିଣା ଶିଶୁ ୩୫ ଲକ୍ଷରେ ବିକ୍ରି

ହାଇଦ୍ରାବାଦ: ଶିଶୁ ବିକ୍ରୟ ରାକେଟର ପର୍ଦ୍ଦାଫାଶ! ହାଇଦ୍ରାବାଦ ପୋଲିସ ସିକନ୍ଦରାବାଦର ୟୁନିଭର୍ସାଲ ସୃଷ୍ଟି ଫର୍ଟିଲିଟି ସେଣ୍ଟରରେ ଚାଲିଥିବା ଏକ ଅବୈଧ ସରୋଗେସି ଓ ଶିଶୁ ବିକ୍ରି ରାକେଟର ପର୍ଦ୍ଦାଫାଶ କରିଛି।

ଏଠାରେ ଏକ ଦମ୍ପତିଙ୍କ ସନ୍ତାନ ପ୍ରାପ୍ତିର ସ୍ୱପ୍ନ ଭାଙ୍ଗିଯାଇଥିଲା ଯେତେବେଳେ ଡିଏନଏ ପରୀକ୍ଷାରୁ ଜଣାପଡ଼ିଲା ଯେ, କ୍ଲିନିକ ମାଧ୍ୟମରେ ପାଇଥିବା ଶିଶୁ ସେମାନଙ୍କର ଜୈବିକ ସନ୍ତାନ ନୁହେଁ। ଏହି ମାମଲାରେ କ୍ଲିନିକ୍‌ର ମାଲିକ ଡ. ଅଥାଲୁରୀ ନମ୍ରତା (୬୪), ତାଙ୍କ ପୁଅ ଓ ଅନ୍ୟ ୬ ଜଣଙ୍କୁ ଗିରଫ କରାଯାଇଛି।

ପୋଲିସର ସୂଚନା ଅନୁସାରେ, ୨୦୨୧ରେ ଏହି କ୍ଲିନିକ୍‌ର ଲାଇସେନ୍ସ ରଦ୍ଦ ହୋଇଥିଲେ ମଧ୍ୟ ଏହା ହାଇଦ୍ରାବାଦ, ବିଜୟୱାଡ଼ା ଓ ବିଶାଖାପାଟଣାରେ ଅବୈଧ ଭାବେ ଚାଲୁ ରହିଥିଲା। ଛାପାମାରି ସମୟରେ IVF ଉପକରଣ, ଗର୍ଭଧାରଣ ସମ୍ବନ୍ଧୀୟ ସାମଗ୍ରୀ ଓ ଲିଙ୍ଗ ନିର୍ଦ୍ଧାରଣ ଯନ୍ତ୍ର ଜବତ ହୋଇଛି, ଯାହା ଅନୁମତି ଓ ପ୍ରଶିକ୍ଷିତ କର୍ମଚାରୀ ବିନା ବ୍ୟବହାର ହେଉଥିଲା।

୨୦୨୪ ଅଗଷ୍ଟରେ ରାଜସ୍ଥାନର ଏକ ଦମ୍ପତି ସିକନ୍ଦରାବାଦରେ ଥିବା ଏହି କ୍ଲିନିକ୍‌ରେ IVF ଚିକିତ୍ସା ପାଇଁ ଯୋଗାଯୋଗ କରିଥିଲେ। କ୍ଲିନିକ୍ ସେମାନଙ୍କୁ ସରୋଗେସି ପାଇଁ ପରାମର୍ଶ ଦେଇ ଶିଶୁଟି ସେମାନଙ୍କ ଜୈବିକ ସନ୍ତାନ ହେବ ବୋଲି ଆଶ୍ୱାସନା ଦେଇଥିଲା। ଏହା ପାଇଁ ସେମାନେ ୩୫ ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ।

୨୦୨୫ ଜୁନରେ ବିଶାଖାପାଟଣାରେ ସି-ସେକ୍ସନ ମାଧ୍ୟମରେ ଏକ ଶିଶୁପୁତ୍ର ଜନ୍ମ ହେବାର ଖବର ଦିଆଯାଇ ଅତିରିକ୍ତ ୨ ଲକ୍ଷ ଟଙ୍କା ନିଆଯାଇଥିଲା। କିନ୍ତୁ ଡିଏନଏ ପରୀକ୍ଷାରୁ ଜଣାପଡ଼ିଲା ଯେ ଶିଶୁଟି ସେମାନଙ୍କ ଜୈବିକ ସନ୍ତାନ ନୁହେ। ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ ଶିଶୁଟି ହାଇଦ୍ରାବାଦରେ ରହୁଥିବା ଆସାମର ଏକ ଗରିବ ଦମ୍ପତିଙ୍କଠାରୁ ୯୦,୦୦୦ ଟଙ୍କାରେ କିଣାଯାଇଥିଲା।

ଅଭିଯୁକ୍ତଙ୍କ ମଧ୍ୟରେ ଡ. ନମ୍ରତାଙ୍କ ପୁତ୍ର ପଚିପାଲା ଜୟନ୍ତ କ୍ରିଷ୍ଣା (୨୫), ଏକ ସରକାରୀ ହସ୍ପିଟାଲର ଆନେସ୍ଥେଟିଷ୍ଟ, ଏଜେଣ୍ଟ ଓ ଶିଶୁର ଜୈବିକ ପିତାମାତା ମହମ୍ମଦ ଅଲୀ ଅଦିକ (୩୮) ଓ ନସରିନ ବେଗମ (୨୫) ଅଛନ୍ତି। ଶିଶୁଟିକୁ ଶିଶୁ ବିହାରକୁ ହସ୍ତାନ୍ତର କରାଯାଇଛି।

ପୋଲିସ କହିଛି ଯେ, କ୍ଲିନିକ୍ ନକଲି ଜନ୍ମ ପ୍ରମାଣପତ୍ର ଓ IVF ରେକର୍ଡ ତିଆରି କରୁଥିଲା। ଗୋପାଳପୁରମ ପୋଲିସ ଓ ହାଇଦ୍ରାବାଦ ଟାସ୍କ ଫୋର୍ସ ମିଳିତ ଭାବେ ଛାପାମାରି କ୍ଲିନିକ୍‌କୁ ସିଲ୍‌ କରି ସମସ୍ତ ଉପକରଣ ଜବତ କରିଛି। ଅଧିକ ପିଡ଼ିତ ଦମ୍ପତିଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଜାରି ରହିଛି।

ପୋଲିସ ଅନୁମତିବିହୀନ କ୍ଲିନିକ୍‌ରୁ ସତର୍କ ରହିବାକୁ ଓ ସନ୍ଦେହଜନକ କାର୍ଯ୍ୟକଳାପ ରିପୋର୍ଟ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛି।