ନୂଆଦିଲ୍ଲୀ: ଆଇସିସି ଚମ୍ପିଆନ୍ସ ଟ୍ରଫି-୨୦୨୫ ଏବଂ ଏହାର ଆୟୋଜନକୁ ନେଇ ବିବାଦରେ ପଡ଼ୁନି ପୂର୍ଣ୍ଣଚ୍ଛେଦ । ସୁରକ୍ଷା କାରଣ ଦର୍ଶାଇ ଟିମ ଇଣ୍ଡିଆକୁ ପାକିସ୍ତାନ ପଠାଇବା ପାଇଁ ମନା କରିଛନ୍ତି ଭାରତ ସରକାର । ତେଣୁ ଏହାର ଭେନ୍ୟୁ ଏବଂ ଏହାର ସିଡ୍ୟୁଲକୁ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । କିନ୍ତୁ ଚମ୍ପିଆନ୍ସ ଟ୍ରପି ଆୟୋଜନ ପାଇଁ ପାକିସ୍ତାନକୁ ନିଜ ଜିଦ୍ ଛାଡ଼ିବାକୁ ପଡ଼ିବ ବୋଲି ଅପଡେଟ୍ ମିଳୁଛି । ହାଇବ୍ରିଡ ମଡେଲରେ ହିଁ ଚମ୍ପିଆନ୍ସ ଟ୍ରଫି ଆୟୋଜନ କରିବା ପାଇଁ ସହମତି ପ୍ରକାଶ କରିଛି । କିନ୍ତୁ ଏହାପରେ ଆଇସିସି ଆଗରେ କିଛି ସର୍ତ୍ତ ରଖିଛି ପାକିସ୍ତାନ କ୍ରିକେଟ ବୋର୍ଡ ।
ଚମ୍ପିଆନ୍ସ ଟ୍ରଫି ଆୟୋଜନ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡକୁ ‘ହାଇବ୍ରିଡ ମଡେଲ’ ବିକଳ୍ପ ଦେଇଥିଲା ଆଇସିସି । ଭାରତ ସରକାର ଟିମ ଇଣ୍ଡିଆର ପାକିସ୍ତାନ ଗସ୍ତକୁ ଅନୁମତି ନ ଦେବା ପରେ ଏହା ହିଁ ଏକମାତ୍ର ବିକଳ୍ପ ରହିଥିଲା । ତେବେ ପାକିସ୍ତାନ ହାଇବ୍ରିଡ ମଡେଲକୁ ଗ୍ରହଣ ନ କଲେ ‘ଚମ୍ପିଆନ୍ସ ଟ୍ରଫି-୨୦୨୫’ ଆୟୋଜନ ଦାୟିତ୍ୱ ଅନ୍ୟ ଦେଶକୁ ଦେଇପାରେ ଆଇସିସି । ଏ ନେଇ ନଭେମ୍ବର ୨୯ ତାରିଖ ବୈଠକରେ ଆଇସିସି ଘୋଷଣା କରିଥିଲା । ତେବେ ବର୍ତ୍ତମାନ ପାକିସ୍ତାନ ବୋର୍ଡ ହାଇବ୍ରିଡ ମଡେଲକୁ ଗ୍ରହଣ କରିଛି । କିନ୍ତୁ ଆଇସିସି ଆଗରେ କିଛି ବଡ଼ ସର୍ତ୍ତ ରକିଛି ପାକିସ୍ତାନ ବୋର୍ଡ ।
- ଦୁବାଇରେ ହେବ ଭାରତର ମ୍ୟାଚ୍: ଚମ୍ପିଆନ୍ସ ଟ୍ରଫିରେ ଭାରତର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳାଯିବ । ଗ୍ରୁପ୍ ଷ୍ଟେଜ୍, ସେମି ଫାଇନାଲ ଏବଂ ଫାଇନାଲ ମ୍ୟାଚ୍(ଯଦି ଭାରତ କ୍ୱାଲିଫାଏ କରିବ) ଦୁବାଇରେ ଆୟୋଜିତ ହେବ ।
- ଲାହୋର ବ୍ୟାକ୍ ଅପ୍ ହୋଷ୍ଟିଙ୍ଗ: ଯଦି ଭାରତ ଗ୍ରୁପ ଷ୍ଟେଜରୁ ବାଦ୍ ପଡ଼ିଯାଏ, ତେବେ ଲାହୋରରେ ସେମି ଫାଇନାଲ ଏବଂ ଫାଇନାଲ କେଳାଯିବ ବୋଲି ସର୍ତ୍ତ ରଖିଛି ପାକିସ୍ତାନ ବୋର୍ଡ ।
- ଆଇସିସି ଟୁର୍ଣ୍ଣାମେଣ୍ଟ ପାଇଁ ନ୍ୟୁଟ୍ରାଲ ଭେନ୍ୟୁ: ପାକିସ୍ତାନ କହିଛି ଯେ, ଆଗକୁ ଭାରତରେ ଆୟୋଜିତ ହେବାକୁ ଥିବା ଆଇସିସି ଟୁର୍ଣ୍ଣାମେଣ୍ଟ ପାଇଁ ମଧ୍ୟ ହାଇବ୍ରିଡ ମଡେଲ ଲାଗୁ କରାଯିବ । ପାକିସ୍ତାନ କୌଣସି ଇଭେଣ୍ଟ ପାଇଁ ଭାରତ ଗସ୍ତ କରିବ ନାହିଁ । ଏଥିପାଇଁ ନ୍ୟୁଟ୍ରାଲ ଭେନ୍ୟୁ ରହିବ ।
ସୁରକ୍ଷା ଦୃଷ୍ଟିରୁ ଭାରତ ସରକାର ଟିମ ଇଣ୍ଡିଆକୁ ପାକିସ୍ତାନ ଯିବା ପାଇଁ ଅନୁମତି ଦେଇନାହାନ୍ତି । ଏଥିପାଇଁ ଆଇସିସି ହାଇବ୍ରିଡ ମଡେଲ ଆପଣାଇବା ପାଇଁ ପ୍ରସ୍ତାବ ଦେଇଥିଲା । କିନ୍ତୁ ଭାରତ ଏବଂ ପାକିସ୍ତାନ ଉଭୟଙ୍କ ଜିଦ୍ ପାଇଁ ଅନେକ ଦିନରୁ ଟୁର୍ଣ୍ଣାମେଣ୍ଟକୁ ନେଇ ବିବାଦ ଲାଗି ରହିଛି । ତେବେ ବର୍ତ୍ତମାନ ପାକିସ୍ତାନ କିଛି ସର୍ତ୍ତ ରଖି ହାଇବ୍ରିଡ ମଡେଲରେ ଇଭେଣ୍ଟ ଆୟୋଜନ କରିବ ବୋଲି ସ୍ୱୀକୃତି ପ୍ରଦାନ କରିଛି ।