fbpx

ଯଦି ଆମେରିକାକୁ ଭାରତ ଓ କାନାଡା ମଧ୍ୟରୁ ବାଛିବାକୁ କୁହାଯିବ ତେବେ … ? ପେଣ୍ଟାଗନର ପୂର୍ବତନ ଅଧିକାରୀଙ୍କ ଉତ୍ତର କ’ଣ ରହିଛି ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଅଭିଯୋଗକୁ ନେଇ ଭାରତ ଓ କାନାଡା ମଧ୍ୟରେ ତିକ୍ତତା ଜାରି ରହିଥିବା ବେଳେ ଏବେ ଆମେରିକା ପେଣ୍ଟାଗନର ପୂର୍ବତନ ଅଧିକାରୀ ମାଇକେଲ ରୁବିନ ଏକ ଗୁରୁତ୍ୱପୂର୍ଣ୍ଣ ମତ ରଖିଛନ୍ତି । ସେ କହିଛନ୍ତି ଯଦି ଆମେରିକାକୁ ଓଟୱା ଓ ନୂଆଦିଲ୍ଲୀ ମଧ୍ୟରେ ଜଣକୁ କାହାକୁ ବାଛିବାକୁ କୁହାଯିବ ତେବେ ଏହା ନୂଆଦିଲ୍ଲୀକୁ ହିଁ ବାଛିବ । କାରଣ ଭାରତ ସହ ଆମର ସଂପର୍କ ବହୁ ଦିଗରୁ ଗୁରୁତ୍ୱ ରଖୁଛି ।

ସେ କହିଛନ୍ତି ସବୁଦିଗରୁ ଭାରତ ଆମ ପାଇଁ ଗୁରୁତ୍ୱ ବହନ କରୁଛି । ଏହା ସହିତ ସେ କହିଛନ୍ତି ଓଟୱାର ଭାରତ ସହ ଶତ୍ରୁତା ଏକ ପିମ୍ପୁଡିର ହାତୀ ସହ କଳି ପରି । ମାଇକେଲ୍ ଆହୁରି କହିଛନ୍ତି ଜଷ୍ଟିନ ଟ୍ରୁଡୋଙ୍କ ସପକ୍ଷରେ ସେପରି ଲୋକମତ ନାହିଁ । ସେ କ୍ଷମତାରୁ ଅପସରି ଯିବା ପରେ ହିଁ ଆମେରିକା କାନାଡା ସହ ଏହାର ସଂପର୍କକୁ ପୁନଃନିର୍ମାଣ କରିପାରିବ ।

ମାଇକେଲ ଆହୁରି କହିଛନ୍ତି ପ୍ରଧାନମନ୍ତ୍ରୀ ଟ୍ରୁଡୋ ବହୁତ ବଡ ଭୁଲ୍ କରିଛନ୍ତି । ସେ ଏପରି ଭାବରେ ଏକ ଅଭିଯୋଗ କରିଛନ୍ତି ଯାହାକୁ ସେ ବୋହିବାକୁ ବି ସମର୍ଥ ନୁହଁନ୍ତି । ସେ ଯେଉଁ ଅଭିଯୋଗ ଲଗାଇଛନ୍ତି ତାହାକୁ ପ୍ରମାଣ କରିବା ଲାଗି ତାଙ୍କ ପାଖରେ ଉପଯୁକ୍ତ ସମର୍ଥନ ବି ନାହିଁ । ଅନ୍ୟପକ୍ଷରେ କାନାଡାର ଏହି ସରକାର ଏକ ଆତଙ୍କବାଦୀଙ୍କୁ କାହିଁକି ଆଶ୍ରୟ ଦେଇଛନ୍ତି ତାହାର ଜବାବ ରଖିବାକୁ ହେବ ।

ଏଠାରେ ସୂଚାଇ ଦିଆଯାଇପାରେ କି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରର ହତ୍ୟା ପଛରେ ଭାରତର ଭୂମିକାକୁ ଅଭିଯୋଗ ଆଣିବା ପରେ ଭାରତ-କାନାଡା ସମ୍ବନ୍ଧରେ ତିକ୍ତତା ସୃଷ୍ଟି ହୋଇଛି ।
ମାଇକେଲ ରୁବିନ୍ ପେଣ୍ଟାଗନର ପୂର୍ବ ଅଧିକାରୀ ରହିବା ସହ ଇରାନ, ତୁର୍କୀ, ଓ ଦକ୍ଷିଣ ଏସିଆ ଆମେରିକୀୟ ଉଦ୍ୟୋଗ ସଂସ୍ଥାରେ ବରିଷ୍ଠ ଅଧିକାରୀ ଥିଲେ । ମାଇକେଲ କହିଛନ୍ତି ନିିଜ୍ଜର ପରି ଜଣେ ଦୂର୍ଦ୍ଦାନ୍ତ ଆତଙ୍କବାଦୀ ଯିଏ କି ଏକାଧିକ ହତ୍ୟାକାଣ୍ଡରେ ନିଜକୁ ରକ୍ତ ରଞ୍ଜିତ କରିଛି ତା ପାଇଁ ଓକିଲାତି କରୁଥିବା ଜଣେ ରାଷ୍ଟ୍ରମୁଖ୍ୟଙ୍କୁ ସମର୍ଥନ କରିବା କେବଳ ବୋକାମୀ ହିଁ ହେବ ।

ତେବେ ଭାରତ କାନାଡା ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦରେ ଆମେରିକା ହସ୍ତକ୍ଷେପ କରିବ କି ନା ପ୍ରଶ୍ନରେ ମାଇକେଲ କହିଛନ୍ତି, ସ୍ପଷ୍ଟ ଭାବରେ କହିବାକୁ ଗଲେ ଏ କ୍ଷେତ୍ରରେ ଭାରତ ଅପେକ୍ଷା କାନାଡା ପ୍ରତି ଅଧିକ ବିପଦ ରହିଛି । ଯଦି କାନାଡା ଏହି ପ୍ରସଙ୍ଗରେ ଭାରତ ବିରୁଦ୍ଧରେ ଯୁଦ୍ଧ କରିବ ତେବେ ଏହା ପିମ୍ପୁଡି ହାତୀ ସହ ଲଢିବା ପରି ହେବ । ସବୁଠାରୁ ବଡ କଥା ହେଉଛି ଭାରତ ହେଉଛି ବିଶ୍ୱର ଏକ ବୃହତ୍ତ ଗଣତନ୍ତ୍ର । ତେଣୁ ଭାରତ ଆମ ପାଇଁ ସବୁ ଦୃଷ୍ଟିରୁ ଅଧିକ ଗୁରୁତ୍ୱ ବହନ କରୁଛି ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି ।

Get real time updates directly on you device, subscribe now.