fbpx

ILS ଉଦ୍ଭାବନ କଲା ନୂଆ ପ୍ରୋଟିନ୍ ‘NCOR-1’: ଯକ୍ଷ୍ମା, ଭାଇରାଲ ଇନଫେକ୍ସନ ଓ ବାର୍ଦ୍ଧକ୍ୟ ଜନିତ ଦୁରାରୋଗ୍ୟ ବ୍ୟାଧିରୁ ମିଳିବ ମୁକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ସ୍ଥିତ ଜୀବ ବିଜ୍ଞାନ ଅନୁଷ୍ଠାନ (ଆଇଏଲଏସ) ପୁଣି ଥରେ ଏକ ବଡ଼ ସଫଳତା ହାସଲ କରିଛି । ଆଇଏଲଏସର ବୈଜ୍ଞାନିକମାନେ କ୍ୟାନସର ରୋଗ ପାଇଁ ଏକ ନୂଆ ପ୍ରୋଟିନ ଉଦ୍ଭାବନ କରିଛନ୍ତି । ଏହି ପ୍ରୋଟିନର ନାମ ହେଉଛି ‘ନ୍ୟୁକ୍ଲିୟର ରିସେପ୍ଟର କୋ-ରିପ୍ରେସର-୧ (ଏନସିଓଆର-୧) । ‘ଏନସିଓଆର-୧’ ବହୁ ଜଟିଳ ରୋଗକୁ ଦୂରୀକରଣ କରିବାରେ ସହାୟକ ହୋଇପାରିବ ବୋଲି କୁହାଯାଇଛି ।

ବିଭିନ୍ନ ପ୍ରକାରର ରୋଗକୁ ପ୍ରତିରୋଧ କରିବାର କ୍ଷମତା ଏହି ପ୍ରୋଟିନରେ ରହିଛି । ସାଧାରଣ ଭାବେ ଶରୀରରେ ପ୍ରୋଟିନର ମାତ୍ରା କମିଲେ ବିଭିନ୍ନ ପ୍ରକାରର ମାରାତ୍ମକ ଭୂତାଣୁଙ୍କ ସଂକ୍ରମଣ ହେବାର ସମ୍ଭାବନା ରହିଥାଏ । ଫଳରେ ରୋଗ ବଢ଼ିବା ସହିତ ଦୀର୍ଘଦିନ ପର୍ଯ୍ୟନ୍ତ ଲାଗି ରହିଥାଏ । ତେବେ ଯକ୍ଷ୍ମାରୁ ଆରୋଗ୍ୟ ହେବା ପରବର୍ତ୍ତୀ ଅବସ୍ଥାରେ ରୋଗୀଙ୍କ ଠାରେ ଏହି ପ୍ରୋଟିନର ମାତ୍ରା କମିଥିବା ଗବେଷଣାରୁ ଜଣାପଡ଼ିଛି । ତେବେ ଏହା ଉପରେ ଅଧିକ ତଥ୍ୟ ଜାଣିବା ଓ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରୁଥିବା ରୋଗର ଚିକିତ୍ସା କ୍ଷେତ୍ରରେ ପ୍ରୋଟିନର ଭୂମିକା ଉପରେ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି ।

ଆଇଏଲଏସର ବୈଜ୍ଞାନିକମାନେ ବିକଶିତ କରିଥିବା ପ୍ରୋଟିନ ଯକ୍ଷ୍ମା, ଭାଇରାଲ ଇନଫେକ୍ସନ, ବାର୍ଦ୍ଧକ୍ୟଜନିତ ବ୍ୟାଧି ପରି ଦୁରାରୋଗ୍ୟ ରୋଗର ଉପଶମ କ୍ଷେତ୍ରରେ ସହାୟକ ହୋଇପାରିବ । ଆଇଏଲଏସ ବୈଜ୍ଞାନିକଙ୍କ ଏହି ବିରଳ କିର୍ତ୍ତୀମାନ ଏବେ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ବୈଜ୍ଞାନିକମାନେ ଏହି ପ୍ରୋଟିନର ଆଣ୍ଟିଭାଇରାଲ ଦକ୍ଷତା ସମ୍ପର୍କରେ ସକାରାତ୍ମକ ରିପୋର୍ଟ ପାଇଛନ୍ତି । ତେବେ ଆଣ୍ଠୁ, ଗଣ୍ଠି, ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରୁଥିବା ରୋଗର ଉପଚାର କ୍ଷେତ୍ରରେ ଏହି ପ୍ରୋଟିନର କ’ଣ ଭୂମିକା ରହିଛି ସେନେଇ ଗବେଷଣା ଜାରି ରହିଛି ।

Get real time updates directly on you device, subscribe now.