fbpx

ମାନବୀୟ ଢଙ୍ଗରେ ବୁଲା କୁକୁରଙ୍କ ଜନ୍ମ ନିୟନ୍ତ୍ରଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି: ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ମାନବୀୟ ଢଙ୍ଗରେ ବୁଲା ଶ୍ୱାନଙ୍କ ଜନ୍ମ ନିୟନ୍ତ୍ରଣ କାର୍ଯ୍ୟକ୍ରମ କରାଯାଉଛି। ବର୍ତ୍ତମାନ ଏହା ରାଜ୍ୟର ୧୨ଟି ସହରାଞ୍ଚଳରେ କାର୍ଯ୍ୟକାରୀ କରାଯାଉଛି। ତାଲିମପ୍ରାପ୍ତ ପ୍ରାଣୀ ଚିକିତ୍ସକ ଏବଂ ଆଧୁନିକ ଚିକିତ୍ସା ସୁବିଧା ସହିତ ଏହି ପଦକ୍ଷେପ ମାଧ୍ୟମରେ ସାରା ରାଜ୍ୟରେ ଜନ୍ମ ନିୟନ୍ତ୍ରଣ କାର୍ଯ୍ୟକ୍ରମର ଏକ ନେଟ୍‌ୱାର୍କ ପ୍ରତିଷ୍ଠା କରାଯାଇଛି । ବୁଲା କୁକୁରମାନେ ରହୁଥିବା ଅଞ୍ଚଳରୁ ଧରାଯାଇ ଜନ୍ମ ନିୟନ୍ତ୍ରଣ ଅପରେସନ୍‌ ଓ ଟିକାକରଣ ପରେ ପୁନର୍ବାର ସେମାନେ ରହୁଥିବା ସ୍ଥାନରେ ଛାଡ଼ି ଦିଆଯାଉଛି । ଏହା ଶ୍ୱାନ-ମନୁଷ୍ୟଙ୍କ ମଧ୍ୟରେ ଶାନ୍ତିପୂର୍ଣ୍ଣ ଓ ସୁସଙ୍ଗତ ସହାବସ୍ଥାନ ଏବଂ ଜଳାତଙ୍କ ପରି ରୋଗର ନିୟନ୍ତ୍ରଣ ଦିଗରେ ସହାୟକ ହୋଇପାରୁଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

ଆଜି ଭୁବନେଶ୍ୱରଠାରେ ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ ବିଭାଗ ଏବଂ ରାଜ୍ୟ ପ୍ରାଣିକଲ୍ୟାଣ ବୋର୍ଡର ମିଳିତ ସହଯୋଗରେ ଆୟୋଜିତ କୁକୁର ଜନ୍ମ ନିୟନ୍ତ୍ରଣ ଓ ପ୍ରାଣିକଲ୍ୟାଣ କର୍ମଶାଳାକୁ ଉଦ୍‌ଘାଟନ କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ଶ୍ୱାନ ଜନ୍ମ ନିୟନ୍ତ୍ରଣ ନିୟମ ୨୦୨୩କୁ ରାଜ୍ୟରେ ଯେପରି ଠିକ୍‌ ରୂପରେ କାର୍ଯ୍ୟକାରୀ କରାଯିବ ସେ ଦିଗରେ ପ୍ରତ୍ୟେକ ସ୍ତରରେ ନିଷ୍ଠାପର ଉଦ୍ୟମ ହେବା ଆବଶ୍ୟକ ।

ଓଡ଼ିଶା ଜୈବ ବିବିଧତା ଏବଂ ବିବିଧ କୃଷି ପ୍ରଣାଳୀର ରାଜ୍ୟ । ଏଠାରେ ସର୍ବଦା ମନୁଷ୍ୟ ଓ ପଶୁପକ୍ଷୀଙ୍କ ଘନିଷ୍ଠ ସମ୍ବନ୍ଧ ରହିଆସିଛି । ଆମ କ୍ଷେତରେ କାର୍ଯ୍ୟରତ ବଳଦଠାରୁ ଆରମ୍ଭ କରି କୁକୁର, ବିଲେଇ, ଶୁଆ ଆଦି ପଶୁପକ୍ଷୀ ଆମର ଅତ୍ୟନ୍ତ ବିଶ୍ୱସ୍ତ ଓ ସେମାନେ ଆମ ସମାଜରେ ଏକ ଅବିଚ୍ଛେଦ୍ୟ ଭୂମିକା ଗ୍ରହଣ କରିଛନ୍ତି । ସେମାନଙ୍କର ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ନିଶ୍ଚିତ କରିବା ଆମର କର୍ତ୍ତବ୍ୟ ଏବଂ ଦାୟିତ୍ୱ ।

ମନ୍ତ୍ରୀ ପୁଣି କହିଥିଲେ ଯେ, କୁକୁର ଜନ୍ମ ନିୟନ୍ତ୍ରଣ କାର୍ଯ୍ୟକ୍ରମ ସହିତ ଓଡିଶାରେ ପ୍ରାଣିକଲ୍ୟାଣକୁ ମଜବୁତ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ବୁଲା ଓ ଅସହାୟ ପଶୁପକ୍ଷୀଙ୍କୁ ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇଦେବା ପାଇଁ ଟୋଲ ଫ୍ରୀ ନମ୍ବର ୧୯୬୨ ସହିତ ରାଜ୍ୟବ୍ୟାପୀ ଆନିମାଲ ହେଲପଲାଇନ ପ୍ରତିଷ୍ଠା କରାଯାଇଛି । ରାଜ୍ୟର ୧୧ ଗୋଟି ସହରାଞ୍ଚଳରେ ଆନିମାଲ ଆମ୍ବୁଲାନ୍ସ ଓ ଅନ୍ୟ ଅଞ୍ଚଳରେ ମେବାଇଲ୍‌ ଭେଟେରିନାରୀ ୟୁନିଟ୍‌ ଏହି ସେବା ଯୋଗାଇ ଦେଉଛି ।

ପ୍ରାଣିକଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାରେ ଆଉ ଏକ ପାଦ ଆଗକୁ ଯାଇ ଗୋଶାଳାଗୁଡିକୁ ସହାୟତା ପ୍ରଦାନ କରାଯାଉଛି । ଅସହାୟ ଗୋରୁଙ୍କୁ ଆଶ୍ରୟ ଏବଂ ଯନି ଯୋଗାଇଦେଉଥିବା ରାଜ୍ୟର ପଞ୍ଜିକୃତ ୫୨ ଗୋଟି ଗୋଶାଳାକୁ ଗୋରୁଙ୍କ ଯନି ଓ ରକ୍ଷଣାବେକ୍ଷଣ ପାଇଁ ସହାୟତା ବାବଦକୁ ପ୍ରତି ବୟସ୍କ ଗୋରୁ ପାଇଁ ବାର୍ଷିକ ୧୬ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଉଛି ଏବଂ ୨୦୨୨-୨୩ ଆର୍ଥିକ ବର୍ଷରେ ଏଥିପାଇଁ ୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ୫୦ ରୁ ୧୫୦ ଅସହାୟ ଗୋରୁଙ୍କ ଥଇଥାନ ଓ ଆଶ୍ରୟ ଉଦ୍ଦେଶ୍ୟରେ ନୂତନ ଗୋଶାଳା ପ୍ରତିଷ୍ଠା କରିବା ପାଇଁ ୨୦ ଲକ୍ଷରୁ ୫୨ ଲକ୍ଷ ଟଙ୍କା ପର୍ଯନ୍ତ ସହାୟତା ପ୍ରଦାନ କରାଯାଉଛି । ଏପର୍ଯନ୍ତ ଏବାବଦରେ ୨୬ ଗୋଟି ଗୋ-ଆହେଡ୍‌ ପ୍ରଦାନ କରାଗଲାଣି ।

Get real time updates directly on you device, subscribe now.