fbpx

ଆଜି ଇମ୍ରାନଙ୍କ ଫାଇନାଲ୍ ମୁକାବିଲା: ଅନ୍ତିମ ବଲକୁ ଛକା ମାରିବେ ନା କ୍ଲିନ୍ ବୋଲ୍ଡ ହେବେ ପାକିସ୍ତାନ ଅଧିନାୟକ

AAKASH

ନୂଆଦିଲ୍ଲୀ: ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭାଗ୍ୟ ପରୀକ୍ଷା ହେବ । ପାକିସ୍ତାନ ସଂସଦରେ ଆଜି ଅବିଶ୍ୱାସ ପ୍ରସ୍ତାବ ଆଗତ ହେବାକୁ ଥିବାବେଳେ ଇମ୍ରାନଙ୍କୁ ନିଜର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ପଡ଼ିବ । ଅନ୍ତିମ ବଲ ପର୍ଯ୍ୟନ୍ତ ନିଜର ଖେଳ ଜାରି ରଖିଥିବା ଇମ୍ରାନ କୌଣସି ପରିସ୍ଥିତିରେ ହାର ମାନିବେ ନାହିଁ ବୋଲି ପୂର୍ବରୁ କହିସାରିଛନ୍ତି । କେବଳ କିଛି ଚମକ୍ରାର ହିଁ ଏଥର ଇମ୍ରାନଙ୍କୁ ବଞ୍ଚାଇ ପାରିବ, ନଚେତ୍ ସେ ବିଦା ହେବା ପୂରା ଥୟ ।

ଆଜି ଯଦି ଇମ୍ରାନ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇପାରିବେ, ତେବେ ତାଙ୍କର ଗାଦି ନିଶ୍ଚିତ ଭାବେ ସୁରକ୍ଷିତ ରହିବ । ପୂର୍ବରୁ ଏକ ସାକ୍ଷାତକାର ଅବସରରେ ଇମ୍ରାନ କହିଥିଲେ ଯେ, ତାଙ୍କ ପାଖରେ ଏକାଧିକ ପ୍ଲାନ ମହଜୁଦ୍ ରହିଛି, ତେଣୁ ଏଥିପାଇଁ ମୁଁ ବିବ୍ରତ ନାହିଁ । ଦଳର ଅଧିନାୟକଙ୍କ ପାଖରେ ସର୍ବଦା ଏକାଧିକ ପ୍ଲାନ୍ ରହିଥାଏ । ମୋ ପାଖରେ ଏପରି ଏକ ସିକ୍ରେଟ ପ୍ଲାନ ଅଛି, ଯାହାଦ୍ୱାରା ମୁଁ ସଦନରେ ବିରୋଧୀଙ୍କ ପ୍ରସ୍ତାବକୁ ମାତ୍ ଦେଇପାରିବି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ଇମ୍ରାନଙ୍କ ପାଖରେ ଏପରି କେଉଁ ପ୍ଲାନ ରହିଛି ଯେ ସେ ଏତେ ବାହାସ୍ଫୋଟ ମାରୁଛନ୍ତି । ସତରେ କ’ଣ ପୂର୍ବତନ କ୍ୟାପ୍ଟେନ ଆଜି କିଛି କମାଲ୍ କରିପାରିବେ? ସତରେ କ’ଣ ଇମ୍ରାନ ଆଜି ଅନ୍ତିମ ବଲରେ ଛକା ମାରି ଦଳକୁ ଜିତାଇ ପାରିବେ? ଏ ବାବଦରେ ସେ ସ୍ପଷ୍ଟ କରିନଥିବାରୁ ଏହି ପ୍ଲାନ ଏବେ ରହସ୍ୟ ଘେରରେ ରହିଛି । ରାଜନୀତିକ ଅଙ୍କ ମୁତାବକ, ଇମ୍ରାନଙ୍କ ପାଖରେ ବର୍ତ୍ତମାନ ବହୁମତ ନାହିଁ । ପୂର୍ବରୁ ସେନା ଦ୍ୱାରା ଇମ୍ରାନଙ୍କୁ ୩ଟି ଅପ୍ସନ ଦିଆଯାଇଥିଲା । ସେଥିମଧ୍ୟରେ ଇମ୍ରାନ ଇସ୍ତଫା ଦେବେ, ଅବିଶ୍ୱାସ ପ୍ରସ୍ତାବର ସାମ୍ନା କରିବେ, ଶୀଘ୍ର ନିର୍ବାଚନ କରାଇବେ ଆଦି ସାମିଲ୍ ରହିଥିଲା । ପାକିସ୍ତାନ ସଂସଦର ମୋଟ ସଦସ୍ୟ ସଂଖ୍ୟା ୩୪୨ ହୋଇଥିବା ବେଳେ ବିପକ୍ଷ ଦଳଙ୍କ ପାଖରେ ୧୭୭ଟି ଭୋଟ ରହିଛି ।

Get real time updates directly on you device, subscribe now.