fbpx

‘ଭାରତରେ ଶବ ସହ ସମ୍ପର୍କ ରଖିବା ଅପରାଧ ନୁହେଁ’, ବିଦେଶରେ କ’ଣ ରହିଛି ନିୟମ?

ନୂଆଦିଲ୍ଲୀ: ହତ୍ୟା ଏବଂ ପରେ ମୃତଦେହ ସହିତ ଶାରୀରିକ ସମ୍ପର୍କ ରଖିବା ମାମଲାକୁ ନେଇ ହୋଇଛି ଏକ ବଡ ଶୁଣାଣି । ଶବ ସହିତ ସମ୍ବନ୍ଧ ରଖିବାକୁ ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ କୌଣସି ନିୟମ ନାହିଁ । ଏ ନେଇ ହାଇକୋର୍ଟ ନିଜ ନିଷ୍ପତ୍ତି ଶୁଣାଇଛନ୍ତି । ତେବେ ଭାରତର ଏହି ନିୟମ ପରେ ଅନ୍ୟାନ୍ୟ ଦେଶରେ ଏହାକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଛି । ଏଭଳି ଏକ ମାମଲା କର୍ଣ୍ଣାଟକ ହାଇକୋର୍ଟରେ ରୁଜୁ ହୋଇଥିବା ବେଳେ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରି ଛାଡି ଦେବାକୁ ରାୟ ଶୁଣାଇଛନ୍ତି ମାନ୍ୟବର ହାଇକୋର୍ଟ ।

ସୂଚନା ଅନୁସାରେ, ହତ୍ୟା ଏବଂ ଏହାପରେ ମୃତଦେହ ସହିତ ବଳାତ୍କାର କରିବା ଅଭିଯୋଗ ଉପରେ ହାଇକୋର୍ଟ ଏକ ବଡ ନିଷ୍ପତ୍ତି ଶୁଣାଇଛନ୍ତି । ଅଭିଯୁକ୍ତକୁ କେବଳ ହତ୍ୟା ଅଭିଯୋଗରେ ଦୋଷୀ ବୋଲି ଘୋଷଣା କରିଛନ୍ତି କିନ୍ତୁ ଶବ ସହ ବଳାତ୍କାର ଘଟଣାରେ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ନାହିଁ । ଏଥିପାଇଁ ସମ୍ବିଧାନରେ କୌଣସି ନିୟମ ନାହିଁ, ତେଣୁ କେନ୍ଦ୍ର ସରକାରଙ୍କୁ ଏଭଳି ମାମଲା ପାଇଁ ଏକ ନିୟମ ପ୍ରଣୟନ କରିବା ପାଇଁ କହିଛନ୍ତି ହାଇକୋର୍ଟ । କୋର୍ଟ କହିଛନ୍ତି ଯେ, ବିଭିନ୍ନ ମେଡିକାଲର ଶବଗୃହ ଦାୟିତ୍ୱରେ ଥିବା ଗାର୍ଡ ମହିଳାଙ୍କ ମୃତଦେହ ସହିତ ଶାରୀରିକ ସମ୍ବନ୍ଧ ରଖୁଥିବା ଅନେକ ସମୟରେ ଶୁଣିବାକୁ ମିଳିଥାଏ । ତେଣୁ କେନ୍ଦ୍ର ସରକାରଙ୍କୁ ଧାରା-୩୭୭ରେ ସଂଶୋଧନ କରି ନେକ୍ରୋଫିଲିଆ ଉପରେ ନିୟମ ପ୍ରସ୍ତୁତ କରିବା ଆବଶ୍ୟକ ।

ଦୁଷ୍କର୍ମ ଏବଂ ନେକ୍ରୋଫିଲିଆ ମଧ୍ୟରେ ପାର୍ଥକ୍ୟ:

ହାଇକୋର୍ଟଙ୍କ କହିବା ଅନୁସାରେ, ବଳାତ୍କାର କେବଳ ଜୀବିତ ବ୍ୟକ୍ତିଙ୍କ ବା ମହିଳାଙ୍କ ସହ ହୋଇପାରେ ଶବ ସହିତ ନୁହେଁ । କାରଣ ଜୀବନ୍ତ ଶରୀରରେ ଭାବନା ଭରି ରହିଥାଏ, ଯାହା ମୃତଦେହରେ ନଥାଏ । ତେଣୁ ମୃତଦେହ ସହ ଶାରୀରିକ ସମ୍ବନ୍ଧ ରଖିବାକୁ ନେକ୍ରୋଫିଲିଆ କୁହାଯାଏ ।

କେଉଁଠି ନେକ୍ରୋଫିଲିଆକୁ ଅପରାଧ ଘୋଷଣା ହୋଇଛି ?

ୟୁକେରେ ଯୌନ ଅପରାଧ ନିୟମ, ୨୦୦୩ର ଧାରା ୭୦ ଅନୁସାରେ, ଶବ ସହିତ ସମ୍ବନ୍ଧ ରଖିଲେ ୬ ମାସରୁ ୨ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ମିଳିପାରେ । ସେହିପରି କାନାଡାରେ ମଧ୍ୟ ୧୯୮୫ ଧାରା ୧୮୨ରେ ନେକ୍ରୋଫିଲିଆକୁ ଦଣ୍ଡନୀୟ ଅପରାଧ ବୋଲି ଦର୍ଶାଯାଇଛି । ଯାହା ବଦଳରେ ଅଭିଯୁକ୍ତକୁ ୫ ବର୍ଷର ଦଣ୍ଡ ଭୋଗିବାକୁ ପଡିଥାଏ । ଦକ୍ଷିଣ ଆଫ୍ରିକା ମଧ୍ୟ ନେକ୍ରୋଫିଲିଆ ମାମଲାକୁ ଯୌନ ଅପରାଧ ବୋଲି କହିଥିବା ବେଳେ ୨୦୦୭ ଧାରା ୧୪ ଅନୁସାରେ ଏହାକୁ ରୋକ ଲଗାଯାଇଛି ।

Get real time updates directly on you device, subscribe now.