fbpx

ଆଗକୁ ବିଧାନସଭା ନିର୍ବାଚନ: ବିଜେପିରେ ସାମିଲ ହେଲେ ବିଧାୟକ ପ୍ରଦୀପ

ନୂଆଦିଲ୍ଲୀ: ଆସନ୍ତା ମାସରେ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ତେଣୁ ସେଥିପାଇଁ ଏହି ସମସ୍ତ ରାଜ୍ୟରେ ରାଜନୈତିକ ପାଣିପାଗ ଚଳଚଞ୍ଚଳ ହୋଇଯାଇଛି । ପ୍ରମୁଖ ରାଜନୈତିକ ଦଳମାନେ କ୍ଷମତା ଦଖଲ ପାଇଁ ପ୍ରସ୍ତୁତି ଆରମ୍ଭ କରିବା ସହିତ ପ୍ରଚାର ଅଭିଯାନ ଆରମ୍ଭ କରିଦେଲେଣି । ତେବେ ଏହା ମଧ୍ୟରେ ନେତାଙ୍କର ଦଳବଦଳ ପ୍ରକ୍ରିୟା ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ମଧ୍ୟପ୍ରଦେଶର ଜଣେ ପୂର୍ବତନ ମନ୍ତ୍ରୀ ତଥା ସ୍ୱାଧୀନ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି । ବରିଷ୍ଠ କଂଗ୍ରେସ ନେତା କମଲନାଥଙ୍କ ସରକାରରେ ମନ୍ତ୍ରୀ ରହିଥିବା ପ୍ରଦୀପ ଜୟସ୍ୱାଲ ବିଜେପିରେ ସାମିଲ ହୋଇଛନ୍ତି । ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସ୍ୱାଧୀନ ବିଧାୟକ ପ୍ରଦୀପ ଏହି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି । ୨୦୧୮ ବିଧାନସଭା ନିର୍ବାଚନରେ ପ୍ରଦୀପ ୱାରାସିଓନି ଆସନରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓ ରାଜ୍ୟ ସଭାପତି ଭିଡି ଶର୍ମା ପ୍ରମୁଖ ପ୍ରଦୀପଙ୍କୁ ଦଳରେ ସ୍ୱାଗତ କରିଥିଲେ ।

ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ବହୁମତ ହାସଲ କରି ସରକାର ଗଠନ କରିଥିବା ବେଳେ ବିଜେପି କ୍ଷମତାରୁ ଦୂରେଇ ରହିଥିଲା । ମାତ୍ର ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ପଦ ନ ମିଳିବାରୁ ଓ ଦଳରେ ଅଣଦେଖାରୁ ହେବାରୁ ଟାଣୁଆ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ତାଙ୍କର କିଛି ସହଯୋଗୀ ବିଧାୟକଙ୍କୁ ନେଇ ପଦ୍ମ ଧରିଥିଲେ । ଏହାପରେ ରାଜ୍ୟର କମଲନାଥ ସରକାରର ପତ୍ତନ ଘଟିଥିଲା ଓ ପୁଣି ଥରେ ଶିବରାଜ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ତେଣୁ ଏଥର କଂଗ୍ରେସ-ବିଜେପି ମଧ୍ୟରେ ଜୋରଦାର ଫାଇଟ୍ ଦେଖିବାକୁ ମିଳିବ । ନଭେମ୍ବର ୧୭ ତାରିଖରେ ମଧ୍ୟପ୍ରଦେଶରେ ମତଦାନ କରାଯାଇ ଡିସେମ୍ବର ୩ରେ ଫଳାଫଳ ଘୋଷଣା କରାଯିବ ।

Get real time updates directly on you device, subscribe now.