fbpx

ସୁନିଲ ଛେତ୍ରୀଙ୍କ ହ୍ୟାଟ୍ରିକ: ପାକିସ୍ତାନକୁ ୪-୦ ଗୋଲରେ ହରାଇଲା ଭାରତ

AAKASH

ନୂଆଦିଲ୍ଲୀ: ନିକଟରେ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ଇଣ୍ଟରକଣ୍ଟିନେଣ୍ଟାଲ କପରେ ଭାରତୀୟ ଫୁଟବଲ ଟିମ ଲେବାନନକୁ ୧-୦ରେ ହରାଇ ଦ୍ୱିତୀୟ ଥର ପାଇଁ ଚାମ୍ପିୟନ ହୋଇଥିଲା । ଏହା ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଥିବା ସାଉଥ୍ ଏସିଆନ ଫୁଟବଲ ଫେଡେରେସନ (ସାଫ) ଟୁର୍ଣ୍ଣାମେଣ୍ଟରେ ଭାରତ ଶାନଦାର ଆରମ୍ଭ କରିଛି । ପାକିସ୍ତାନ ବିପକ୍ଷରେ ଭାରତ ୪-୦ ଗୋଲରେ ଏକତରଫା ବିଜୟ ହାସଲ କରିଛି ।

ଆଜିର ମ୍ୟାଚରେ ଅଧିନାୟକ ସୁନୀଲ ଛେତ୍ରୀ ହ୍ୟାଟ୍ରିକ ଅର୍ଜନ କରି ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲେ । ଭାରତୀୟ ଅଧିନାୟକ ପ୍ରଥମାର୍ଦ୍ଧରେ ୨ଟି ଗୋଲ ସ୍କୋର କରି ଭାରତକୁ ଅଗ୍ରଣୀ କରାଇଥିଲେ । ଏହାପରେ ପାକିସ୍ତାନ ଟିମ୍ ଗୋଟିଏ ବି ଗୋଲ ସ୍କୋର କରିପାରି ନଥିଲା । ଦ୍ୱିତୀୟାର୍ଦ୍ଧରେ ବହୁତ ପ୍ରୟାସ କରିଥିଲେ ବି ପାକିସ୍ତାନ ଗୋଲ ଦେବାରେ ସକ୍ଷମ ହୋଇ ପାରିନଥିଲା । ଏହି ସମୟରେ ସୁନୀଲ ଓ ଉନ୍ଦାତା ସିଂହ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ ।

ଭାରତୀୟ ଟିମ୍ ମ୍ୟାଚ ଆରମ୍ଭର ପ୍ରଥମ ମିନିଟରୁ ହିଁ ପାକିସ୍ତାନ ଉପରେ ଚାପ ପ୍ରୟୋଗ କରିଦେଇଥିଲା । ପ୍ରଥମ ମିନିଟରେ ଗୋଟିଏ ଫ୍ରି କିକ ମିଳିଥିଲେ ତାହା ଗୋଲ ସ୍କୋର ହୋଇ ପାରିନଥିଲା । ଏହାପରେ ଚତୁର୍ଥ ମିନିଟରେ ଆଉ ଏକ ସୁଯୋଗ ମିଳିଥିଲେ ବି ସେଥିରେ ମଧ୍ୟ ଭାରତ ନିରାଶ ହୋଇଥିଲା । ଏହାପରେ ୮ମ ମିନିଟରେ ସୁନୀଲ ଆଉ ବିଳମ୍ବ ନକରି ଗୋଲ ସ୍କୋର କରିଦେଇଥିଲେ । ଆଜିର ମ୍ୟାଚରେ ଦୁଇ ଟିମର ଖେଳାଳିଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ମାତ୍ର ଶେଷରେ ଭାରତ ବିଜୟୀ ହୋଇଥିଲା ।

Get real time updates directly on you device, subscribe now.