fbpx

ଭାରତକୁ ଏକସଙ୍ଗେ ମାଡ଼ି ଆସିଲା ଦୁଇଟି ବଡ଼ ବିପଦ! ୱାୟନାଡ ପରେ ଏବେ କେଦାରନାଥର ସ୍ଥିତି ଅସମ୍ଭାଳ, ଜନତା ଡାକୁଛନ୍ତି ତ୍ରାହି ତ୍ରାହି

ନୂଆଦିଲ୍ଲୀ: ଆଜିର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଯୁଗରେ ମଣିଷ ଯେତେ ବିକାଶ କଲେ ମଧ୍ୟ ପ୍ରକୃତି ଆଗରେ ଯେ ସେ ସାମାନ୍ୟ ମାତ୍ର ତାହା ପୁଣି ଥରେ ପ୍ରମାଣିତ ହୋଇଛି । କେରଳର ୱାୟନାଡରେ ପ୍ରକୃତିର ମୃତ୍ୟୁର ବିଭୀଷିକା ପରେ ଏବେ ଉତ୍ତରାଖଣ୍ଡର ସ୍ଥିତି ଅସମ୍ଭାଳ ହୋଇ ପଡ଼ିଛି । ଭୀଷଣ ବର୍ଷା କାରଣରୁ ୱାୟନାଡରେ ଦେଖାଦେଇଥିବା ଭୟଙ୍କର ଭୂସ୍ଖଳରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୩୦୦ ଟପିସାରିଥିବା ବେଳେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ୱାୟନାଡରେ ଜଣେ ଓଡ଼ିଆ ଡାକ୍ତର ମୃତ୍ୟୁବରଣ କରିବା ସହିତ ଆଉ ଜଣେ ଏବେ ବି ନିଖୋଜ ରହିଛନ୍ତି ।

ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ବିଶେଷ ଖ୍ୟାତି ଅର୍ଜନ କରିଥିବା କେରଳର ଚରଲମାଲା କ୍ଷେତ୍ର ଆଜି ଯେପରି ପ୍ରାକୃତିକ ବିପର୍ଯ୍ୟୟରେ ଶ୍ରୀହୀନ ହୋଇପଡ଼ିଛି । ଚୂରଲମାଲାରେ ସୂଚିପାରା ଝରଣା, ବେଲ୍ଲୋଲିପ୍ପାରା ଓ ସୀତା ଝରଣା ପରି କିଛି ସ୍ଥାନକୁ ଅଧିକାଂଶ ସମୟରେ ପର୍ଯ୍ୟଟକ ମନେ ଛୁଟି କଟାଇବାକୁ ଯାଇଥାନ୍ତି । ମାତ୍ର ଭୂସ୍ଖଳନ ତବାହୀ କାରଣରୁ ମାଟି, କାଦୁଅରେ ସେହି ଅଞ୍ଚଳର ନକ୍ସା ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି । ଏହି ବିପର୍ଯ୍ୟୟର ଫଟୋଗୁଡ଼ିକୁ ଦେଖିଲେ ତା’ର ସ୍ଥିତି ବିଷୟରେ ଅନେକ କିଛି ଜାଣି ହେଉଛି ଓ ଆଖିରୁ ଲୁହ ଝରି ଆସୁଛି । ଅନେକ ଲୋକଙ୍କର ମୃତ୍ୟୁ ଘଟିବା କାରଣରୁ ଅନେକ ପରିବାର ଏବେ ସର୍ବସ୍ୱାନ୍ତ ହୋଇଯାଇଛନ୍ତି । ମାଟି, କାଦୁଅ, ଗାତ ଓ ବିଶାଳକାୟ ପଥର ଭିତରୁ ଲୋକଙ୍କୁ ଉଦ୍ଧାର କରାଯାଉଛି । ଯେଉଁ ସ୍ଥାନରେ ଲୋକମାନେ ନିଜର ଆତ୍ମୀୟଙ୍କ ସହିତ ଏକାଠି ବସି ଖୁସି ମନାଉଥିଲେ, ଆଜି ସେହି ସ୍ଥାନରେ ଲୋକମାନେ ନିଜର ଲୋକମାନଙ୍କ ପାଇଁ ଆଖିରୁ ଲୁହ ଝରାଉଛନ୍ତି । ୪୫୦-୫୦୦ ଘର ରହିଥିବା ଏକ ସହରରେ ଏବେ ମାତ୍ର ୩୪-୪୯ଟି ଘର ରହିଥିବା ଜଣାପଡ଼ିଛି । ଯବାନ, ଏନଡିଆରଏଫ ଓ ପୋଲିସ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଛନ୍ତି ।

ତେବେ ୱାୟନାଡର ସ୍ଥିତି ସମ୍ପୂର୍ଣ୍ଣ ଭାବେ ସୁଧୁରିନଥିବା ବେଳେ ଏହା ମଧ୍ୟରେ ପୁଣି ଉଭା ହୋଇଛି ଆଉ ଏକ ବଡ଼ ବିପଦ । ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଓ ଝଡ଼ତୋଫାନ କାରଣରୁ କେଦାରନାଥରେ ଗତ ଦୁଇଦିନ ମଧ୍ୟରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି ଓ ୧୦ ଜଣ ଆହତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ହେଲିକପ୍ଟର ଓ ପାଦଚଲା ରେସକ୍ୟୁ ଅଭିଯାନରେ ୪ ହଜାରରୁ ଅଧିକ ଭକ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ପ୍ରବଳ ବର୍ଷା କାରଣରୁ କେଦାରନାଥ ଯାତ୍ରାକୁ ରୋକି ଦିଆଯାଇଥିଲା । ଫଳରେ ବହୁସଂଖ୍ୟକ ଲୋକ ସେଠାରେ ଫଶି ଯାଇଥିଲେ । ଏନଡିଆରଏଫ ଓ ଏସଡିଆରଏଫ ଟିମ୍ ମିଳିତ ଭାବେ ଏହି ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଛନ୍ତି । ଆଜି ଏକ ହଜାର ଲୋକଙ୍କୁ ହେଲିକପ୍ଟର ଜରିଆରେ ଉଦ୍ଧାର କରାଯିବ । ଭାରତୀୟ ବାୟୁସେନାର ବିମାନ ଏମଆଇ୧୭ଭି୫ ଓ ଚିନୁକ ନିଜର ଦକ୍ଷତା ଦେଖାଇବା ସହିତ ବିପଦ ସମୟରେ ଲୋକଙ୍କ ଜୀବନ ବଞ୍ଚାଇବାରେ ସହାୟକ ହେଉଛନ୍ତି । ଏକ ସମୟରେ ଦୁଇଟି ବିପଦ ଆସି ଉଭା ହୋଇଛି । ସତେ ଯେମିତି ଲାଗୁଛି ଭାରତ ଉପରେ ଶନି ଦଶା ପଡ଼ିଛି । ପ୍ରକୃତି ଜାଣିଶୁଣି ଭାରତ ଉପରେ ଦାଉ ସାଧୁଛି । ପ୍ରକୃତିର ଏହି ଭୟଙ୍କର ତାଣ୍ଡବରେ ଆଜି ହଜାର ହଜାର ଲୋକ ସେମାନଙ୍କର ଆତ୍ମୀୟସ୍ୱଜନଙ୍କୁ ହରାଇ ଭାଗ୍ୟକୁ ଆଦରି ରହିଛନ୍ତି ।

Get real time updates directly on you device, subscribe now.