ଅଣ୍ଡର-୧୯ ମହିଳା ଏସିଆ କପ୍ ଫାଇନାଲରେ ଭାରତ: ଡିସେମ୍ବର ୨୨ରେ ଭାରତ-ବାଂଲାଦେଶ ଟାଇଟଲ ଲଢ଼େଇ

ନୂଆଦିଲ୍ଲୀ: ୧୯ ବର୍ଷରୁ କମ୍ ମହିଳା ଏସିଆ କପ୍ ଟି-୨୦ ଫାଇନାଲରେ ପହଞ୍ଚିଛି ଭାରତ । ସୁପର-୪ ରାଉଣ୍ଡର ଦ୍ୱିତୀୟ ମ୍ୟାଚରେ ପ୍ରତିପକ୍ଷ ଶ୍ରୀଲଙ୍କାକୁ ୪ ୱିକେଟରେ ପରାସ୍ତ କରି ଟିମ୍ ଇଣ୍ଡିଆ ଏହି ସଫଳତା ହାସଲ କରିଛି । ଆସନ୍ତାକାଲି ଅର୍ଥାତ ୨୨ ତାରିଖରେ ଟାଇଟଲ୍ ପାଇଁ ଭାରତ ଓ ବାଂଲାଦେଶ ମୁହାଁମୁହିଁ ହେବେ । ସର୍ବାଧିକ ୭ ପଏଣ୍ଟ ହାସଲ କରି ଭାରତୀୟ ଦଳ ଶୀର୍ଷ ସ୍ଥାନ ଅକ୍ତିଆର କରି ଫାଇନାଲରେ ପ୍ରବେଶ କରିଥିଲା । ସେହିପରି ଅନ୍ୟ ଏକ ମ୍ୟାଚରେ ନେପାଳକୁ ୯ ୱିକେଟରେ ପରାସ୍ତ କରି ମୋଟ ୬ ପଏଣ୍ଟ ସହ ବାଂଲାଦେଶ ଫାଇନାଲରେ ପ୍ରବେଶ କରିଥିଲା ।

ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୯ ୱିକେଟ ହରାଇ ୯୮ ରନ୍ ସଂଗ୍ରହ କରିଥିଲା । ଅଧିନାୟିକା ମନୁଦି ନନୟାକାରା ୩୩ ଓ ସୁମୁଡୁ ନିଶାନସାଲା ୨୧ ରନକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ସିଂହଳି ବ୍ୟାଟ୍ସମ୍ୟାନ ୨ ଅଙ୍କ ଛୁଇଁ ପାରିନଥିଲେ । ଭାରତ ପକ୍ଷରୁ ଆୟୁଷୀ ୪ଟି, ପାରୁଣିକା ସିସୋଦିଆ ୨ଟି ୱିକେଟ ଅକ୍ତିଆର କରିଥିଲେ । ୯୯ ରନର ଟାର୍ଗେଟ ପିଛା କରିବାକୁ ଯାଇ ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳ ମାତ୍ର ୫ ରନରେ ୨ଟି ୱିକେଟ ହରାଇ ବଡ଼ ସଙ୍କଟରେ ପଡ଼ିଥିଲା । ଶେଷରେ ଭାରତ ୬ଟି ୱିକେଟ ହରାଇ ୩୧ଟି ବଲ୍ ବାକି ଥାଇ ବିଜୟ ହାସଲ କରିନେଇଥିଲା । ଭାରତୀୟ ସ୍ପିନର ଆୟୁଷୀଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା ।