fbpx
BJD SKY
BJD SKY

ଦେଶରେ ପ୍ରାୟ ୯ ହଜାର ବ୍ଲାକ୍ ଫଙ୍ଗସ୍ ଆକ୍ରାନ୍ତ ଚିହ୍ନଟ, କେନ୍ଦ୍ରମନ୍ତ୍ରୀ ଦେଲେ ତାଲିକା

BJD

ନୂଆଦିଲ୍ଲୀ: ମହାମାରୀ କରୋନାର କାୟା ବିସ୍ତାର ଓ ପ୍ରକୋପ କମିନାହିଁ । ଏହି ଭୂତାଣୁର ଦ୍ୱିତୀୟ ତରଙ୍ଗରେ ଦେଶ କଲବଲ ହୋଇପଡ଼ିଛି । ଏଭଳି ସ୍ଥିତିରେ ଆଉ ଏକ ମହାମାରୀ ବ୍ୟାପିବାରେ ଲାଗିଛି । ବ୍ଲାକ୍ ଫଙ୍ଗସ୍ ପାଇଁ ସମଗ୍ର ଦେଶରେ ଚିନ୍ତା ବଢ଼ି ଯାଇଥିବାବେଳେ ମୋଟ ୮,୮୪୮ ଜଣ ଏଥିରେ ଆକ୍ରାନ୍ତ ହୋଇଥିବା କେନ୍ଦ୍ର ସରକାର ସୂଚନା ଦେଇଛନ୍ତି । ରାଜ୍ୟ ଅନୁସାରେ ଏହାର ତାଲିକା ମଧ୍ୟ ପ୍ରଦାନ କରିଛନ୍ତି କେନ୍ଦ୍ର ରସାୟନ ମନ୍ତ୍ରୀ ସଦାନନ୍ଦ ଗୌଡ଼ା ।

ମନ୍ତ୍ରୀଙ୍କ ସୂଚନା ଅନୁସାରେ, ବ୍ଲାକ୍ ଫଙ୍ଗସ୍ରେ ଅଧିକ ଆକ୍ରାନ୍ତ ହୋଇଥିବା ରାଜ୍ୟ ହେଉଛି ଗୁଜରାଟ । ଗୁଜରାଟରେ ୨,୨୮୧ ଜଣ ସଂକ୍ରମିତ ହୋଇଥିବାବେଳେ ୫, ୮୦୦ ଶିଶି ଇଞ୍ଜେକ୍ସନ ଦିଆଯାଇଛି । ସେହିପରି ଦ୍ୱିତୀୟ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରକୁ ୫,୦୯୦ ଶିଶି, ଆନ୍ଧ୍ର ପ୍ରଦେଶରେ ୯୧୦ ଜଣ ରୋଗୀଙ୍କ ଚିକିତ୍ସା ପାଇଁ ୨,୩୦୦ ଶିଶି ଏବଂ ପଡ଼ୋଶୀ ତେଲେଙ୍ଗାନାରେ ୩୫୦ ସଂକ୍ରମିତ ଥିବାବେଳେ ୮୯୦ ଶିଶି ପ୍ରଦାନ କରାଯାଇଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ଗୌଡ଼ା ପ୍ରକାଶ କରିଛନ୍ତି ।

ଏନେଇ ମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ଯେ, ବିଭିନ୍ନ ରାଜ୍ୟରେ ନୂଆ ମହାମାରୀ ବଢୁଥିବା ସ୍ଥିତିକୁ ସମୀକ୍ଷା କରାଯିବା ପରେ ସଂକ୍ରମଣ ପ୍ରତିହତ ପାଇଁ ଏକ ପ୍ରଭାବଶାଳୀ ଇଞ୍ଜେକ୍ସନ୍ (ଏମ୍ଫୋଟେରିସୀନ୍-ବି) ପ୍ରାୟ ୨୩,୬୮୦  ଶିଶି ରାଜ୍ୟଗୁଡ଼ିକୁ ଆବଣ୍ଟିତ କରାଯାଇଛି । ଦେଶର ରାଜଧାନୀ ଦିଲ୍ଲୀରେ ୧୯୭ ଜଣ ବ୍ଲାକ୍ ଫଙ୍ଗସ୍ ଚିହ୍ନଟ ହୋଇଥିବାବେଳେ ସେହି ଅନୁସାରେ ୬୭୦ ଶିଶି ଦିଆଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ବ୍ଳାକ୍ ଫଙ୍ଗସ୍ ଆକ୍ରାନ୍ତ ଶତାଧିକ ବ୍ୟକ୍ତିଙ୍କ ଲକ୍ଷଣ ଅନୁସାରେ ଆଖି, ନାକ ଆଦି ପ୍ରଭାବିତ ହେଉଥିବା ଦେଖିବାକୁ ମିଳୁଛି । ଏପରିକି ମସ୍ତିଷ୍କ ପର୍ଯ୍ୟନ୍ତ ସଂକ୍ରମଣ ବ୍ୟାପିପାରେ ବୋଲି କୁହାଯାଉଛି । ତେଣୁ ଏହାକୁ ମହାମାରୀ ଭାବେ ସରକାର ଘୋଷଣା କରିସାରିଛନ୍ତି । ଅନ୍ୟପକ୍ଷରେ ଏଥିପାଇଁ ଔଷଧ ପ୍ରସଙ୍ଗରେ କେନ୍ଦ୍ର ସରକାର କହିଛନ୍ତି ଯେ ଅତିକମରେ ୧୧ କମ୍ପାନିକୁ ବ୍ଲାକ୍ ଫଙ୍ଗସ୍ ଚିକିତ୍ସା ପାଇଁ ଔଷଧ ପ୍ରସ୍ତୁତି ପାଇଁ ଅନୁମତି ଦିଆଯାଇଛି । କିନ୍ତୁ କେତେକେ ଡାକ୍ତରଙ୍କ କହିବା ହେଲା କୋଭିଡ୍ ଚିକିତ୍ସା ପାଇଁ ଷ୍ଟେରଏଡ୍ ର ବହୁଳ ଉପଯୋଗ ଫଳରେ ଏଭଳି ନୂଆ ସଂକ୍ରମଣ ଅଧିକ ଚିହ୍ନଟ ହେଉଛନ୍ତି । ବିଶେଷକରି ମଧୁମେହ (ଡାଇବେଟିସ୍) ଓ କମ୍ ଇମ୍ୟୁନିଟ୍ ଥିବା କରୋନା ଆକ୍ରାନ୍ତମାନେ ବ୍ଲାକ୍ ଫଙ୍ଗସର ଶୀକାର ହେବାର ଆଶଙ୍କା ରହିଛି ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.