fbpx

ଏସିଆ କପ୍ ପାଇଁ ପାକିସ୍ତାନ ଯିବା ଉଚିତ ନୁହେଁ: ସୁରକ୍ଷା ବ୍ୟବସ୍ଥାକୁ ନେଇ ହରଭଜନଙ୍କ ବୟାନ

ନୂଆଦିଲ୍ଲୀ: ଚଳିତବର୍ଷ ହେବାକୁ ଥିବା ଏସିଆ କପକୁ ନେଇ ଆଶଙ୍କା ଲାଗି ରହିଛି । ଏହି ଟୁର୍ଣ୍ଣାମେଣ୍ଟ ପାକିସ୍ତାନରେ ଆୟୋଜନ ହେବାକୁ ଥିବା ବେଳେ ଭାରତ ଏଥିରେ ଭାଗ ନେବାକୁ ମନା କରି ଦେଇଛି । ତେବେ ଭାରତ ଏସିଆ କପରେ ଭାଗ ନ ନେଲେ ପାକିସ୍ତାନ ଦିନିକିଆ ବିଶ୍ୱକପରୁ ଓହରିଯିବା ପାଇଁ ମଧ୍ୟ ଚେତାବନୀ ଦେଇଛି । ଏହି ବିବାଦକୁ ନେଇ ଉଭୟ ଦେଶର ଅନେକ ପୂର୍ବତନ ଖେଳାଳି ନିଜ ନିଜ ମତ ରଖିଛନ୍ତି । ବର୍ତ୍ତମାନ ଏହି ତାଲିକାରେ ଯୋଡି ହୋଇଛି ପୂର୍ବତନ ଅଫ ସ୍ପିନର ହରଭଜନ ସିଂହଙ୍କ ନାଁ ।

ଏସିଆ କପ ଖେଳିବା ପାଇଁ ଭାରତ ପାକିସ୍ତାନ ଯିବା ଉଚିତ ନୁହେଁ ବୋଲି କହିଛନ୍ତି ହରଭଜନ । ତେବେ ଏହାର ସବୁଠୁ ବଡ କାରଣ ପାଲଟିଛି ପାକିସ୍ତାନର ସୁରକ୍ଷା ବ୍ୟବସ୍ଥା । ଯେଉଁ ଦେଶରେ ନିଜ ଖେଳାଳିମାନେ ସୁରକ୍ଷିତ ନୁହନ୍ତି, ସେମାନେ ଅନ୍ୟ ଦେଶର ସୁରକ୍ଷା କିପରି କରିବେ ବୋଲି ହରଭଜନ ପ୍ରଶ୍ନବାଣ କରିଛନ୍ତି । ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ପାକିସ୍ତାନ ଯିବା ଭାରତୀୟ ଖେଳାଳିମାନଙ୍କ ପାଇଁ ସୁରକ୍ଷିତ ନୁହେଁ ବୋଲି କହିଛନ୍ତି ହରଭଜନ । କିଛି ଦିନ ତଳେ ଏକ ଘରୋଇ ଲିଗ ମ୍ୟାଚ ଖେଳାଯାଉଥିବା ସମୟରେ ଷ୍ଟାଡିୟମ ନିକଟରେ ବିସ୍ଫୋରଣ ହୋଇଥିଲା । ଏହି ସମୟରେ ପଡିଆରେ ପାକିସ୍ତାନ ଅଧିନାୟକ ବାବର ଆଜମ ଏବଂ ପୂର୍ବତନ ଖେଳାଳି ଶାହିଦ ଆଫ୍ରିଦି ଉପସ୍ଥିତ ରହିଥିଲେ । ଏହି ଘଟଣାକୁ ନେଇ ହରଭଜନ ପାକିସ୍ତାନର ସୁରକ୍ଷା ବ୍ୟବସ୍ଥାକୁ କଟାକ୍ଷ କରିଛନ୍ତି ।

ଏସିଆ କପ ଆୟୋଜନକୁ ନେଇ ବିସିସିଆଇ ସମ୍ପାଦକ ଜୟ ଶାହ ଏବଂ ପିସିବି ଅଧ୍ୟକ୍ଷ ନଜମ ସେଠୀ ଆନୁଷ୍ଠାନିକ ଭାବେ ଆଲୋଚନା କରିଥିଲେ । ତେବେ ଏହି ଆଲୋଚନାର କୌଣସି ସ୍ପଷ୍ଟ ନିଷ୍ପତ୍ତି ମିଳିପାରିନାହିଁ । ସେପଟେ ଜୟ ଶାହ ଏସୀୟ କ୍ରିକେଟ ପରିଷଦର ଅଧ୍ୟକ୍ଷ ପଦରେ ରହିଥିବାରୁ ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପାକିସ୍ତାନରେ ଟୁର୍ଣ୍ଣାମେଣ୍ଟ ଆୟୋଜନକୁ ବିରୋଧ କରି ଆସୁଛନ୍ତି । ତେବେ ଆୟୋଜକ ଭାବରେ ଏସିଆ କପ ଅନ୍ୟତ୍ର ଏକ ନିରପେକ୍ଷ ସ୍ଥାନରେ କରୁ ବୋଲି କହିଛନ୍ତି ଜୟ ଶାହ ।

Get real time updates directly on you device, subscribe now.