fbpx
BSKY
BJD SHG SKY
BJD YOUTH SKY

ଭାରତକୁ ୬ଟି ସ୍ୱର୍ଣ୍ଣ: ୧୭ରେ ପହଞ୍ଚିଲା ମୋଟ ପଦକ ସଂଖ୍ୟା, ଭାରତ ତୃତୀୟ ସ୍ଥାନରେ

ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉଠାରେ ଗତ ୨୨ ତାରିଖଠାରୁ ଆରମ୍ଭ ହୋଇଥିବା ୪ର୍ଥ ଏସୀୟ ପାରା କ୍ରୀଡ଼ାରେ ଭାରତ ଶାନଦାର ପ୍ରଦର୍ଶନ କରିଛି । ଭାରତୀୟ କ୍ରୀଡ଼ାବିତମାନେ ବର୍ତ୍ତମାନ ସୁଦ୍ଧା ୬ଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଓ ୫ଟି ବ୍ରୋଞ୍ଜ ପଦକ ଜିତିବା ସହିତ ମୋଟ ପଦକ ସଂଖ୍ୟା ୧୭ରେ ପହଞ୍ଚିଛି । ଏହାଫଳରେ ଭାରତ ତୃତୀୟ ସ୍ଥାନରେ, ୭ଟି ସ୍ୱର୍ଣ୍ଣ ସହ ଆଇଆର ଇରାନ ଦ୍ୱିତୀୟ ସ୍ଥାନରେ ଓ ୨୦ଟି ସ୍ୱର୍ଣ୍ଣ ସହ ଚୀନ ପ୍ରଥମ ସ୍ଥାନରେ ରହିଛି ।

ପୁରୁଷ କ୍ଲବ ଥ୍ରୋ ଏଫ୫୧ ଇଣ୍ଟେରେ ପ୍ରଣବ ସୁର୍ମା ସ୍ୱର୍ଣ୍ଣ ସହିତ ଭାରତୀୟ ଦଳ ୩ଟି ପଦକ ଜିତିଥିଲା । ୨୯ ବର୍ଷୀୟ ସୁର୍ମା ଏସୀୟ ପାରା କ୍ରୀଡ଼ାରେ ନୂଆ ରେକର୍ଡ କରିଥିଲେ । ପୁରୁଷ ହାଇ ଜମ୍ପ ଟି୬୩ ବର୍ଗରେ ଭାରତକୁ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ମିଳିଥିଲା । ଶୈଲେଶ କୁମାର ସ୍ୱର୍ଣ୍ଣ ଓ ମେରିୟାପ୍ପାନ ଥାଙ୍ଗାଭେଲୁ ରୌପ୍ୟ ଜିତିଥିଲେ । ନିଶାଦ କୁମାର ଭାରତ ପାଇଁ ପୁରୁଷ ହାଇ ଜମ୍ପରେ ତୃତୀୟ ସ୍ୱର୍ଣ୍ଣ ଜିତିଥିବା ବେଳେ ରାମ ପାଲ ବ୍ରୋଞ୍ଜ ଜିତିଥିଲେ । ମହିଳା ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡ ଏସଏଚ୧ ଫାଇନାଲରେ ଅବନୀ ଲେଖାରା ଚତୁର୍ଥ ସ୍ୱର୍ଣ୍ଣ ଜିତିଥିଲେ । ପୁରୁଷ ୫୦୦୦ ମିଟର-ଟି୧୧ ବର୍ଗରେ ଅଙ୍କୁର ଧାମା ୫ମ ସ୍ୱର୍ଣ୍ଣ ଜିତିଥିଲେ ।

ଏହି ଇଭେଣ୍ଟରେ ଚଳିତ ଥର ୩୦୯ ଜଣ ଭାରତୀୟ ଆଥଲେଟ୍ ଭାଗନେଉଥିବା ବେଳେ ସେଥିମଧ୍ୟରେ ୧୯୬ ଜଣ ପୁରୁଷ ଓ ୧୧୩ ଜଣ ମହିଳା ରହିଛନ୍ତି । ୪ ବର୍ଷ ପୂର୍ବେ ଅନୁଷ୍ଠିତ ହୋଇଥିବା ଜାକର୍ତ୍ତା ସଂସ୍କରଣରେ ଭାରତ ୧୮ ଜଣ ଆଥଲେଟ୍ ଅଂଶଗ୍ରହଣ କରିଥିଲେ । ଏଥିରେ ଓଡ଼ିଶାରୁ ୭ ଜଣ କ୍ରୀଡ଼ାବିତ ଭାଗ ନେଇଛନ୍ତି । ବ୍ୟାଡମିଣ୍ଟନରେ ପ୍ରମୋଦ ଭଗତ, ଦୌଡ଼କୁଦରେ ଜୟନ୍ତୀ ବେହେରା, ଦୃଷ୍ଟିହୀନ ଚେସରେ ସୌନ୍ଦର୍ଯ୍ୟକୁମାର ପ୍ରଧାନ, ହ୍ୱିଲଚେୟାର ଫେନ୍ସିରେ ପୂଜାସ୍ୱିନୀ ନାୟକ, ରାଖାଲ କୁମାର ସେଠୀ, ଭି. ରମେଶ ରାଓ ଓ ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ ନିଜର ପ୍ରତିଭା ପ୍ରଦର୍ଶନ କରିବେ ।

Get real time updates directly on you device, subscribe now.