fbpx

ସ୍ୱର୍ଣ୍ଣ ପରେ ସ୍ୱର୍ଣ୍ଣ: ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନରେ ପୁଣି ଏକ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ

Advertisement

ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉଠାରେ ଚାଲିଥିବା ଏସୀୟ ପାରା କ୍ରୀଡ଼ାର ଆଜି ହେଉଛି ପଞ୍ଚମ ଦିବସ । ପ୍ରଥମ ଦିନରେ ଭାରତ ୬ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ, ଦ୍ୱିତୀୟ ଦିନରେ ୩ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ, ତୃତୀୟ ଦିନରେ ୬ଟି ସ୍ୱର୍ଣ୍ଣ ସହିତ ୩୦ଟି ପଦକ ଓ ଚତୁର୍ଥ ଦିନରେ ୩ଟି ସ୍ୱର୍ଣ୍ଣ ସହିତ ୧୮ଟି ପଦକ ଜିତିଥିଲା । ଏହା ଫଳରେ ଭାରତର ମୋଟ ପଦକ ସଂଖ୍ୟା ୮୨ରେ ପହଞ୍ଚିବା ସହିତ ସେଥିରେ ୧୮ଟି ସ୍ୱର୍ଣ୍ଣ, ୨୩ଟି ରୌପ୍ୟ ଓ ୪୧ଟି ବ୍ରୋଞ୍ଜ ପଦକ ସାମିଲ ରହିଥିଲା ।

ଆଜି ପଞ୍ଚମ ଦିନରେ ଭାରତ ଉଚ୍ଚକୋଟୀର ପ୍ରଦର୍ଶନ କରିବା ସହିତ ସ୍ୱର୍ଣ୍ଣ ପରେ ସ୍ୱର୍ଣ୍ଣ ପଦକ ଜିତିଚାଲିଛି । ମହିଳା ସିଙ୍ଗଲ୍ସ ଏସୟୁ୫ ବ୍ୟାଡମିଣ୍ଟନରେ ଭାରତ ଜିତିଛି ପୁଣି ଏକ ସ୍ୱର୍ଣ୍ଣ । ଭାରତର ଥୁଲାସିମାଥି ସୁନ୍ଦରେସାନ ପ୍ରତିପକ୍ଷ ଚୀନର ୟାଙ୍ଗ କିୟୁଜିଆଙ୍କୁ ସିଧାସଳଖ ଭାବେ ୨୧-୧୯, ୨୧-୧୯ ସେଟରେ ପରାସ୍ତ କରିଛନ୍ତି । ଏହା ଆଜି ପାଇଁ ଭାରତର ପଞ୍ଚମ ସ୍ୱର୍ଣ୍ଣ ହୋଇଥିବା ବେଳେ ମୋଟ ସ୍ୱର୍ଣ୍ଣ ପଦକ ୨୩ରେ ପହଞ୍ଚିଛି ।

ଏହା ପୂର୍ବରୁ ଆଜି ଭାରତ ପ୍ରଥମେ ପୁରୁଷ ଏଫ୬୪ ଡିସକସ୍ ଥ୍ରୋ’ରେ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ପୋଛି ନେଇଥିଲା । ଦେବେନ୍ଦର କୁମାର ସ୍ୱର୍ଣ୍ଣ, ପ୍ରଦୀପ କୁମାର ରୌପ୍ୟ ଓ ସୌରଭ ବ୍ରୋଞ୍ଜ ପଦକ ଜିତିଥିଲେ । ଏହାପରେ ଟି୩୮ ୧୫୦୦ ଇଭେଣ୍ଟରେ ରମଣ ଶର୍ମା ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ଜିତିଥିଲେ । ମହିଳା ଇଣ୍ଡିଭିଜୁଆଲ କମ୍ପାଉଣ୍ଡ ଆର୍ଚେରୀରେ ଶୀତଲ ଦେବୀ ତୃତୀୟ ସ୍ୱର୍ଣ୍ଣ ପଦକ ଜିତିଥିଲେ । ପ୍ରମୋଦ ଭଗତ ପୁରୁଷ ସିଙ୍ଗଲ୍ସ ବ୍ୟାଡମିଣ୍ଟନରେ ଦେଶ ପାଇଁ ଚତୁର୍ଥ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

ହାଙ୍ଗଝୋଉ ସଂସ୍କାରଣରେ ଭାରତ ସର୍ବାଧିକ ପଦକ ଜିତିବା ସହିତ ସର୍ବାଧିକ ସ୍ୱର୍ଣ୍ଣ ପଦକ ଜିତି ନୂଆ ରେକର୍ଡ ସୃଷ୍ଟି କରିଛି । ଚଳିତ ବର୍ଷ ଏହି ଇଭେଣ୍ଟରେ ମୋଟ ୩୦୯ ଜଣ ଭାରତୀୟ ଆଥଲେଟ୍ ଭାଗ ନେଉଥିବା ବେଳେ ସେଥିମଧ୍ୟରେ ୧୯୬ ଜଣ ପୁରୁଷ ଓ ୧୧୩ ଜଣ ମହିଳା ରହିଛନ୍ତି । ୪ ବର୍ଷ ପୂର୍ବେ ଅନୁଷ୍ଠିତ ହୋଇଥିବା ଇଣ୍ଡୋନୋସିଆର ଜାକର୍ତ୍ତା ସଂସ୍କରଣରେ ଭାରତର ୧୮୮ ଜଣ ଆଥଲେଟ୍ ଅଂଶଗ୍ରହଣ କରିଥିଲେ ।

Get real time updates directly on you device, subscribe now.