fbpx

DeepFake ଭିଡିଓ ପାଇଁ ଚିନ୍ତାରେ ଭାରତ: ୧୦ ଦିନ ଭିତରେ ଲାଗୁ ହେବ ଏହିସବୁ ଆଇନ!

Advertisement

ନୂଆଦିଲ୍ଲୀ: ବଲିଉଡ ସୁନ୍ଦରୀ ରଶ୍ମିକା ମନ୍ଧାନାଙ୍କ ଭିଡିଓ ଭାଇରାଲ ହେବା ପରେ ସାରା ଦେଶରେ ଏହାକୁ ନେଇ ଅଜଣା ଭୟ ସୃଷ୍ଟି ହୋଇଛି । କେବଳ ରଶ୍ମିକା ନୁହେଁ, ଏହାପରେ କ୍ୟାଟ୍ରିନା କୈଫ ଏବଂ କାଜୋଲଙ୍କ ଡିପ୍ ଫେକ୍ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏଭଳି ଡିପ୍ ଫେକ୍ ଭିଡିଓକୁ ଲୋକତନ୍ତ୍ର ଉପରେ ଏକ ବଡ଼ ବିପଦ ବୋଲି କହିଛନ୍ତି ଆଇ.ଟି ମିନିଷ୍ଟର ଅଶ୍ୱିନୀ ବୈଷ୍ଣବ । ତେଣୁ ଏହାକୁ ରୋକିବା ପାଇଁ ଆସନ୍ତା ୧୦ ଦିନ ମଧ୍ୟରେ ନୂଆ ନିୟମ ପ୍ରସ୍ତୁତ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ସରକାର । ଏଭଳି ଡିପ୍-ଫେକ୍ ଭିଡିଓ ଅପଲୋଡ କରୁଥିବା ବ୍ୟକ୍ତି/ସଂସ୍ଥା ଏବଂ ଏହାର ପ୍ଲାଟଫର୍ମ ଉପରେ ଜରିମାନା ଲାଗୁ କରାଯିବ ।

ଭାରତ ସହିତ ଆହୁରି ଅନେକ ରାଷ୍ଟ୍ର ଏହି ଡିପ୍ ଫେକ୍ ଭିଡିଓକୁ ନେଇ ଚିନ୍ତାରେ ରହିଛନ୍ତି । ଚୀନରେ ଏହାକୁ ନେଇ ଆଇନ୍ ପ୍ରସ୍ତୁତ ହୋଇ ସାରିଥିବା ବେଳେ ୟୁରୋପୀୟ ଦେଶରେ ଏହାର ଗାଇଡଲାଇନ୍ ପାଇଁ ଚେଷ୍ଟା ଜାରି ରହିଛି । ଚୀନ ଗତ ଜାନୁୟାରୀରୁ ଡିପ୍-ଫେକ୍ ଭିଡିଓ ଉପରେ ଆଇନ ଲାଗୁ କରିବା ନେଇ ଘୋଷଣା କରିଥିଲା । ଏହି ନିୟମରେ ଚୀନ କହିଛି ଯେ, ଏହି କୌଶଳରେ କୌଣସି ଭିଡିଓ ପ୍ରସ୍ତୁତ ହେଲେ, ଭିଡିଓରେ ଥିବା ବ୍ୟକ୍ତିଙ୍କ ଅନୁମତି ନିହାତି ଆବଶ୍ୟକ । କୌଣସି ମିଥ୍ୟା ଖବର ପ୍ରସାରଣ ପାଇଁ ଡିପ୍-ଫେକ୍ କୁ ବ୍ୟବହାର କରାଯାଇ ପାରିବ ନାହିଁ । ଯଦି କେହି ଡିପ୍-ଫେକ୍ ଭିଡିଓ ପ୍ରସ୍ତୁତ କରିଥାନ୍ତି, ତେବେ ଏହି ଫଟୋ ବା ଭିଡିଓରେ ଏଡିଟ କରାଯାଇଥିବା କହିବାକୁ ବାଧ୍ୟ ହେବେ ଅପଲୋଡ କରୁଥିବା ସଂସ୍ଥା/ବ୍ୟକ୍ତି । ଭିଡିଓକୁ ରିଲିଜ କରିବା ସମୟରେ ଏଥିରେ ଡିସକ୍ଲାଇମର ରହିବା ଆବଶ୍ୟକ ।

ତେବେ ଯଦି ସେମାନଙ୍କ ଭିଡିଓ ବା କଣ୍ଟେଣ୍ଟ ବର୍ତ୍ତମାନ ନିୟମର ବିରୁଦ୍ଧ ହୋଇଥାଏ, କିମ୍ବା ଦେଶର ସୁରକ୍ଷା ପ୍ରତି କୌଣସି ବାଧା ସୃଷ୍ଟି ହୁଏ, ବା ଅର୍ଥବ୍ୟବସ୍ଥାକୁ କ୍ଷତି ପହଞ୍ଚାଏ… ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଚୀନରେ ଏହି ନିୟମର ପାଳନ ଉପରେ ନଜର ରଖିବାକୁ ଦେଶର ସାଇବରସ୍ପେସ ଆଡମିନିଷ୍ଟ୍ରେସନ ଦାୟିତ୍ୱ ନେଇଛି । ଏହାପୂର୍ବରୁ ଚୀନରେ ଡାଟା ପ୍ରୋଟେକ୍ସନ ଉପରେ ମଧ୍ୟ ନିୟମ ଆସିଥିଲା ।

Get real time updates directly on you device, subscribe now.