fbpx

ଭାରତର ‘ବିଜୟୀ ଚୌକା’: ବାଂଲାଦେଶ ବିପକ୍ଷରେ ଶତକ ସହ ମ୍ୟାଚ ଜିତାଇଲେ କୋହଲି

Advertisement

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷରେ ମଧ୍ୟ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଚଳିତ ବିଶ୍ୱକପରେ ଲଗାତାର ଚତୁର୍ଥ ବିଜୟ ନିଜ ନାମରେ କରିଛି ରୋହିତ ସେନା । ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଏହି ମ୍ୟାଚରେ ଦମଦାର ଶତକ ସହ ଭାରତର ସବୁ କ୍ରୀଡ଼ାପ୍ରେମୀଙ୍କୁ ଦଶହରାର ଭେଟି ଦେଇଛନ୍ତି । ବାଂଲାଦେଶର ୨୫୭ ରନ୍ ଟାର୍ଗେଟକୁ ମାତ୍ର ୪୧ ଓଭରରେ ହାସଲ କରିବାରେ ସଫଳ ହୋଇଛି ମେନ୍ ଇନ୍ ବ୍ଲୁ । ବାଂଲାଦେଶ ବିପକ୍ଷ ଏହି ଶତକ ସହ ନିଜର ୪୮ତମ ଶତକ ହାସଲ କରିଛନ୍ତି ବିରାଟ କୋହଲି । ୪୨ ତମ ଓଭରର ତୃତୀୟ ବଲରେ ଛକା ମାରି ଏହି ଟାର୍ଗେଟ ହାସଲ କରିଛନ୍ତି କିଙ୍ଗ କୋହଲି ।

ଅଷ୍ଟ୍ରେଲିଆ, ଆଫଗାନିସ୍ତାନ ଏବଂ ପାକିସ୍ତାନ ପରେ ବାଂଲାଦେଶ ମଧ୍ୟ ଟିମ ଇଣ୍ଡିଆର ଶିକାର ପାଲଟିଛି । ବିରାଟଙ୍କ ବିସ୍ଫୋରକ ଶତକ ଏବଂ ଶୁଭମନ ଗିଲଙ୍କ ଅର୍ଦ୍ଧଶତକ ସହିତ ଭାରତୀୟ ଟିମ ଚଳିତ ବିଶ୍ୱକପର ଚତୁର୍ଥ ବିଜୟ ନିଜ ନାମରେ କରିଛି । ବାଂଲାଦେଶର ୨୫୭ ରନ୍ ଟାର୍ଗେଟକୁ ପିଛା କରି ଦମଦାର ଆରମ୍ଭ କରିଥିଲେ ଅଧିନାୟକ ରୋହିତ ଏବଂ ଶୁଭମନ ଗିଲ୍ । ତେବେ ରୋହିତ ମାତ୍ର ୨ ରନରେ ନିଜ ଅର୍ଦ୍ଧଶତକରୁ ବଞ୍ଚିଯାଇଛନ୍ତି । ୪୦ ବଲରେ ୪୮ ରନ୍ କରି ରୋହିତ ପାଭିଲିୟନ ଫେରିଯାଇଥିବା ବେଳେ ଗିଲ୍ ମଧ୍ୟ ୫୩ ରନ୍ କରି ଆଉଟ ହୋଇଥିଲେ । ଏହାପରେ ବାଂଲାଦେଶ ବିପକ୍ଷରେ ଆରମ୍ଭ ହୋଇଥିଲା ବିରାଟ ଶୋ’ । ବାଂଲାଦେଶୀ ବୋଲରଙ୍କୁ ଟାର୍ଗେଟ କରି ନିଜ ଶତକ ହାସଲ କରିଛନ୍ତି ରନ୍ ମେସିନ୍ ବିରାଟ । ୯୭ ବଲରୁ ୬ଟି ଚୌକା ଏବଂ ୪ଟି ଛକା ସହ ଭାରତକୁ ଆଉ ଏକ ବଡ଼ ବିଜୟ ଦେଇଛନ୍ତି କିଙ୍ଗ କୋହଲି । ଫଳରେ ମାତ୍ର ୪୧.୩ ଓଭରରେ ବିଜୟ ହାସଲ କରି ନେଇଛି ଭାରତ । ଏହି ଶତକୀୟ ଇନିଂସ ପାଇଁ ବିରାଟଙ୍କୁ ପ୍ଲେୟର ଅଫ୍ ଦ ମ୍ୟାଚ ଭାବରେ ବିବେଚିତ କରାଯାଇଛି ।

ବିରାଟ କୋହଲି ଏହି ଶତକ ସହ ଦୁଇଟି ରେକର୍ଡ ନିଜ ନାମରେ କରିଛନ୍ତି ବିରାଟ । ଶତକ ଦ୍ୱାରା ବିଶ୍ୱର ଚତୁର୍ଥ ବ୍ୟାଟର ଭାବରେ ୨୬ ହଜାର ରନ୍ ପୂରଣ କରିଛନ୍ତି କୋହଲି । ଏହାସହିତ ସଚିନଙ୍କ ପରେ ସର୍ବାଧିକ ଶତକ ହାସଲ କରିବାରେ ମଧ୍ୟ ସେ ଦ୍ୱିତୀୟ କ୍ରିକେଟର ପାଲଟିଛନ୍ତି । ଏହି ଶତକ ସହ କ୍ୟାରିୟରର ୪୮ତମ ଶତକ ନିଜ ନାମରେ କରିଛନ୍ତି ଚେଜ୍ ମାଷ୍ଟର କୋହଲି । ବିରାଟଙ୍କ ବ୍ୟତୀତ ମ୍ୟାଚରେ ଶୁଭମନ ଗିଲ ଦମଦାର ଅର୍ଦ୍ଧଶତକ ହାସଲ କରିଛନ୍ତି । ଏହାବ୍ୟତୀତ କେ.ଏଲ ରାହୁଲ ୩୪ ରନ୍ କରି ଅପରାଜିତ ରହିଛନ୍ତି ।

ତେବେ ବାଂଲାଦେଶ ପକ୍ଷରୁ ମେହେଦୀ ହସନ୍ ୨ଟି ୱିକେଟ ହାସଲ କରିଥିବା ବେଳେ ହସନ୍ ମହମୁଦ ଗୋଟିଏ ୱିକେଟ ପାଇଛନ୍ତି । ଏହାବ୍ୟତୀତ ଅନ୍ୟ କୌଣସି ବୋଲର ସଫଳତା ପାଇବାରେ ସମର୍ଥ ହୋଇନାହାନ୍ତି । ତେବେ ବାଂଲାଦେଶ ବିପକ୍ଷ ମ୍ୟାଚରେ ବିଶ୍ୱକପର ଚତୁର୍ଥ ବିଜୟ ଭାରତ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି । ନ୍ୟୁଜିଲାଣ୍ଡ ଏବଂ ଭାରତ ଉଭୟ ଦଳ ୮ ପଏଣ୍ଟ ସହ ରହିଥିବା ବେଳେ ରବିବାର ଉଭୟ ଦଳ ମୁହାଁମୁହିଁ ହେବାକୁ ଯାଉଛନ୍ତି ।

Get real time updates directly on you device, subscribe now.