fbpx

ନିବେଶକ ଏବଂ କମ୍ପାନୀଗୁଡିକର ପ୍ରଥମ ପସନ୍ଦ ପାଲଟିଛି ଗୁଜରାଟ, ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ: ଭୌଗଳିକ ଅବସ୍ଥିତି ଏବଂ ବ୍ୟବସାୟ ଅନୁକୂଳ ନୀତି ସହିତ ଗୁଜୁରାଟ ଘରୋଇ ଏବଂ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ ପାଇଁ ଗନ୍ତବ୍ୟସ୍ଥଳ ପାଲଟିଛି। ଯେଉଁଥିପାଇଁ ଦେଶର ପ୍ରମୁଖ କ୍ଷେତ୍ର ଗୁଡ଼ିକର ନିବେଶକ ଏବେ ଗୁଜରାଟକୁ ଛୁଟିଛନ୍ତି। ନିକଟରେ ଆଇଫୋନ୍ ନିର୍ମାତା ଫକ୍ସକୋନ୍ ଏବଂ ବେଦାନ୍ତ ମିଳିତ ଭାବେ ସେମିକଣ୍ଡକ୍ଟର ନିର୍ମାଣ କରିବା ପାଇଁ ଗୁଜରାଟରେ ନିବେଶ କରିଛନ୍ତି। ଯାହା ଦେଶ ସ୍ୱାଧିନ ହେବା ପରେ ଦେଶରେ ସବୁଠାରୁ ବଡ଼ ନିବେଶ ବୋଲି କୁହାଯାଉଛି।

ତେବେ ଗୁଜରାଟ ନିବେଶକମାନଙ୍କର ପ୍ରଥମ ପସନ୍ଦ ପାଲଟିବାର ଅନେକ କାରଣ ରହିଛି। ସର୍ବପ୍ରଥମେ ରାଜ୍ୟରେ ଶିଳ୍ପ ପାଇଁ ରାଜ୍ୟ ସରକାରଙ୍କର ନୀତି ଏବଂ ନିବେଶକଙ୍କ ପାଇଁ ଉନ୍ନତ ମାନର ଭିତ୍ତୀଭୁମି ଏକ ବଡ କାରଣ ଅଟେ। ଯେଉଁଥିପାଇଁ ଅତିତରେ ଦେଖିବାକୁ ମିଳିଛି ଯେ, ଉତ୍ପାଦନ କ୍ଷମତା, ପୁଞ୍ଜି ବିନିଯୋଗର ସୁଯୋଗ, କାର୍ଯ୍ୟକ୍ଷମ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ ଏବଂ ଶିଳ୍ପ ସେଟଅପ୍‌, ଲଜିଷ୍ଟିକ୍ସ ଏବଂ କନେକ୍ଟିଭିଟି ଭିତ୍ତିଭୂମି, ନବୀକରଣ ଯୋଗ୍ୟ ତଥା ଆର୍ଥିକ ସେବା ପରି ଉଦୀୟମାନ କ୍ଷେତ୍ର ପାଇଁ ସୁଯୋଗ ଏବଂ ଏକ ସ୍ଥିର ନୀତି ଦୃଷ୍ଟିରୁ ଗୁଜୁରାଟ ହେଉଛି ଭାରତରେ ନିବେଶକ ତଥା ଶିଳ୍ପପତି ମାନଙ୍କର ପସନ୍ଦର ରାଜ୍ୟ ପାଲଟିଛି।

ତେବେ ରିପୋର୍ଟ ଅନୁସାରେ ଭାରତର ସର୍ବାଧିକ ଶିଳ୍ପାୟନ ରାଜ୍ୟ ଭାବରେ ଗୁଜୁରାଟର ନିଜର ସ୍ଥିତି ଜାହିର କରିଛି । ଭାରତର ଅର୍ଥନୀତିରେ ମଧ୍ୟ ଏହାର ଅବଦାନରେ ପ୍ରତିଫଳିତ ହୋଇଛି। ଜିଡିପି ଅନୁଯାୟୀ, ଗୁଜରାଟ ଭାରତର ରାଜ୍ୟମାନଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛି, ଯାହା ୨୪୦ ବିଲିୟନ ଡ଼ଲାର (୨୦୨୧-୨୨ ଅନୁମାନ) ଅଟେ। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଗୁଜୁରାଟ ରାଜ୍ୟ ଜିଡିପି୨୮୦ ବିଲିୟନ ଡ଼ଲାରରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ଏହାବାଦ୍ ଭାରତର ଶିଳ୍ପ ଉତ୍ପାଦନ ଏବଂ ବାଣିଜ୍ୟ ରପ୍ତାନିରେ ଗୁଜୁରାଟର ପ୍ରାୟ ୨୦ ପ୍ରତିଶତ ଅବଦାନ ରହିଛି ଏବଂ ରାଜ୍ୟ ବନ୍ଦରଗୁଡ଼ିକ ଭାରତର ପ୍ରାୟ ୪୦ ପ୍ରତିଶତ ମାଲ ପରିବହନ କରୁଛନ୍ତି।

ଯାହା ଫଳରେ ଦେଶ ତଥା ବିଦେଶର ନିବେଶକ ଏବଂ ବହୁଦେଶୀୟ କମ୍ପାନୀମାନେ ଗୁଜରାଟରେ ନିବେଶ ପାଇଁ ଇଚ୍ଛା ପ୍ରକାଶ କରୁଥିବା ଦେଖିବାକୁ ମିଳିଛି। ଆର୍ଥିକ ବର୍ଷ ୨୦୨୦-୨୧ ରେ ୩୦.୨୩ ବିଲିୟନ ଡଲାର ଏଫଡିଆଇ ନିବେଶ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ୨୦୨୧ରେ ରାଜ୍ୟ ୨୦,୧୬୯ କୋଟି ସହ ଷଷ୍ଠ ସ୍ଥାନକୁ ଖସି ଯାଇଥିଲା। ତେବେ ଆଗାମୀ ୧୦ ବର୍ଷରେ ଗୁଜରାଟ ୧୨.୫ ଲକ୍ଷ କୋଟି ନିବେଶ ଆଣିବାକୁ ଲକ୍ଷ ରଖିଥିବା ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ କହିଛନ୍ତି। ତେବେ ଆସନ୍ତାକାଲି ଗୁଜରାଟରେ ବିଧାନସଭା ଫଳାଫଳ ପ୍ରକାଶ ପାଉଥିବା ବେଳେ ସମସ୍ତ ନିବେଶକ ତଥା ଘରୋଇ କମ୍ପାନୀ ଗୁଡ଼ିକର ନଜର ଏହା ଉପରେ ରହିବ । କାରଣ ଏହା ରାଜ୍ୟ ତଥା ଦେଶର ଅର୍ଥନୀତି ଉପରେ ପ୍ରଭାବ ପକାଇବାର ବୁହୁ ସମ୍ଭାବନା ରହିଛି ।

Get real time updates directly on you device, subscribe now.