fbpx

BCCI ସମ୍ପାଦକଙ୍କ ପକ୍ଷରୁ ସ୍ପଷ୍ଟ ସୂଚନା: ଭାରତରେ ଖେଳାଯିବ ଆଇପିଏଲ-୨୦୨୪, ୟୁଏଇ ସ୍ଥାନାନ୍ତର ଗୁଜବକୁ ପ୍ରତ୍ୟାଖ୍ୟାନ କଲେ ଜୟ ଶାହ

ନୂଆଦିଲ୍ଲୀ: ସମସ୍ତ କ୍ରୀଡ଼ାପ୍ରେମୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଭାରତରେ ଖେଳାଯିବ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୪ । ଆଇପିଏଲ ବିଦେଶକୁ ସ୍ଥାନାନ୍ତର ହେବ ନାହିଁ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମ୍ପାଦକ ଜୟ ଶାହ ଏନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି । ଆଗାମୀ ଲୋକସଭା ନିର୍ବାଚନ ଏପ୍ରିଲ ୧୯ରୁ ଜୁନ ୪ ପର୍ଯ୍ୟନ୍ତ ୭ଟି ପର୍ଯ୍ୟାୟରେ ଚାଲିବା ନେଇ ଆଜି ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି ।

ତେଣୁ ଏପରି ସ୍ଥିତିରେ ବିସିସିଆଇ ଆଇପିଏଲର କିଛି ମ୍ୟାଚ ୟୁଏଇକୁ ସ୍ଥାନାନ୍ତର କରିପାରେ ବୋଲି କିଛି ରିପୋର୍ଟ ପ୍ରକାଶ ପାଇଥିଲା । ତେବେ ଏହି ଗୁଜବକୁ ବିସିସିଆଇ ସମ୍ପାଦକ ଜୟ ଶାହ ପ୍ରତ୍ୟାଖ୍ୟାନ କରିବା ସହ ଆଇପିଏଲ ଭାରତରେ ହେବ, ୟୁଏଇକୁ ସ୍ଥାନାନ୍ତର ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଆଇପିଏଲର ୧୭ତମ ସଂସ୍କରଣର ପ୍ରଥମ ମ୍ୟାଚ ମାର୍ଚ୍ଚ ୨୨ରୁ ଚେନ୍ନାଇଠାରେ ଖେଳାଯିବା ନେଇ ପ୍ରଥମ ୨୧ଟି ମ୍ୟାଚ ପାଇଁ ଗତ ମାସ ୨୨ ତାରିଖରେ ବିସିସିଆଇ ଶିଡ୍ୟୁଲ ଜାରି କରିଥିଲା ।

ସୂଚନାଯୋଗ୍ୟ ଯେ, ଲୋକସଭା ନିର୍ବାଚନ ପାଇଁ ଏହା ପୂର୍ବରୁ ଆଇପିଏଲ ବିଦେଶକୁ ସ୍ଥାନାନ୍ତର କରାଯାଇଥିଲା । ସାଧାରଣ ନିର୍ବାଚନ ପାଇଁ ୨୦୦୯ରେ ଦକ୍ଷିଣ ଆଫ୍ରିକାକୁ ଓ ୨୦୧୪ରେ ୟୁଏଇକୁ ଆଇପିଏଲ ସ୍ଥାନାନ୍ତର କରାଯାଇଥିବା ବେଳେ କୋଭିଡ-୧୯ ମହାମାରୀ ପାଇଁ ୨୦୨୦ ଓ ୨୦୨୧ରେ ମଧ୍ୟ ବିଦେଶକୁ ସ୍ଥାନାନ୍ତର କରାଯାଇଥିଲା । ବର୍ତ୍ତମାନ ଜାରି ରହିଥିବା ମହିଳା ପ୍ରିମିୟର ଲିଗ (ଡବ୍ଲ୍ୟୁପିଏଲ)ରେ ପାଖାପାଖି ୩.୫ ଲକ୍ଷ ପ୍ରଶଂସକ ସାମିଲ ହୋଇଥିବା ଶ୍ରୀ ଶାହ କହିଥିଲେ । ଆସନ୍ତା ରବିବାର ଦିନ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବାକୁ ଫାଇନାଲ ମ୍ୟାଚ ପାଇଁ ସମସ୍ତ ଟିକେଟ ବିକ୍ରି ସରିଥିବା ସେ କହିଥିଲେ ।

Get real time updates directly on you device, subscribe now.