ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୪ ଅକ୍ସନ ତାରିଖ ଘୋଷଣା କରାଯାଇଛି । ନଭେମ୍ବର ୨୪ ଓ ୨୫ରେ ସାଉଦୀ ଅରବର ଜେଦ୍ଦାରେ ଖେଳାଳିଙ୍କର ନିଲାମ କରାଯିବ । ଜେଦ୍ଦାର ଅବାସୀ ଅଲ ଜୋହର ଏରିନାରେ ଅକ୍ସନ କାର୍ଯ୍ୟକ୍ରମର ଆୟୋଜନ କରାଯିବ ଓ ସେଠାରୁ ୧୦ ମିନିଟର ଦୂରରେ ଥିବା ହୋଟେଲ ଶାଙ୍ଗରୀ-ଲା’ରେ ଖେଳାଳି ଓ ଅନ୍ୟମାନଙ୍କର ରହିବାର ବ୍ୟବସ୍ଥା କରାଯିବ । ସଞ୍ଚାଳନ ଟିମ ଭିସା ଓ ଲଜିଷ୍ଟିକ୍ସ ଆବଶ୍ୟକତା ପାଇଁ ସମସ୍ତ ଖେଳାଳି ଓ ଅନ୍ୟ ଷ୍ଟାଫମାନେ ସମ୍ପର୍କରେ ରହିବେ ବୋଲି ଆଇପିଏଲ ଅଥରିଟି ତରଫରୁ କୁହାଯାଇଛି ।
ଏହା ପୂର୍ବରୁ ସମସ୍ତ ୧୦ଟି ଫ୍ରାଞ୍ଚାଇଜ୍ ନିଜର ରିଟେନ ଖେଳାଳିଙ୍କର ଲିଷ୍ଟ ଜାରି କରିଥିଲେ । ଏହାପରେ ସମସ୍ତେ ନିଲାମ ତାରିଖ ଘୋଷଣାକୁ ଅପେକ୍ଷା କରି ରହିଥିଲେ । କୋଟି କୋଟି କ୍ରିକେଟ ଫ୍ୟାନ୍ସ ତାରିଖ ଘୋଷଣା ପରେ ବେଶ୍ ଖୁସି ଜାହିର କରିଛନ୍ତି । କେଉଁ ଖେଳାଳିଙ୍କୁ କେଉଁ ଟିମ୍ କେତେ ଟଙ୍କାରେ କିଣିବ ସେନେଇ ଏବେ ଅପେକ୍ଷା । ନିଲାମର ଅଫିସିଆଲ ଘୋଷଣା ପୂର୍ବରୁ ସାଉଦୀ ଅରବର ରାଜଧାନୀ ରିଆଦରେ ଖେଳାଳିଙ୍କର ନିଲାମ ହେବ ବୋଲି କୁହାଯାଉଥିଲା, ମାତ୍ର ଏବେ ତାହା ଜେଦ୍ଦାରେ ହେବ ।
ଚଳିତ ବର୍ଷ ନିଲାମ ପ୍ରକ୍ରିୟା ବହୁତ ବଡ଼ ହେବାକୁ ଥିବା ବେଳେ ଋଷଭ ପନ୍ତ, କେଏଲ ରାହୁଲ, ଶ୍ରେୟସ ଆୟର ଓ ଅର୍ଶଦୀପସିଂହଙ୍କ ପରି ଭାରତର ଅନେକ ହାଇ ପ୍ରୋଫାଇଲ ଷ୍ଟାର ସାମିଲ ହେବାକୁ ଯାଉଛନ୍ତି । ୧୦ଟି ଫ୍ରାଞ୍ଚାଇଜ ପାଖରେ ୨୦୪ଟି ସ୍ଲଟ ପାଇଁ ଖର୍ଚ୍ଚ କରିବାକୁ ୬୪୧.୫ କୋଟି ଟଙ୍କା ହେବ । ଏହି ସ୍ଲଟ ମଧ୍ୟରୁ ୭୦ଟି ବିଦେଶୀ ଖେଳାଳିଙ୍କ ପାଇଁ ନିର୍ଦ୍ଧାରିତ ହୋଇଛି । ବର୍ତ୍ତମାନ ସୁଦ୍ଧା ସମସ୍ତ ଫ୍ରାଞ୍ଚାଇଜ ପକ୍ଷରୁ ୪୬ ଜଣ ଖେଳାଳିଙ୍କୁ ରିଟେନ କରାଯାଇଥିବା ବେଳେ ତା’ର ମୋଟ ଖର୍ଚ୍ଚ ୫୫୮.୫ କୋଟି ରହିଛି ।