ପରୀକ୍ଷାରେ ଦୁର୍ନୀତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଷ୍ଟୁଡେଣ୍ଟ ଏଗନେଷ୍ଟ କରପ୍ସନର ଆବାହକ, ‘ଚାକିରି ବିକ୍ରିର ହେଉ ସିବିଆଇ ତଦନ୍ତ’

ଚାକିରି ବିକ୍ରିର ସିବିଆଇ ତଦନ୍ତ ଦାବି କଲେ ଷ୍ଟୁଡେଣ୍ଟ ଏଗନେଷ୍ଟ କରପ୍ସନର ଆବାହକ ।

ଭୁବନେଶ୍ବର: ପରୀକ୍ଷାରେ ଅନିୟମିତତା ଦର୍ଶାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ଷ୍ଟୁଡେଣ୍ଟ ଏଗନେଷ୍ଟ କରପସନର ଆବାହକ ବିଭୂତି ଭୂଷଣ ମହାପାତ୍ର । ଚାକିରି ବିକ୍ରିର ସିବିଆଇ ତଦନ୍ତ ହେଉ ବୋଲି କହିଛନ୍ତି ।

ଓ.ଏସ୍‌.ଏସ୍‌.ଏସ୍‌.ସି ପରିଚାଳିତ ଫରେଷ୍ଟର ଫରେଷ୍ଟ ଗାର୍ଡ଼ ଓ ଲାଇଭଷ୍ଟକ ଇନ୍‌ସପେକ୍ଟର ପରୀକ୍ଷାରେ ବ୍ୟାପକ ଦୁର୍ନୀତି ହୋଇଥିବା ସ୍ୱୀକାର କରିଥିବାରୁ ଏହାର ସିବିଆଇ ତଦନ୍ତ କିମ୍ବା କାର୍ଯ୍ୟରତ ବିଚାରପତିଙ୍କ ତତ୍ତ୍ୱାବଧାନରେ ତଦନ୍ତ କରାଯାଉ ବୋଲି ସେ କହିଛନ୍ତି ।

ଚିଠିରେ ଦର୍ଶାଯାଇଛି ଯେ,  ଫରେଷ୍ଟ ଗାର୍ଡ଼ ନିଯୁକ୍ତି ପାଇଁ ପରୀକ୍ଷାରେ ଅନିୟମିତତା ଦର୍ଶାଇ ୩୩୭ଜଣ ପରୀକ୍ଷାର୍ଥୀଙ୍କୁ ବାଦ ଦିଆଯାଇଛି । ଏହାସହିତ କିଛି ପ୍ରଶ୍ନର ଉତ୍ତର ମଧ୍ୟ ସରକାରଙ୍କୁ ପଚରାଯାଇଛି ।
୧. ଯେଉଁ ନର୍ମାଲାଇଜେସନ ଓ ପର୍ସନେଟାଇଲ୍ ପଦ୍ଧତିରେ ମେଧା ତାଲିକା ପ୍ରସ୍ତୁତ ହୋଇଥିଲା ୩୩୭ ଜଣ ପରୀକ୍ଷାର୍ଥୀ ବାଦ ପରେ ସେହି ପଦ୍ଧତିରେ ଏହି ମେଧା ତାଲିକା ସିଦ୍ଧ କିପରି?
୨. କେବଳ ସେତିକି ପରୀକ୍ଷାର୍ଥୀ ନା ଅନ୍ୟ ପରୀକ୍ଷାର୍ଥୀ ମଧ୍ୟ ଅସାଧୁ ଉପାୟରେ ଉତ୍ତୀର୍ଣ୍ଣ ହୋଇ ଏବେ ମଧ୍ୟ ମେଧା ତାଲିକାରେ ଅଛନ୍ତି । ତାହାର ତଦନ୍ତ ହେବ ନାହିଁ କାହିଁକି?
୩. ଯଦି ସରକାରଙ୍କ ସନ୍ଦେହ ହେଉଛି ପରୀକ୍ଷା ସମୟର ସିସି ଟିଭି ଓ ସର୍ଭର ସମେତ ସମସ୍ତ ବୈଷୟିକ ତଥ୍ୟ ସରକାରଙ୍କ ପାଖରେ ଥିଲେ ସୁଧା ତା’ର ଯାଞ୍ଚ ହେଉନାହିଁ କାହିଁକି?
୪. ଜଣେ ପରୀକ୍ଷାର୍ଥୀ ଚାହିଁଲେ ସର୍ଭର ହ୍ୟାକ୍ କରି ଅନିୟମିତତା କରିପାରିବ ନାହିଁ । ଯଦି ଅନିୟମିତତା ହୋଇଛି ବଡ଼ ସରକାରୀ ଅଧିକାରୀ ଓ ଦାୟିତ୍ୱ ନେଇଥିବା ସଂସ୍ଥାର ହାତ ନିଶ୍ଚିତ । ତାହାର ତଦନ୍ତ ନକରି ମେଧାବୀମାନଙ୍କ ଭବିଷ୍ୟତ ସହ ଖେଳା ଯାଉଛି କାହିଁକି?
୫. ଅନ୍‌ଲାଇନ ପରୀକ୍ଷାରେ ସ୍ୱଚ୍ଛତାର କଥା କହୁଥିବା ସରକାର, ଅନିୟମିତତା କିପରି ହେଲା ଓ କିଏ କଲା? ତା’ର ତଦନ୍ତ ହେବ କିପରି?
୬. ରାଜ୍ୟରେ ଚାକିରି ବିକ୍ରି ହେଉଥିବା କଥା ଆପଣ ବିଧାନ ସଭାର ପବିତ୍ର ଗୃହରେ ଉଠାଇବା ପରେ ମଧ୍ୟ ତଦନ୍ତ ପାଇଁ ତତ୍ପରତା ଦେଖାଉନାହାଁନ୍ତି କାହିଁକି ?

ରାଜ୍ୟର ମେଧାବୀ ଛାତ୍ରଛାତ୍ରୀ ଏବଂ ସରକାର ବର୍ତ୍ତମାନ ଏହି ଉତ୍ତର ଅପେକ୍ଷାରେ ରହିଛନ୍ତି ।  ଏହି ପ୍ରଶ୍ନଗୁଡ଼ିକର ଉତ୍ତର ପାଇଁ ଷ୍ଟୁଡ଼େଣ୍ଟସ ଏଗନେଷ୍ଟ କରପସନ ପକ୍ଷରୁ ନିଯୁକ୍ତି ଦୁର୍ନୀତିର ସି.ବି.ଆଇ. କିମ୍ବା କାର୍ଯ୍ୟରତ ବିଚାରପତିଙ୍କ ତତ୍ତ୍ୱାବଧାନରେ ତଦନ୍ତ ପାଇଁ ଅନୁରୋଧ କରୁଥିବା ଚିଠିରେ ଲେଖିଛନ୍ତି ।