କଥା ଦେଇ ରଖିଲାନି ଋଷ!: ଶାନ୍ତି ବାର୍ତ୍ତା ପରେ ବି ୟୁକ୍ରେନରେ ଜାରି ରହିଛି ଜୋରଦାର ଆକ୍ରମଣ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟରେ ଇସ୍ତାନବୁଲ ଆଲୋଚନାରେ ଶାନ୍ତି ପାଇଁ ରାଜି ହୋଇଥିବା ଋଷ କଥାରୁ ଓହରି ଯାଉଥିବା କୁହାଯାଉଛି । କାରଣ ସଂଘର୍ଷ ବନ୍ଦ କରିବାକୁ ଗତକାଲି ସମ୍ମତି ଦେଇଥିଲା ଋଷ । କିନ୍ତୁ ୟୁକ୍ରେନର ଜଣେ ଅଧିକାରୀଙ୍କ କହିବା ଅନୁସାରେ ରାତି ତମାମ ଚାଲିଛି ଋଷ ସେନାର ଆକ୍ରମଣ । ୟୁକ୍ରେନରେ ହଜାର ହଜାର ଲୋକ ଫସି ରହିଥିବା ବେଳେ ଦେଶରେ ଖାଦ୍ୟ, ପାନୀୟ ଏବଂ ବିଜୁଳି ସମସ୍ୟା ମଧ୍ୟ ମୁଣ୍ଡ ଟେକିଲାଣି । ତେଣୁ ଏଭଳି ପରିସ୍ଥିତିରେ ଋଷର ବ୍ୟବହାରକୁ ନେଇ ଚିନ୍ତା ପ୍ରକଟ କରିଛଇ ଆମେରିକା ।

ଋଷ ଉପରେ ଶାନ୍ତିବାର୍ତ୍ତାର କୌଣସି ପ୍ରଭାବ ପଡିନଥିବା ପରିଲକ୍ଷିତ ହୋଇଛି । ଆଲୋଚନା ପରେ ମଧ୍ୟ ଚେର୍ଣ୍ଣିଗିଭ ସହରରେ ରାତିସାରା ଆକ୍ରମଣ ଜାରି ରହିଥିବା ପ୍ରକାଶ କରିଛନ୍ତି ୟୁକ୍ରେନର ଜଣେ ଅଧିକାରୀ । ଆଲୋଚନା ସମୟରେ କିଭ ଅଞ୍ଚଳରେ ଆକ୍ରମଣର ବେଗ କମାଇବ ବୋଲି କଥା ଦେଇଥିଲା ଋଷ । ତେବେ ଏଠାରେ ଋଷ ସେନାର ଉପସ୍ଥିତି ଏବଂ କାର୍ଯ୍ୟକଳାପ ଅନୁସାରେ ଆଉ ଏକ ବଡ ଆକ୍ରମଣର ଆଶଙ୍କା କରାଯାଉଛି । ଏପର୍ଯ୍ୟନ୍ତ ଋଷ କିଭ ଉପରେ ଅକ୍ତିଆର କରିବାରେ ସଫଳ ହୋଇ ପାରିନି । ତେଣୁ ଏକ ବଡ ଆକ୍ରମଣ କରି ଏହାକୁ ହାତେଇବା ପାଇଁ ଚକ୍ରାନ୍ତ କରୁଥିବା ଚର୍ଚ୍ଚା ହେଉଛି ।