ଇସ୍କନ ରଥଯାତ୍ରା ବାତିଲ୍: ରଥଯାତ୍ରା ବଦଳରେ ନିତ୍ୟାଇ ଗୌର ସଂକୀର୍ତ୍ତନ ଯାତ୍ରା ହେବା ନେଇ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆମେରିକାର ହ୍ୟୁଷ୍ଟନରେ ହେବାକୁ ଥିବା ଇସ୍କାନ ରଥଯାତ୍ରାକୁ ବାତିଲ କରାଯାଇଛି । ରଥଯାତ୍ରା ବଦଳରେ ନିତ୍ୟାଇ ଗୌର ସଂକୀର୍ତ୍ତନ ଯାତ୍ରା ହେବ ବୋଲି କୁହାଯାଇଛି । ଓଡ଼ିଆ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ବିଚାର କରି ଏହି ନିଷ୍ପତ୍ତି ନିଆଯାଇଛି । ଇସ୍କନ ପକ୍ଷରୁ ଆୟୋଜିତ ହେବାକୁ ଯାଉଥିବା ଏହି ଅଦିନିଆ ରଥଯାତ୍ରାକୁ ନେଇ ବିଭିନ୍ନ ମହଲରୁ ବିରୋଧ କରାଯାଇଥିଲା । ଶ୍ରୀମନ୍ଦିରର ପରମ୍ପରାକୁ ଭାଙ୍ଗିବା ଅନୁଚିତ ବୋଲି ପୁରୀ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ କହିଥିଲେ । ଏବେ ଇସ୍କନ ପକ୍ଷରୁ ଆୟୋଜିତ ହେବାକୁ ଥିବା ରଥଯାତ୍ରାକୁ ବନ୍ଦ କରାଯାଇଥିବାରୁ ଏହା କୋଟି କୋଟି ଓଡ଼ିଆ ଶ୍ରଦ୍ଧାଳୁଙ୍କୁ ଆଶ୍ୱସ୍ତି ଦେଇଛି ।

ଖବର ମୁତାବକ, କୋଟି କୋଟି ଓଡ଼ିଆ ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ବଡ଼ ନିଷ୍ପତ୍ତି ନିଆଯାଇଛି । ଇସ୍କନ ପକ୍ଷରୁ ଆୟୋଜିତ ହେବାକୁ ଯାଉଥିବା ଅଦିନିଆ ରଥଯାତ୍ରାକୁ ବାତିଲ କରାଯାଇଛି । ଏନେଇ ପ୍ରେସ୍ ରିଜିଜ୍ ଜରିଆରେ ଇସ୍କନ ପରିଚାଳନା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ୧୯୬୭ ମସିହାରୁ ଇସ୍କନ ଏଭଳି ଅଦିନିଆ ରଥଯାତ୍ରା ଆୟୋଜନ କରି ଆସୁଛି । ବାରମ୍ବାର କହିବା ପରେ ୨୦୨୧ ଠାରୁ ଭାରତରେ ଅଦିନିଆ ରଥଯାତ୍ରା ହେଉ ନାହିଁ । ତେବେ ବିଦେଶରେ ନିୟମ ଭାଙ୍ଗି ଇସ୍କନ ଅଦିନିଆ ରଥଯାତ୍ରା କରୁଛି । ଅଦିନିଆ ରଥଯାତ୍ରା ଆୟୋଜକ କଥା ମାନିଗଲେ, ନହେଲେ ଆଇନଗତ ବିକଳ୍ପ ରହିଥିବା ମହାରାଜ ଦିବ୍ୟସିଂହ ଦେବ କହିଥିଲେ ।