fbpx

୨୦୨୪ରେ ବିଶ୍ୱ ଦେଖିପାରେ ନୂଆ ଯୁଦ୍ଧ, ଏହି ୫ଟି ଦେଶର ନାଁ ରହିଛି ଆଗରେ

ନୂଆଦିଲ୍ଲୀ: ୨୦୨୩ ବିଶ୍ୱ ସ୍ତରରେ ଏକ ଅଶାନ୍ତ ବର୍ଷ ଥିଲା । ଗାଜାରେ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା ଯେଉଁଥିରେ ହଜାର ହଜାର ପାଲେଷ୍ଟାଇନ ନାଗରିକଙ୍କ ସହିତ ଶହ ଶହ ଇସ୍ରାଏଲ ନାଗରିକ ବି ମୃତ୍ୟୁ ମୁଖରେ ପଡିଛନ୍ତି । ଅନ୍ୟପକ୍ଷରେ ରୁଷ ଓ ୟୁକ୍ରେନ୍ ମଧ୍ୟରେ ୨୦୨୨ରୁ ଆରମ୍ଭ ହୋଇଥିବା ଯୁଦ୍ଧ ତ ଥମିବାର ନା ଧରୁନାହିଁ । ବିଶ୍ୱର ଏହି ଦୁଇ ଯୁଦ୍ଧ ସାରା ବିଶ୍ୱରେ ପରିସ୍ଥିତିକୁ ଅସ୍ଥିର ଓ ଅଶାନ୍ତ କରିଦେଇଛି । କେବଳ ଏତିକି ନୁହେଁ ବିଶ୍ୱ ଏହି ଯୁଦ୍ଧକୁ ନେଇ ଭାଗ ଭାଗ ବି ହୋଇଯାଇଛି । ଏହାର ଭୟଙ୍କର ପରିଣାମ ୨୦୨୪ରେ ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି । ବିଶ୍ୱର ଏହି ୫ ଗୋଟି ଦେଶରେ ସର୍ବାଧିକ ଅଶାନ୍ତି ଓ ସଂଘର୍ଷମୟ ସ୍ଥିତି ସୃଷ୍ଟି ହେବ ବୋଲି ଅନୁମାନ ଲଗାଯାଉଛି ।
ମିଆଁମାର: ୨୦୨୧ରେ ଏଠାରେ ଅରାଜକତା ସ୍ଥିତି ଉପୁଜିଥିଲା ଯେତେବେଳେ ଅଙ୍ଗ ସାନ୍ ସୁ କିଙ୍କ ନେତୃତ୍ୱରେ ଗଠିତ ଗଣତନ୍ତ୍ର ସରକାରକୁ ଏକ ସାମରିକ ବାହିନୀ କ୍ଷମତାଚ୍ୟୁତ କରିଥିଲା । ଏହାକୁ ନେଇ ଦେଶରେ ବ୍ୟାପକ ନାଗରିକ ବିରୋଧ ପ୍ରଦର୍ଶନ ହୋଇଥିଲା । ପରେ ଏହା ସଶସ୍ତ୍ର ପ୍ରତିରୋଧରେ ବଦଳି ଯାଇଥିଲା । ୧୩୫ ଭିନ୍ନ ଭିନ୍ନ ସଂପ୍ରଦାୟକୁ ନେଇ ଗଠିତ ଏହି ଦେଶରେ କେବେ ବି ଶାନ୍ତି ବଜାୟ ରହିପାରି ନାହିଁ । ୨୦୨୪ରେ ଦେଶରେ ଭୀଷଣ ଗୃହଯୁଦ୍ଧର ଆଶଙ୍କା ବୃଦ୍ଧି ପାଇଛି ।
ମାଲୀ: ଏହି ଦେଶରେ ୨୦୨୩ରେ ଅଶାନ୍ତି ବଢିଚାଲିଛି ଓ ଏବେ ସଂପୂର୍ଣ୍ଣ ଭାବରେ ଗୃହଯୁଦ୍ଧ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଦୀର୍ଘ ବର୍ଷ ଧରି ମାଲୀ ବିଦ୍ରୋହୀ ଗତିବିଧିରେ ପୀଡିତ ହୋଇଆସୁଛି । ୨୦୧୨ରେ ମାଲୀରେ ସରକାର ସେନା ବିଦ୍ରୋହ କାରଣରୁ କ୍ଷମତାଚ୍ୟୁତ ହୋଇଥିଲା । ଓ ଇସଲାମୀ ଆତଙ୍କବାଦୀଙ୍କ ଦ୍ୱାରା ସମର୍ଥିତ ତୁଆରେଗ ବିଦ୍ରୋହୀ ଉତ୍ତର ଭାଗରେ କ୍ଷମତା ହାତକୁ ନେଇଯାଇଥିଲେ । ଏଠାରେ ସ୍ଥିରତା ଆଣିବା ପାଇଁ ୨୦୧୩ରେ ଜାତିସଂଘ ଶାନ୍ତି ମିଶନ ଗଠନ କରାଯାଇଥିଲା । ୨୦୧୫ରୁ ୨୦୨୦ ପର୍ଯ୍ୟନ୍ତ ଏଠାରେ ବୁଝାମଣା ଭିତ୍ତିରେ ଶାନ୍ତି ବଜାୟ ରହିବା ପରେ ପୁଣି ୨୦୨୦-୨୧ରେ ଅଶାନ୍ତି ଦେଖାଦେଇଥିଲା । ୨୦୨୩ରେ ଜାତିସଂଘ ଶାନ୍ତି ମିଶନ ଏଠାରୁ ଫେରି ଯାଇଥିଲେ । ଏହାପରେ ପୁଣି ସେନା ଓ ବିଦ୍ରୋହୀ ମଧ୍ୟରେ ହିଂସା ଆରମ୍ଭ ହୋଇଯାଇଥିଲା । ୨୦୨୪ରେ ଏହି ଦେଶରେ ଆହୁରି ଅଶାନ୍ତି ବୃଦ୍ଧି ପାଇବ ବୋଲି କୁହାଯାଉଛି ।
ଲେବାନନ: ୨୦୧୯ରେ ଏହି ଦେଶରେ ସେହି ନେତାଙ୍କ ବିରୁଦ୍ଧରେ ବ୍ୟାପକ ନାଗରିକ ବିରୋଧାଭାସ ଆରମ୍ଭ ହୋଇଯାଇଥିଲା ଯେଉଁମାନେ ଜନତାଙ୍କ ଆବଶ୍ୟକତା ପୂରଣ ଦିଗରେ ଅସମର୍ଥ ହୋଇଥିଲେ । ବାରମ୍ବାର ସରକାର ପରିବର୍ତ୍ତନ, ଆର୍ଥିକ ସଂକଟ ବୃଦ୍ଧି, ବିମାନବନ୍ଦରରେ ବିସ୍ଫୋରଣ ପରି ସ୍ଥିତି ଦେଶରେ ଲାଗି ରହିଛି । ଏଠାରେ ରାଷ୍ଟ୍ରପତି ପଦ ବି ଏକ ବର୍ଷରୁ ଅଧିକ ସମୟ ଧରି ଖାଲି ରହିଛି । ଏଠାରେ ସରକାରଙ୍କ ସ୍ଥିତି ଦୂର୍ବଳ ଥିବା ବେଳେ ପ୍ରଧାନମନ୍ତ୍ରୀ, ବାଚସ୍ପତି ଓ ରାଷ୍ଟ୍ରପତି ପରି ପ୍ରମୁଖ ରାଜନୈତିକ ପଦ କ୍ରମଶଃ ସୁନ୍ନି-ମୁସଲିମ୍‌, ସିହା-ମୁସଲିମ୍ ଓ ଇସାଇ-ମେରୋନାଇଟ୍‌ଙ୍କୁ ପ୍ରଦାନ କରାଯାଉଛି । ଏହା ବ୍ୟତିତ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ମଧ୍ୟ ଲେବାନନ ପର୍ଯ୍ୟନ୍ତ ବ୍ୟାପିବାର ସମ୍ଭାବନା ରହିଛି ଯାହା ହିଜବୁଲା ଆତଙ୍କବାଦୀ ସଂଗଠନର ପେଣ୍ଠସ୍ଥଳ ।
ପାକିସ୍ତାନ: ୧୯୪୭ରେ ପାକିସ୍ତାନ ସ୍ୱାଧୀନ ହେବା ପର ଠାରୁ ଏଠାରେ ସେନା ରାଜନୀତିରେ ହସ୍ତକ୍ଷେପ କରିଆସୁଛି । ଯଦିଓ ଏଠାରେ ଗଣତା୍‌ତ୍ରିକ ରୂପରେ ନେତା ଚୟନ କରାଯାଆନ୍ତି କିନ୍ତୁ ପରବର୍ତ୍ତୀ ସମୟରେ ସେନା ତାଙ୍କୁ ହଟାଇ ଦେଇଥାଏ । ୨୦୨୨ରେ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ କ୍ଷମତାରୁ ହଟାଇ ଦିଆଯାଇଛି ଓ ତାଙ୍କ ଉପରେ ବିଭିନ୍ନ ଅଭିଯୋଗ ଲଗାଯାଇ ଏବେ ଜେଲ୍‌ରେ ବନ୍ଦୀ କରି ରଖାଯାଇଛି । ତାଙ୍କ ଗିରଫ ପରେ ସାରା ଦେଶରେ ହିଂସକ ପ୍ରଦର୍ଶନ ଆରମ୍ଭ ହୋଇଥିଲା । ଦେଶବାସୀ ପ୍ରଥମ ଥର ଲାଗି ସେନା ବିରୁଦ୍ଧରେ ପ୍ରବଳ ପ୍ରଦର୍ଶନ କରିଥିଲେ । ପାକିସ୍ତାନକୁ ଏବେ ପଡୋଶୀ ଆଫଗାନିସ୍ଥାନରେ ଅସ୍ଥିରତା ଓ ଆତଙ୍କବାଦୀ ଆକ୍ରମଣର ସାମ୍ନା ବି କରିବାକୁ ପଡୁଛି । ଏହା ବ୍ୟତିତ ଦେଶରେ ଆର୍ଥିକ ଅସ୍ଥିରତା ଲାଗି ରହିଛି । ୨୦୨୨ରେ ବିନାଶକାରୀ ବନ୍ୟା ପରେ ଦେଶର ଆର୍ଥିକ ଅବସ୍ଥା ପୁରା ଭୁଷୁଡି ପଡୁଛି ।୨୦୨୪ରେ ଏଠାରେ ନିର୍ବାଚନ ହେବାର ସମ୍ଭାବନା ରହିଛି । ଯଦି ନିର୍ବାଚନ ହୋଇ କ୍ଷମତା ହସ୍ତାନ୍ତର ନ ହୁଏ ତେବେ ଦେଶରେ ନାଗରିକ ଅଶାନ୍ତି ଭୟଙ୍କର ରୂପ ଧାରଣ କରିପାରେ ।
ଶ୍ରୀଲଙ୍କା: ୨୦୨୨ରେ ଏହି ଦେଶ ଏକ ବିକଟ ଆର୍ଥିକ ସଂକଟର ସାମ୍ନା କରିଥିଲା । ଏଠାରେ ଏହି ସମୟରେ ନାଗରିକ ବିକ୍ଷୋଭ ଆରମ୍ଭ ହୋଇଥିଲା । ଫଳରେ ତତ୍କାଳୀନ ରାଷ୍ଟ୍ରପତିଙ୍କୁ ଦେଶରୁ ପଳାୟନ କରିବାକୁ ପଡିଥିଲା । ତାଙ୍କ ସ୍ଥାନ ନେଇଥିଲେ ବର୍ତ୍ତମାନର ରାଷ୍ଟ୍ରପତି ରାନିଲ ବିକ୍ରମ ସିଂହ । ୨୦୨୩ରେ ଦେଶରେ ସାମୟିକ ସମୟ ଲାଗି ଆଇଏମଏଫ୍ ସହାୟତାରେ ସ୍ଥିରତା ଫେରି ଆସିଥିଲା । ୨୦୨୪ ଶେଷ ସୁଦ୍ଧା ଏଠାରେ ମଧ୍ୟ ନିର୍ବାଚନ ହେବାରେ ଅଛି । ଯଦି ଦେଶରେ ସ୍ଥାୟୀ ଭାବରେ ଅର୍ଥ ବ୍ୟବସ୍ଥାରେ ସୁଧାର ଆସି ନ ପାରିଲା ତେବେ ଦେଶରେ ପୁଣି ନାଗରିକ ବିଦ୍ରୋହ ମୁଣ୍ଡ ଟେକିପାରେ ବୋଲି କୁହାଯାଉଛି ।

Get real time updates directly on you device, subscribe now.