fbpx

IT Rule ପରିବର୍ତ୍ତନ କଲେ କେନ୍ଦ୍ର ସରକାର: ସାମାଜିକ ଗଣମାଧ୍ୟମ ପାଇଁ ତିନି ମାସ ମଧ୍ୟରେ ଗଠନ ହେବ GAC

ନୂଆଦିଲ୍ଲୀ: ଦିନକୁ ଦିନ ସୋସିଆଲ ମିଡ଼ିଆ ପ୍ରାଧାନ୍ୟ ବିସ୍ତାର କରି ଚାଲିଛି । ତେବେ ଅନେକ ସମୟରେ ସୋସିଆଲ ମିଡ଼ିଆରେ ପ୍ରକାଶିତ କଣ୍ଟେଣ୍ଟକୁ ନେଇ ବିବାଦ ସୃଷ୍ଟି ହୋଇଥାଏ । ତେଣୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମକୁ ନେଇ ଆସୁଥିବା ବିଭିନ୍ନ ଅଭିଯୋଗର ସମାଧାନ ପାଇଁ ଖୁବଶୀଘ୍ର ଏକ କମିଟି ଗଠନ କରାଯିବ । ଏନେଇ କେନ୍ଦ୍ର ସରକାର ଇନଫର୍ମେସନ ଟେକ୍ନୋଲୋଜି (ଆଇଟି) ନିୟମରେ ପରିବର୍ତ୍ତନ କରିବା ସହ ତିନି ମାସରେ ଆପେଲେଟ କମିଟି ଗଠନ କରିବାକୁ ଘୋଷଣା କରିଛନ୍ତି ।

ଏହି କମିଟି ମେଟା ଓ ଟ୍ୱିଟର ପରି ସୋସିଆଲ ମିଡ଼ିଆ କମ୍ପାନୀଙ୍କ କଣ୍ଟେଣ୍ଟର ରେଗୁଲେସନ ସମ୍ବନ୍ଧରେ କରାଯାଇଥିବା ନିଷ୍ପତ୍ତିର ସମୀକ୍ଷା କରିବ । ଏନେଇ ଜାରି ବିଜ୍ଞପ୍ତି ମୁତାବକ, ତିନି ମାସ ମଧ୍ୟରେ ‘ଅଭିଯୋଗ ଆପେଲେଟ କମିଟି’ (ଜିଏସି) ଗଠନ କରାଯିବ । ଏହି କମିଟି ଗଠନ ପାଇଁ ଆଇଟି ନିୟମ, ୨୦୨୧ରେ କିଛି ପରିବର୍ତ୍ତନ କରାଯାଇଛି । ଏହି ସଂଶୋଧିତ ଆଇଟି ନିୟମ, ୨୦୨୨ ଲାଗୁ ହେବା ତାରିଖ ଠାରୁ ଗଣାଯିବ ।

ଏହି ନୂଆ ନିୟମର ସଂଶୋଧନ ପରେ ବିଜ୍ଞାପନ ଜାରି କରାଯାଇଥିଲା । ଏହା ପରେ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ୱିଟ କରିଥିଲେ, ଅଭିଯୋଗର ସମାଧାନ ପାଇଁ ନିଯୁକ୍ତ ଅଭିଯୋଗ ଅଧିକାରୀଙ୍କ ବିରୋଧରେ ଆଗତ ହୋଇଥିବା ଆବେଦନର ଶୁଣାଣି ପାଇଁ ଏହି ଜିଏସି କମିଟିର ଶୁଭାରମ୍ଭ କରାଯିବ । ପ୍ରତ୍ୟେକ କମିଟିରେ ଜଣେ ଅଧ୍ୟକ୍ଷ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତି ଦୁଇଜଣ ପୂର୍ଣ୍ଣକାଳୀନ ସଦସ୍ୟ ରହିବେ । ଗୋପନୀୟତା ନୀତି ଓ ଉପଭୋକ୍ତାଙ୍କ ଚୁକ୍ତିନାମାକୁ ଆଠଟି ଭାରତୀୟ ଭାଷାରେ ଉପଲବ୍ଧ କରାଯିବ । ଅଭିଯୋଗ ଅଧିକାରୀଙ୍କ ନିଷ୍ପତ୍ତିରେ ଯଦି କୌଣସି ବ୍ୟକ୍ତି ଅସହମତି ପ୍ରକାଶ କରନ୍ତି, ତେବେ ସୂଚନା ମିଳିବାର ତିନି ଦିନ ମଧ୍ୟରେ ଜିଏସି କମିଟି ନିକଟରେ ସେ ଅଭିଯୋଗ କରିପାରିବେ ।

Get real time updates directly on you device, subscribe now.