fbpx

ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ବଡ଼ ଝଟକା: ଜିଲ୍ଲା BJP ସଭାପତି BJDରେ ଯୋଗଦେଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୧୦ ତାରିଖରେ ରାଜ୍ୟର ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ । ସେଥିପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ଜୋରସୋର ଭାବେ କସରତ ଆରମ୍ଭ କରିଦେଇଛନ୍ତି । ବିଜେଡିରୁ ଦିପାଳୀ ଦାସ, ବିଜେପିରୁ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସରୁ ତରୁଣ ପାଣ୍ଡେ ପ୍ରାର୍ଥୀ ହୋଇଛନ୍ତି । ନିର୍ବାଚନ ପୂର୍ବରୁ ତିନି ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରିବା ସହ ତାରକା ପ୍ରଚାରକଙ୍କ ତାଲିକା ଘୋଷଣା କରିଥିଲେ ।

ତେବେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆଉ ମାତ୍ର ଗୋଟିଏ ସପ୍ତାହରୁ କମ୍ ସମୟ ରହିଥିବା ବେଳେ ଏହା ମଧ୍ୟରେ ଦେଖିବାକୁ ମିଳିଛି ବଡ଼ ରାଜନୈତିକ ହଲଚଲ । ଉପନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଛି ବଡ଼ ଝଟକା । ଜିଲ୍ଲା ବିଜେପି ସଭାପତି ମଙ୍ଗଳ ଦାସ ବିଜେଡିରେ ସାମିଲ ହୋଇଛନ୍ତି । ନିକଟରେ ବିଜେପି ଜାରି କରିଥିବା ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକାରେ ମଙ୍ଗଳଙ୍କ ନାମ ରହିଥିଲା । ମାତ୍ର ଏବେ ସେ ଦଳ ଛାଡ଼ିବା ସହ ଶଙ୍ଖ ଭବନରେ ବିଜେଡିରେ ମିଶିଥିବା ଜଣାପଡ଼ିଛି । ନିକଟରେ କଂଗ୍ରେସ ଜିଲ୍ଲା ସଭାପତି ପଦରୁ ଅଶୋକ କୁମାର ମିଶ୍ର ମଧ୍ୟ ଦଳରୁ ଇସ୍ତଫା ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଏହି ଆସନଟି ଖାଲି ପଡ଼ିଥିଲା । ଗତ ମାସ ୧୩ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଆସନ୍ତା ମାସ ୧୦ରେ ଭୋଟ ଓ ୧୩ରେ ଫଳାଫଳ ପ୍ରକାଶ ପାଇବ । ନବଙ୍କ ଝିଅ ଦିପାଳୀଙ୍କୁ ଟିକେଟ ଦେଇ ବିଜେଡି ସହାନୁଭୂତି ପୂର୍ବକ ଭୋଟ ହାତେଇବା ଲକ୍ଷ୍ୟରେ ରହିଥିବା ବେଳେ ଧାମନଗର ଉପନିର୍ବାଚନର ପୁନରାବୃତ୍ତି ଝାରସୁଗୁଡ଼ାରେ କରିବା ଲକ୍ଷ୍ୟରେ ରହିଛି ବିଜେପି । ସେହିପରି କଂଗ୍ରେସ ମଧ୍ୟ ନିକଟରେ ବରିଷ୍ଠ ଉପସଭାପତି, ଉପସଭାପତି, ସାଧାରଣ ସମ୍ପାଦକ ଆଦି ବିଭିନ୍ନ ପଦରେ ନୂଆ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ନେଇ ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ ହୋଇପାରିଛି ।

Get real time updates directly on you device, subscribe now.