fbpx

ଓଡ଼ିଆ Typing ନ ଶିଖିଲେ ଚାଲିଯିବ ଚାକିରି: ସରକାରୀ ଚାକିରିଆଙ୍କୁ BMC ଛାଟ

ଭୁବନେଶ୍ୱର: ସରକାରୀ ଚାକିରିଆଙ୍କ ପାଇଁ ବିଏମସି ଦେଇଛି କଡ଼ା ତାଗିଦ୍ । ସମସ୍ତଙ୍କୁ ଓଡ଼ିଆ ଟାଇପିଙ୍ଗ ଶିଖିବା ପାଇଁ ବାଧ୍ୟ କରିଛନ୍ତି ବିଏମସି କର୍ତ୍ତୃପକ୍ଷ । ପ୍ରତି ମିନିଟକୁ ଶୁଦ୍ଧ ଓଡ଼ିଆରେ ୬୦ ଶବ୍ଦ ଟାଇପ୍ କରି ଶିଖିବା ବାଧ୍ୟତାମୂଳକ ହୋଇଯାଇଛି । ନଚେତ୍ ଚାକିରି ଛାଡ଼ିବା ପାଇଁ ବାଧ୍ୟ ହେବେ କର୍ମଚାରୀ । ଏ ନେଇ ଏକ କଡ଼ା ନିର୍ଦ୍ଦେଶନାମା ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ । ଓଡ଼ିଆ ଭାଷାକୁ ଉଚିତ୍ ସମ୍ମାନ ଦେବା ପାଇଁ ନୂଆ ସରକାର ପ୍ରୟାସ ଜାରି ରଖିଛନ୍ତି । ତେଣୁ ପ୍ରତ୍ୟେକ ବିଭାଗରେ ସମସ୍ତ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଓଡ଼ିଆ ଅସ୍ମିତାକୁ ସ୍ୱତନ୍ତ୍ର ପରିଚୟ ଏବଂ ଉଚିତ୍ ସମ୍ମାନ ଦେବା ପାଇଁ ସମସ୍ତ ଅଫିସ କାର୍ଯ୍ୟ ପରିଚାଳନା ପାଇଁ ଓଡ଼ିଆ ଭାଷାର ପ୍ରୟୋଗ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ । ଏହାପରେ ଅର୍ଥ ବିଭାଗ ପକ୍ଷରୁ ମଧ୍ୟ ଏ ନେଇ ନିର୍ଦ୍ଦେଶନାମା ଜାରି ହୋଇଥିଲା । ତେବେ ବର୍ତ୍ତମାନ ଏହି ନିୟମ ଭୁବନେଶ୍ୱର ମହାନଗର ନିଗମରେ ପହଞ୍ଚିଛି । ବିଏମସିରେ କାର୍ଯ୍ୟ କରୁଥିବା ସମସ୍ତ ଏସଏମଏଟି ଏବଂ ଡିଇଓଙ୍କୁ ଓଡ଼ିଆ ଭାଷାରେ ଚିଠି ଏବଂ ଫାଇଲ କାର୍ଯ୍ୟ କରିବାକୁ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ତେଣୁ ଏଜେନ୍ସିକୁ ଶୁଦ୍ଧ ଓଡ଼ିଆ ଜାଣିଥିବା କର୍ମଚାରୀଙ୍କୁ ନିୟୋଜିତ କରିବା ପାଇଁ ଏଜେନ୍ସିକୁ ନିର୍ଦ୍ଦେଶ ମିଳିଛି । ଏଥିପାଇଁ ଓଡ଼ିଆ ଭାଷାରେ ପରୀକ୍ଷା କରିବା ପାଇଁ ସମସ୍ତ ଡିଇଓଙକୁ ନିର୍ଦ୍ଦେଶ ଦିଆଯାଇଛି ।

ନଭେମ୍ବର ମାସ ସୁଦ୍ଧା ଏହି ପରୀକ୍ଷା ଅନୁଷ୍ଠିତ ହେବ । ଜଣେ ଡିଇଓ ଓଡ଼ିଆ ଆକୃତିରେ ଚିଠି ଏବଂ ଫାଇଳ କାମ ଜାଣିବା ନିହାତି ଆବଶ୍ୟକ । ବିଭିନ୍ନ ସରକାରୀ ସଂସ୍ଥାରେ ଠିକା ଭାବରେ କାମ କରୁଥିବା ଡିଇଓଙ୍କ କ୍ଷେତ୍ରରେ ଏହି ନିୟମ ଖୁବଶୀଘ୍ର ଲାଗୁ ହେବ । ସେପଟେ ଆସନ୍ତା ୨୨ ତାରିଖରେ ବିଏମସି ପକ୍ଷରୁ ଏକ ଓଡ଼ିଆ କ୍ଲାସର ବ୍ୟବସ୍ଥା କରାଯାଇଛି । ଏଥିରେ ସମସ୍ତ ଏସଏମଟିଏ ସାମିଳ ହୋଇ ଓଡ଼ିଆ ବର୍ଣ୍ଣମାଳା ଶିଖିପାରିବେ । ତେବେ ଆଗକୁ ଖୁବଶୀଘ୍ର ଏହି ନିୟମ ବିଏମସିର ବଡ଼ ଅଫିସରମାନଙ୍କ ପାଇଁ ମଧ୍ୟ ଲାଗୁ କରାଯିବ ।

Get real time updates directly on you device, subscribe now.