ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଆଡିଲେଡରେ ଦ୍ୱିତୀୟ ଟେଷ୍ଟ ଖେଳାଯିବାକୁ ଥିବାବେଳେ ତା’ ପୂର୍ବରୁ କଙ୍ଗାରୁ ଟିମକୁ ଲାଗିଛି ଏକ ବଡ଼ ଝଟକା । ଦଳର ଷ୍ଟାର ପେସର ଜୋଶ ହେଜଲଉଡ୍ ଆଡିଲେଡ୍ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି । ପ୍ରଥମ ଟେଷ୍ଟରେ ଭାରତ କଙ୍ଗାରୁ ବିପକ୍ଷରେ ୨୯୫ ରନର ଐତିହାସିକ ବିଜୟ ହାସଲ କରିଥିବା ବେଳେ ଦ୍ୱିତୀୟ ଟେଷ୍ଟରେ ହେଜଲଉଡଙ୍କ ଅନୁପସ୍ଥିତି ନିଶ୍ଚିତ ଦଳର ପ୍ରଦର୍ଶନକୁ ପ୍ରଭାବିତ କରିବ । ଭାରତ ଏବେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଥିବା ବେଳେ ଅଷ୍ଟ୍ରେଲିଆ ବିଜୟ ଟ୍ରାକକୁ ଫେରିବାକୁ ସଂଘର୍ଷ କରୁଛି ।
ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ହେଜଲଉଡ୍ ୨୯ ରନ୍ ଦେଇ ୪ ୱିକେଟ ଅକ୍ତିଆର କରିଥିଲେ । ହେଜଲଉଡଙ୍କ ଉଚ୍ଚକୋଟୀର ବୋଲିଂ ବଳରେ ଭାରତ ମାତ୍ର ୧୫୦ ରନରେ ସୀମିତ ରହିଥିଲା । ଏହାପରେ ଦ୍ୱିତୀୟ ଇନିଂସରେ ମଧ୍ୟ ହେଜଲଉଡ୍ ଗୋଟିଏ ୱିକେଟ ନେଇଥିଲେ । ପୂର୍ବ ଥର ଭାରତ ବିପକ୍ଷରେ ଆଡିଲେଡରେ ହୋଇଥିବା ମୁକାବିଲାରେ ହେଜଲଉଡ୍ ୮ ରନ୍ ଦେଇ ୫ ୱିକେଟ ଅକ୍ତିଆର କରିଥିଲେ । ତେଣୁ ହେଜଲଉଡଙ୍କ ସ୍ଥାନ ଏବେ କିଏ ପୂରଣ କରିବା ତାହା ଏବେ କଙ୍ଗାରୁ ପାଇଁ ଏକ ବଡ଼ ଚିନ୍ତା ପାଲଟିଛି । ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି) ପଏଣ୍ଟସ ଟେବୁଲରେ ଭାରତ ଏବେ ଟପରେ ରହିଥିବା ବେଳେ ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ରହିଛି ।