ପୁରୀ ଆସି ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇଥିଲା ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଜ୍ୟୋତି !

ପୁରୀରେ କି ଷଡ଼ଯନ୍ତ୍ର ରଚିଥିଲା ଜ୍ୟୋତି ମଲହୋତ୍ରା?

ନୂଆଦିଲ୍ଲୀ:  ଗୋଟେ ପରେ ଗୋଟେ ଗୁମର ଖୋଲୁଛି। ହରିୟାଣା ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା ପାକିସ୍ତାନ ଆଇଏସ୍‌ଆଇ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଗିରଫ ହେବା ପରେ ଦିନକୁ ଦିନ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସୁଛି।

ଆଉ ସବୁଠାରୁ ବଡ଼ କଥା ହେଉଛି ଜ୍ୟୋତି ୨୦୨୪ ମସିହାରେ ପୁରୀ ଆସିଥିଲେ। ଏବଂ ସେଠାରେ ସେ ୟୁଟ୍ୟୁବର ପ୍ରିୟଙ୍କାଙ୍କ ସହ ବୁଲାବୁଲି ମଧ୍ୟ କରିଥିଲେ। ହେଲେ ଜ୍ୟୋତି ସେତେବେଳେ ପୁରୀ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇ ଅଟକ ରହିଥିଲେ।

ହେଲେ ପ୍ରିୟଙ୍କାଙ୍କ ଅନୁରୋଧ କ୍ରମେ ପୁରୀ ପୋଲିସ ଜ୍ୟୋତିଙ୍କୁ ଛାଡ଼ିଥିଲା। ତେଣୁ ଏବେ ସନ୍ଦେହ ହେଉଛି, ଯେହେତୁ ଜ୍ୟୋତି ପାକିସ୍ତାନ ଆଇଏସ୍‌ଆଇ ପାଇଁ ଗୁଇନ୍ଦାଗିରି କରୁଥିବା ନେଇ ଅଭିଯୋଗ ହୋଇଛି, ତେଣୁ ଜଗନ୍ନାଥ ମନ୍ଦିର ଉପରେ ଡ୍ରୋନ ଉଡାଇବା ନେଇ ତାଙ୍କର କିଛି ମନ୍ଦ ଉଦ୍ଦେଶ୍ୟ ନ ଥିଲା ତ?

ଯାହାକୁ ନେଇ ଏବେ ତନାଘନା ଆରମ୍ଭ ହୋଇଛି। ଜ୍ୟୋତି ଗିରଫ ହେବା ପରେ ପୁରୀ ଝିଅ ପ୍ରିୟଙ୍କାଙ୍କର ମଧ୍ୟ ଅଡୁଆ ବଢିଛି। ଦୁହେଁ ପୁରୀରେ ଅନେକ ସମୟ ସାଙ୍ଗରେ ସମୟ ବିତାଇଥିବାର ଫଟୋ ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଛି। ପୁରୀ ଏସ୍‌ପି କହିଛନ୍ତି, ଏନଆଇଏ ଏଯାଏଁ ପ୍ରିୟଙ୍କାଙ୍କୁ ଜେରା କରିନି। କିନ୍ତୁ ଆଗକୁ ଏନଆଇଏ ସ୍କାନରକୁ ଆସିପାରନ୍ତି ପ୍ରିୟଙ୍କା।