fbpx

BJP ଛାଡ଼ି ପୁଣି Congressକୁ ଫେରିବେ ସିନ୍ଧିଆ? ରାଜନୈତିକ ମହଲରେ ଆରମ୍ଭ ହେଲା ହଲଚଲ୍

ନୂଆଦିଲ୍ଲୀ: ରାଜନୀତିରେ ଦଳବଦଳ କିଛି ବଡ଼ କଥା ନୁହେଁ । ତେବେ ବର୍ତ୍ତମାନ ଦେଶର ଦୁଇଟି ରାଜ୍ୟରେ ବିଧାନସଭା ନିର୍ବାଚନ ଜାରି ରହିଥିବା ବେଳେ କିଛି ରାଜ୍ୟରେ ଉପନିର୍ବାଚନ ପ୍ରକ୍ରିୟା ଚାଲିଛି । ଏହା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏକଦା ରାହୁଲ ଗାନ୍ଧିଙ୍କ ଅତ୍ୟନ୍ତ ବିଶ୍ୱସ୍ତ କୁହାଯାଉଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ନେଇ ଏକ ବଡ଼ ଚର୍ଚ୍ଚା ହେଉଛି ।

ସୂଚନା ମୁତାବକ, ନିକଟରେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ସିନ୍ଧିଆଙ୍କୁ ନେଇ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି । ରମେଶ କହିଛନ୍ତି, ସିନ୍ଧିଆ ଜଣେ ଗଦ୍ଦାର, ଅସଲି ଗଦ୍ଦାର ଓ ୨୪ କ୍ୟାରେଟର ଗଦ୍ଦାର । ଯଦି ସିନ୍ଧିଆଙ୍କୁ ପାର୍ଟିର ଅଧ୍ୟକ୍ଷ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ପଦ, ରାଜ୍ୟସଭା ସିଟ୍ ଅଫର କରାଯାଏ, ତେବେ ସେ କଂଗ୍ରେସ ଛାଡ଼ିଦେବା କେତେଦୂର ଯୁକ୍ତିଯୁକ୍ତ? ପାର୍ଟି ଛାଡ଼ିବା ପରେ କପିଲ ସିବଲଙ୍କ ପରି ଲୋକଙ୍କୁ ଘରକୁ ଫେରାଇ ଅଣାଯାଇପାରେ, ମାତ୍ର ସିନ୍ଧିଆ କି ହିମନ୍ତ ବିଶ୍ୱ ଶର୍ମାଙ୍କ ପରି ଲୋକଙ୍କୁ ନୁହେଁ । ମୋ ମତରେ ଯେଉଁ ଲୋକମାନେ କଂଗ୍ରେସ ଛାଡ଼ି ସାରିଛନ୍ତି, ସେମାନଙ୍କୁ ପୁନର୍ବାର ସ୍ୱାଗତ କରିବା ଅନୁଚିତ ।

ଯେଉଁ ଲୋକମାନେ ଦଳ ଛାଡ଼ିବା ପରେ ଗାଳି ଦେଉଛନ୍ତି, ସେମାନଙ୍କୁ ପୁନର୍ବାର ଦଳରେ ଗ୍ରହଣ କରାଯିବା ଠିକ୍ ନୁହେଁ । ଯେଉଁ ନେତାମାନେ ନିଜର ଗାରିମା ବଜାୟ ରଖିଛନ୍ତି, ସେମାନଙ୍କୁ ଦଳକୁ ଫେରାଇ ଆଣିବା ସମ୍ଭବ । ମାତ୍ର ଯେଉଁମାନେ ନେତୃତ୍ୱକୁ ପଦାଘାତ କରିଛନ୍ତି ସେମାନଙ୍କୁ କଦାପି ନୁହେଁ । ଗତ ୨୦୨୦ରେ ସିନ୍ଧିଆ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେବା ପରେ ମଧ୍ୟପ୍ରଦେଶରେ କଂଗ୍ରେସ ସରକାରର ପତନ ଘଟିଥିଲା । ପରେ ସିନ୍ଧିଆଙ୍କୁ ବିଜେପି କେନ୍ଦ୍ରମନ୍ତ୍ରୀ କରିଥିଲା । ତେବେ ଜୟରାମ ରମେଶ ସିନ୍ଧିଆଙ୍କୁ ନେଇ ଏପରି କାହିଁକି କହିଲେ, ସେନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜାରି ରହିଛି । ସତରେ କ’ଣ ସିନ୍ଧିଆ କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ ନେଇ ଭିତିରିଆ ସଙ୍କେତ ଦେଇ ସାରିଛନ୍ତି ?

Get real time updates directly on you device, subscribe now.