fbpx

କହ୍ନେୟା କୁମାରଙ୍କୁ ମିଳିବ ବଡ଼ ଦାୟିତ୍ୱ: ଡାଇରେକ୍ଟ ପ୍ରମୋସନକୁ ନେଇ କଂଗ୍ରେସ ନେତାଙ୍କ ମଧ୍ୟରେ ଛନକା!

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପାଇଁ ସାରା ଦେଶର ରାଜନୈତିକ ମାହୋଲ ଏବେ ଚଳଚଞ୍ଚଳ ହୋଇ ଉଠିଛି । ବିଭିନ୍ନ ରାଜ୍ୟରେ ନିଜ ନିଜର ସଂଗଠନକୁ ସଜାଡ଼ିବା ଆରମ୍ଭ କରିବା ସହ ନୂଆ ପ୍ଲାନ ପ୍ରସ୍ତୁତିରେ ସବୁ ଦଳମାନେ ଲାଗିପଡ଼ିଛନ୍ତି । ତେବେ ଏହା ମଧ୍ୟରେ କଂଗ୍ରେସ ଶିବିରରୁ ଏକ ବଡ଼ ଅପଡେଟ୍ ଆସିଛି । ଜବାହରଲାଲ ନେହରୁ (ଜେଏନୟୁ)ର ପୂର୍ବତନ ଛାତ୍ରନେତା କହ୍ନେୟା କୁମାରଙ୍କୁ କଂଗ୍ରେସ ଏକ ବଡ଼ ଦାୟିତ୍ୱ ଦେଇପାରେ ।

ଏକ ସୂତ୍ର ମୁତାବକ, କହ୍ନେୟା ଦିଲ୍ଲୀ ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ଦାୟିତ୍ୱ ସମ୍ଭାଳି ପାରନ୍ତି ଏଥିସହିତ ତାଙ୍କୁ ଯୁବ କଂଗ୍ରେସର ମୁଖ୍ୟ ପଦରେ ବସାଇବା ନେଇ ବିଚାର ଚାଲିଛି । ପଞ୍ଜାବ, ଉତ୍ତରପ୍ରଦେଶ, ବିହାର ସମେତ ଅଧିକାଂଶ ରାଜ୍ୟରେ କଂଗ୍ରେସକୁ ବାରମ୍ବାର ପରାଜୟର ସାମ୍ନା କରିବାକୁ ପଡ଼ୁଛି । ସେଥିପାଇଁ ଦଳ କହ୍ନେୟାଙ୍କୁ ନେଇ ଏକ ବଡ଼ ପ୍ଲାନ କରୁଛି । ବାମପନ୍ଥୀ ଦଳ ସିପିଆଇରୁ ଆସିଥିବା କହ୍ନେୟାଙ୍କୁ ଦଳରେ ଏକ ଗୁରୁଦାୟିତ୍ୱ ମିଳିବାର ସମ୍ଭାବନା ରହିଛି ।

ତେବେ ଦଳ ଯଦି କହ୍ନେୟାଙ୍କୁ ପ୍ରମୋଟ କରେ, ତେବେ ଏହାଦ୍ୱାରା ଦଳରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିବ । କହ୍ନେୟାଙ୍କୁ ଆଗକୁ ଆଣି ଦଳ ଯୁବବର୍ଗଙ୍କୁ ଏକ ବଡ଼ ସନ୍ଦେଶ ଦେବାକୁ ଚାହିଁବ । ଅଧିକାଂଶ ସମୟରେ କହ୍ନେୟା ପିଏମ୍ ନରେନ୍ଦ୍ର ମୋଦୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ଆକ୍ରମଣ କରିଥାନ୍ତି । ତେଣୁ ଠିକ୍ ସମୟରେ ଉପଯୁକ୍ତ ବାଣ ପ୍ରୟୋଗ କରି କଂଗ୍ରେସ ଫାଇଦା ନେବାକୁ ପ୍ରୟାସ କରିବ । ତେବେ କହ୍ନେୟାଙ୍କୁ ନେଇ ହେଉଥିବା ଚର୍ଚ୍ଚାକୁ ନେଇ କଂଗ୍ରେସ ଶିବିରର କିଛି ନେତା ନିଜକୁ ଅସହଜ ମନେ କଲେଣି । ଏତେଶୀଘ୍ର ଜଣେ ବାହାର ନେତାଙ୍କୁ ପ୍ରମୋସନ ଦେବା ଠିକ୍ ନୁହେଁ ବୋଲି ଅନେକ ମତ ଦେଇଛନ୍ତି । ଏଠାରେ କହିବାର କଥା, ରାଜ୍ୟରେ କହ୍ନେୟାଙ୍କୁ ବଡ଼ ରୋଲ ଦେବା ପ୍ରସଙ୍ଗରେ ବିହାର କଂଗ୍ରେସ ବିରୋଧ କରୁଛି । ତେଣୁ ଏଭଳି ସ୍ଥିତିରେ ତାଙ୍କୁ ଦିଲ୍ଲୀ କାହିଁକି ପଠାଯାଉଛି ବୋଲି ଅନେକ ପ୍ରଶ୍ନ ଉଠାଇଛନ୍ତି ।

Get real time updates directly on you device, subscribe now.