fbpx

ବାସ୍ତୁଦୋଷ ଥିବାରୁ ବର୍ଷ ବର୍ଷ ଧରି ବନ୍ଦ ରହିଥିଲା ବିଧାନସଭାର ଦକ୍ଷିଣ ଦ୍ୱାର, ମୁଖ୍ୟମନ୍ତ୍ରୀ ଦ୍ୱାର ଖୋଲାଇବା ସହ ନିଜେ ପ୍ରଥମେ କଲେ ପ୍ରବେଶ

ବାଙ୍ଗାଲୁର:କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଗତ ଶନିବାର ନିଜ ଅଧିକାରୀଙ୍କ ସହ ବୈଠକ ଲାଗି ବିଧାନସଭାରେ ଥିବା ନିଜ କାର୍ଯ୍ୟାଳୟକୁ ଯାଉଥିଲେ । ଏହି ସମୟରେ ସେ ବିଧାନସଭାର ଦକ୍ଷିଣ ଦ୍ୱାର ବନ୍ଦ ଥିବାର ଦେଖିଥିଲେ । ଯେତେବେଳେ ସେ ଅଧିକାରୀଙ୍କୁ ଏ ବିଷୟରେ ପଚାରିଥିଲେ ସେତେବେଳେ ସେମାନେ କହିଥିଲେ ବାସ୍ତୁ ଦୋଷ କାରଣରୁ ଏହି ଦ୍ୱାର ବର୍ଷ ବର୍ଷ ଧରି ବନ୍ଦ ରହିଛି । ଏହାପରେ ମୁଖ୍ୟମନ୍ତ୍ରୀ ଏହି ଗେଟ୍ ଖୋଲିବାକୁ କହିଥିଲେ ଓ ନିଜେ ପ୍ରଥମେ ସେହି ଦ୍ୱାର ଦେଇ ପ୍ରବେଶ କରିଥିଲେ । ଏବେ ଏହାର ଭିଡିଓ ସୋସିଆଲ୍ ମିଡିଆରେ ଜୋରଦାର ସେୟାର ହେବାରେ ଲାଗିଛି ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଶନିବାର ବିଧାନସଭାର ଦକ୍ଷିଣ ଦ୍ୱାର ଖୋଲାଇଛନ୍ତି । ଅଶୁଭ କୁହାଯାଇ ବହୁ ବର୍ଷ ତଳୁ ଏହି ଗେଟ୍ କୁ ବନ୍ଦ ରଖାଯାଇଥିଲା । ତେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ସେହି ଦକ୍ଷିଣ ଦ୍ୱାରରୁ ହିଁ ପ୍ରବେଶ ଓ ପ୍ରସ୍ଥାନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଅନ୍ନ ଭାଗ୍ୟ ଯୋଜନା ବିଷୟରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ଲାଗି ଗତକାଲି ବିଧାନସଭାସ୍ଥ ନିଜ କାର୍ଯ୍ୟାଳୟକୁ ଆସିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ନଜର ପଡିଥିଲା ଯେ, ବିଧାନସଭାର ଦକ୍ଷିଣ ଦ୍ୱାର ବନ୍ଦ ରହିଛି । ସେ ଅଧିକାରୀଙ୍କୁ ଏ ବିଷୟରେ ପଚାରିଥିଲେ । ସେମାନେ କହିଥିଲେ ଏହି ଦ୍ୱାରକୁ ଅଶୁଭ ମନେ କରାଯାଉଥିବାରୁ ଏହାକୁ କେବେ ଖୋଲା ଯାଇ ନ ଥାଏ । ସିଦ୍ଧରମୈୟା କିଛି ସମୟ ପର୍ଯ୍ୟନ୍ତ ଏହି ଦ୍ୱାର ସାମନାରେ ଛିଡା ହେବା ପରେ ଅଧିକାରୀଙ୍କୁ ଏହା ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ନିଜ କାର୍ଯ୍ୟାଳୟରେ ପହଞ୍ଚି ସିଦ୍ଧରମୈୟା ସମସ୍ତ ଅଧିକାରୀଙ୍କୁ ବାସ୍ତୁର ବାଖ୍ୟା କରି ଶୁଣାଇଥିଲେ । ସେ କହିଥିଲେ ଏକ ଭଲ ବାସ୍ତୁ ହେଉଛି ତାହା ଯାହା ଆପଣଙ୍କୁ ସୁସ୍ଥ ମସ୍ତିଷ୍କ, ସୁନ୍ଦର ହୃଦୟ ଓ ଲୋକଙ୍କ ଲାଗି କାମ କରିବାକୁ ପ୍ରୋତ୍ସାହିତ କରିଥାଏ । ଏକ ଭଲ ବାସ୍ତୁ ନିୟମ ଅନୁଯାୟୀ ନିର୍ମିତ ଘରୁ ପ୍ରାକୃତିକ ଆଲୋକ ଓ ସ୍ୱଚ୍ଛ ବାୟୁ ଆସିବା ଜରୁରୀ ।

ଜଣେ ଅଧିକାରୀ କହିଛନ୍ତି , ସିଦ୍ଧରମୈୟାଙ୍କ ପୂର୍ବରୁ କୌଣସି ବି ମୁଖ୍ୟମନ୍ତ୍ରୀ ଏହି ଦକ୍ଷିଣ ଦ୍ୱାର ଖୋଲିବାକୁ ସାହାସ କରି ନ ଥିଲେ । ଅନ୍ୟପକ୍ଷରେ ଦକ୍ଷିଣ ଦ୍ୱାରର ଉଦଘାଟନ ଶନିବାର ହୋଇଥିବାରୁ ଏହା ଜୀବନରେ ଦୁଃଖ ଓ ସମସ୍ୟା ଆଣିବ ବୋଲି ଆଶଙ୍କା କରାଯାଉଛି । ତେବେ ସିଦ୍ଧରମୈୟାଙ୍କ ଏହି ପଦକ୍ଷେପକୁ ବହୁ ୟୁଜର ପ୍ରଶଂସା କରିଛନ୍ତି । ଅନ୍ଧବିଶ୍ୱାସକୁ ହଟାଇବା ଦିଗରେ ଏହା ଏକ ଉତ୍ତମ ପଦକ୍ଷେପ ବୋଲି ବହୁ ୟୁଜର କହିଛନ୍ତି ।

Get real time updates directly on you device, subscribe now.