fbpx

ଖାଲଢିପ ମାନୁନି ‘ପ୍ରଜ୍ଞାନ’: ଏକ ବଡ଼ ବିପଦରୁ ଚନ୍ଦ୍ରଯାନକୁ ରକ୍ଷା କରିଦେଲା ଲାଣ୍ଡର ‘ବିକ୍ରମ’

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ପହଞ୍ଚିବା ପରଠାରୁ ଲାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ଜହ୍ନ ରାଇଜ ସାରା ଘୁରି ବୁଲୁଛନ୍ତି । ଆଗେ ଆଗେ ରୋଭର ‘ପ୍ରଜ୍ଞାନ’ ଯାଉଥିବା ବେଳେ ଲାଣ୍ଡର ବିକ୍ରମ ତାକୁ ବାଟ ଦେଖାଇ ଚାଲିଛି । ଏହାସହିତ ଆଗକୁ ଆସୁଥିବା ବିପଦଗୁଡ଼ିକୁ ନେଇ ମଧ୍ୟ ସତର୍କ କରାଇ ଦେଉଛି ବିକ୍ରମ । ତେବେ ପ୍ରଜ୍ଞାନ ମଧ୍ୟ ବିପଦ ପ୍ରତି ଖୁବ ସାବଧାନ ଏବଂ ସତର୍କ ରହିଛି । ଏଣିକି ନିଜ ରାସ୍ତା ନିଜେ ଖୋଜି ପାଇବାରେ ସକ୍ଷମ ହୋଇଛି ରୋଭର ‘ପ୍ରଜ୍ଞାନ’ । ଚନ୍ଦ୍ରପୃଷ୍ଠରେ ଥିବା ଅନେକ ଖାଲ-ଢିପ କିଛି ନ ମାନି ଦ୍ରୁତ ଗତିରେ ଜହ୍ନମାମୁଁ ରାଇଜରେ ବୁଲି ତଥ୍ୟ ସଂଗ୍ରହ କରିବାରେ ଲାଗିଛି ।

ତେବେ ଏହି ବୁଲାବୁଲି କରିବା ବେଳେ ରୋଭର ‘ପ୍ରଜ୍ଞାନ’ ପ୍ରତି ଏକ ବଡ଼ ବିପଦ ମାଡ଼ି ଆସିଥିଲା । ଏହାସହିତ ଧକ୍କା ହୋଇଥିଲେ ପ୍ରାୟ ‘ପ୍ରଜ୍ଞାନ’ ନଷ୍ଟ ହୋଇଯାଇଥାନ୍ତା ଏବଂ ଭାରତର ଚନ୍ଦ୍ରଯାନ ମିଶନ୍ ଅଧାରେ ରହି ଯାଇଥାନ୍ତା ବୋଲି କୁହାଯାଉଛି । କିନ୍ତୁ ଉଚିତ୍ ସମୟରେ ବିକ୍ରମ ପ୍ରଜ୍ଞାନକୁ ବଞ୍ଚାଇ ଦେଇଛି । ଏକ ବଡ଼ ଗର୍ତ୍ତ ଭିତରେ ଖସି ପଡ଼ିବା ପୂର୍ବରୁ ପ୍ରଜ୍ଞାନକୁ ଉଚିତ କମାଣ୍ଡ ଦେଇ ଏହାର ଗତିପଥ ବଦଳାଇ ଦେଇଛି ବିକ୍ରମ । ଯାହା ଫଳରେ ଭାରତର ମୁନ୍ ମିଶନ୍ ଫେଲ ହେବାରୁ ଅଳ୍ପକେ ବର୍ତ୍ତି ଯାଇଛି । ଚନ୍ଦ୍ରମାର ଏକ ୧୦୦ ମି.ମି କ୍ରେଟରରେ ଫସିବାକୁ ଯାଉଥିଲା ରୋଭର ପ୍ରଜ୍ଞାନ । କିନ୍ତୁ ଏହାପୂର୍ବରୁ ଲାଣ୍ଡର ବିକ୍ରମ ଏବଂ ଇସ୍ରୋ କଣ୍ଟ୍ରୋଲ ରୁମରୁ ପ୍ରଜ୍ଞାନକୁ ଏକ କମାଣ୍ଡ ଦିଆଯାଇଥିଲା ।

କମାଣ୍ଡ ପାଇବା ମାତ୍ରେ ପଛକୁ ଫେରି ଯାଇଛି ରୋଭର ପ୍ରଜ୍ଞାନ । କଣ୍ଟ୍ରୋଲ ରୁମର ଗୋଟିଏ କମାଣ୍ଡ ପ୍ରଜ୍ଞାନର ଗତିପଥ ବଦଳାଇ ଦେଇଛି । ଫଳରେ ଏକ ବଡ଼ ବିପଦରୁ ଉଦ୍ଧାର ହୋଇଯାଇଛି ଭାରତର ଚନ୍ଦ୍ରଯାନ । ଅତି ସାବଧାନତାର ସହ ପ୍ରଜ୍ଞାନ ଏହି କ୍ରେଟରକୁ ଅତିକ୍ରମ କରି ସୁରକ୍ଷିତ ଭାବରେ ଆଗେଇ ଯାଇଛି । ତେବେ ଏହି ବିପଦରୁ ଉଦ୍ଧାର ହେବା ପରେ ଖୁସି ହୋଇ ଯାଇଛନ୍ତି ଇସ୍ରୋର ବୈଜ୍ଞାନିକ । ପ୍ରଜ୍ଞାନର ଏହି ସଫଳତା ଭାରତର ଚନ୍ଦ୍ରଯାନ ମିଶନକୁ ନେଇ ଆହୁରି ଉତ୍ସାହ ବଢାଇ ଦେଇଛି ।

Get real time updates directly on you device, subscribe now.