fbpx

ଖେଲୋ ଇଣ୍ଡିଆକୁ ପୁଣିଥରେ ଖେଳ ବଜେଟରେ ମିଳିଛି ବଡ ଅଂଶ, ଖେଳିବ ଇଣ୍ଡିଆ, କ୍ରୀଡାରେ ବଢିବ ଭାରତ

ଓଡିଶା ଭାସ୍କର: ସରକାର ଗତକିଛି ବର୍ଷ ହେବ ଖେଲୋ ଇଣ୍ଡିଆରେ ବଡଧରଣର ନିବେଶ କରୁଛନ୍ତି । ନିମ୍ନସ୍ତରରରୁ ଖେଳାଳିଙ୍କୁ ଚିହ୍ନଟ କରି ଅନ୍ତର୍ଜାତୀୟସ୍ତରରେ ସେମାନେ ପ୍ରସ୍ଫୁଟିତ ହେବାର ଏକ ସୁନ୍ଦର ପ୍ରୟାସ ହେଉଛି ଏହି ଖେଲୋ ଇଣ୍ଡିଆ । ସେଥିପାଇଁ କେନ୍ଦ୍ରୀୟ ବଜେଟରେ ଖେଳ ମନ୍ତ୍ରଣାଳୟ ପାଇଁ ମଧ୍ୟ ଅର୍ଥରାଶିର ବର୍ଷା ହୋଇଛି । ଯାହାଦ୍ୱାରା ଏଥିରେ ପ୍ରତିଭା ଗ୍ରାମାଞ୍ଚଳସ୍ତରରୁ ଆସି ଦେଶ ତଥା ଅନ୍ତର୍ଜାତୀୟସ୍ତରରେ ଭାରତର ନାମକୁ ମହିମାନ୍ୱିତ କରିପାରିବେ । ବଜେଟର ମୋଟ ଆବଣ୍ଟନ ୩୪୪୨.୩୨ କୋଟିରୁ ପ୍ରାୟ ୯୦୦ କୋଟି ମିଳିଛି ଏହି ଖେଲୋ ଇଣ୍ଡିଆ ପାଇଁ ।

ବିତ୍ତମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରସ୍ତୁତ କରିଥିବା ଏହି ବଜେଟରେ ଖେଲୋ ଇଣ୍ଡିଆ ପାଇଁ ଗତ ବଜେଟ ଅପେକ୍ଷା ଏଥର ଅଧିକ ଅର୍ଥରାଶି ପ୍ରଦାନ କରାଯାଇଛି । ବିଗତ ବଜେଟରେ ଖେଲୋ ଇଣ୍ଡିଆକୁ ପ୍ରାୟ ୮୮୦ କୋଟି ମିଳିଥିଲା । ଏଥର ବଜେଟରେ କିନ୍ତୁ ୨୦ କୋଟି ଅଧିକ ମାନେ ପୁରା ୯୦୦ କୋଟି ପ୍ରଦାନ କରାଯାଇଛି । ଚଳିତବର୍ଷ ପ୍ୟାରିସ ଅଲମ୍ପିକ୍ସ ଥିବାରୁ ଏବଂ ଆଗାମୀ ଦିନରେ ରାଜ୍ୟଗୋଷ୍ଠୀ କ୍ରୀଡା ଓ ଏସିଆନ ଗେମ୍ସ ରହିଛି । ଫଳରେ ଖେଳ ମନ୍ତ୍ରଣାଳୟକୁ ମଧ୍ୟ ଏଥର ପ୍ରାୟ ୪୫.୩୬ କୋଟି ଅଧିକ ଟଙ୍କା ମିଳିଛି ।

ସେହିଭଳି ୨୦୨୨-୨୩ ଆର୍ଥିକ ବର୍ଷରେ ଖେଲୋ ଇଣ୍ଡିଆର ଆବଣ୍ଟନ ଥିଲା ପ୍ରାୟ ୫୯୬.୩୯ କୋଟି, ୨୦୨୩-୨୪ ବର୍ଷରେ ପ୍ରାୟ ୪୦୦ କୋଟି ଅଧିକ ବଢାଇ ହଜାରେ କୋଟି କରାଯାଇଥିଲା । ପରେ ଏହାକୁ ସଂଶୋଧିତ କରାଯାଇ ପ୍ରାୟ ୮୮୦ କୋଟି କରାଯାଇଥିଲା । ଆଉ ଏବେ ଏହାର ପରିମାଣ ରହିଛି ୯୦୦ କୋଟି ଟଙ୍କା ।

Get real time updates directly on you device, subscribe now.