‘ବିରାଟ’ ରେକର୍ଡ ଭାଙ୍ଗିଲେ କିଙ୍ଗ କୋହଲି: ଟେଷ୍ଟ କ୍ରିକେଟରେ ୯,୦୦୦ ରନ୍ କରି ସୃଷ୍ଟି କଲେ ଇତିହାସ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ନିଜକୁ ସମ୍ଭାଳିଛି ଟିମ ଇଣ୍ଡିଆ । ପ୍ରଥମ ଇନିଂସରେ ମାତ୍ର ୪୬ରେ ଅଲ ଆଉଟ ହେବା ପରେ ଏକ ବିଶାଳ ସ୍କୋର ଛିଡ଼ା କରିଛି ନ୍ୟୁଜିଲାଣ୍ଡ । ଏହାପରେ ଦ୍ୱିତୀୟ ଇନିଂସରେ ଯଶସ୍ୱୀ ଜଏସ୍ୱାଲ ଏବଂ ଅଧିନାୟକ ରୋହିତଙ୍କ ପରେ ବିରାଟ କୋହଲି ଏବଂ ସରଫରାଜ ଖାନ୍ ଦଳକୁ ଆଗେଇ ନେଉଛନ୍ତି । ଉଭୟ ଖେଳାଳି ନିଜ ଅର୍ଦ୍ଧଶତକ ହାସଲ କରି ନ୍ୟୁଜିଲାଣ୍ଡର ରନକୁ ପଛରେ ପକାଇବା ପାଇଁ ଲଢେଇ କରୁଛନ୍ତି । ଏହାଭିତରେ ଟିମ ଇଣ୍ଡିଆର ଚେଜ୍ ମାଷ୍ଟର କିଙ୍ଗ କୋହଲି ଏକ ମାଇଲଷ୍ଟୋନ୍ ଅତିକ୍ରମ କରିଛନ୍ତି । ଚତୁର୍ଥ ଭାରତୀୟ ଖେଳାଳୀ ଭାବରେ ଟେଷ୍ଟ କ୍ରିକେଟରେ ୯,୦୦୦ ରନ୍ ପୂରଣ କରିଛନ୍ତି ବିରାଟ କୋହଲି ।

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଅର୍ଦ୍ଧଶତକ ହାସଲ କରି ଏକ ବଡ଼ ଉପଲବ୍ଧି ନିଜ ନାମରେ କରିଛନ୍ତି ବିରାଟ କୋହଲି । ଟେଷ୍ଟ କ୍ୟାରିୟରରେ ୯,୦୦୦ ରନ୍ ପୂରଣ କରିଛନ୍ତି କିଙ୍ଗ କୋହଲି । ଏହି ଉପଲବ୍ଧି ହାସଲ କରିବା ପାଇଁ ବିରାଟଙ୍କୁ ୫୩ ରନର ଆବଶ୍ୟକତା ରହିଥିଲା । ପ୍ରଥମ ଇନିଂସରେ ଖାତା ଖୋଲିବା ପୂର୍ବରୁ ପାଭିଲିୟନ୍ ଫେରିଥିବା ବିରାଟ ଦ୍ୱିତୀୟ ଇନିଂସରେ ଦମଦାର ବ୍ୟାଟିଂ ଜାରି ରଖିଛନ୍ତି । ସରଫରାଜ ଖାନଙ୍କ ସହ ମିଶି ଭାରତର ସ୍କୋର ଆଗେଇ ନେବା ସହିତ ନିଜର ବଡ଼ ଉପଲବ୍ଧି ହାସଲ କରିବାରେ ସେ ସଫଳ ହୋଇଛନ୍ତି । ୭୦ ବଲରେ ନିଜ ଅର୍ଦ୍ଧଶତକ ସହ ଏହି ମାଇଲଷ୍ଟୋନରେ ପହଞ୍ଚିଛନ୍ତି ବିରାଟ ।

ଟେଷ୍ଟ କ୍ରିକେଟରେ ୯,୦୦୦ ରନ୍ କରିବାରେ ଚତୁର୍ଥ ଭାରତୀୟ ପାଲଟିଛନ୍ତି ବିରାଟ । ଏଥିପାଇଁ ସେ ମୋଟ ୧୯୭ଟି ଇନିଂସ ଖେଳିଛନ୍ତି । ବିରାଟଙ୍କ ପୂର୍ବରୁ ଦ୍ରାବିଡ, ସଚିନ୍ ତେନ୍ଦୁଲକର ଏବଂ ସୁନୀଲ ଗାଭାସ୍କର ଏହି ରେକର୍ଡ ନିଜ ନାମରେ କରିସାରିଛନ୍ତି । ତେବେ ପୂର୍ବତନ କ୍ରିକେଟର ତଥା କୋଚ୍ ରାହୁଲ ଦ୍ରାବିଡ ମାତ୍ର ୧୭୬ଟି ଇନିଂସରେ ଏହି ରନ୍ ହାସଲ କରିଥିବା ବେଳେ ସଚିନ୍ ଏହି ମାଇଲଷ୍ଟୋନରେ ପହଞ୍ଚିବା ପାଇଁ ୧୭୯ଟି ଇନିଂସ ଖେଳିଥିଲେ । ଏହାପରେ ସୁନୀଲ ଗାଭାସ୍କର ୧୯୨ଟି ଇନିଂସରେ ୯୦୦୦ ରନ୍ ପୂରଣ କରିଥିଲେ । ତେବେ ଟେଷ୍ଟରେ ଦ୍ରୁତତମ ୯,୦୦୦ ରନ୍ ପୂରଣ କରିବା ତାଲିକାର ଶୀର୍ଷରେ ରହିଛନ୍ତି ଶ୍ରୀଲଙ୍କା ର ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରା । ମାତ୍ର ୧୭୨ ଇନିଂସରେ ସେ ଏହି ମାଇଲଷ୍ଟୋନ ଅତିକ୍ରମ କରି ଇତିହାସ ସୃଷ୍ଟି କରିଛନ୍ତି ।

Get real time updates directly on you device, subscribe now.