ଭୁବନେଶ୍ୱର: ଆଜି ହେଉଛି ପବିତ୍ର ସାବିତ୍ରୀ ବ୍ରତ। ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ପର୍ବ ଏହି ସାବିତ୍ରୀ ଅମାବାସ୍ୟା। ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ବ୍ରତ ପାଳୁଛନ୍ତି ଓଡିଆ ଘରର ସ୍ତ୍ରୀ ଓ ମହିଳା। ଏହାସହ ପ୍ରତ୍ୟେକ କିନ୍ନର ମଧ୍ୟ ଆଜି ସାବିତ୍ରୀ ପୂଜା କରୁଛନ୍ତି। ହେଲେ ତାଙ୍କ ସ୍ୱାମୀ କିଏ?
ହଁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବେଶ ନିଷ୍ଠାର ସହ ସାବିତ୍ରୀ ବ୍ରତ ପାଳନ କରୁଛନ୍ତି କିନ୍ନର। ହେଲେ ଆପଣମାନେ ଜାଣିଛନ୍ତି କି, କାହା ପାଇଁ ସାବିତ୍ରୀ ବ୍ରତ କରନ୍ତି କିନ୍ନର। ସେମାନେ ତ ବାହା ହୋଇ ନାହାନ୍ତି। ଆଉ ଏହି ବ୍ରତ ତ ସ୍ୱାମୀର ଦୀର୍ଘାୟୁ କାମନା କରି ସ୍ତ୍ରୀ ମାନେ କରନ୍ତି। କାହାଲେ କିନ୍ନର ମାନଙ୍କ ସ୍ୱାମୀ କିଏ?
କିନ୍ନରଙ୍କ ସାବିତ୍ରୀ: ବିଭିନ୍ନ ମନ୍ଦିର ଗୁଡିକରେ ମହିଳା ବ୍ରତଧାରୀଙ୍କ ଭିଡ ଲାଗିଛି। ହେଲେ ସମାନ ରୀତିନୀତି ଅନୁସାରେ ନୂଆ ସାଢ଼ୀ ପିନ୍ଧି, ହାତରେ ଶଙ୍ଖା ଆଉ ମଥାରେ ସିନ୍ଦୂର ଲଗାଇ ବ୍ରତ ଧରି ବସିଛନ୍ତି କିନ୍ନର।
ସେମାନେ ବି କରିଛନ୍ତି ସାବିତ୍ରୀ ବ୍ରତ। ଏପରିକି ପୂଜକ ମଧ୍ୟ ସେହି କିନ୍ନର ସମ୍ପ୍ରଦାୟର ପୂଜକ। କିନ୍ନର ସମ୍ପ୍ରଦାୟର ମାଆ ଭଉଣୀମାନେ ସକାଳୁ ସକାଳୁ ଘାଧୋଇ ନୂଆ ବସ୍ତ୍ର ପରିଧାନ କରି ଲାଗି ପଡିଛନ୍ତି ପୂଜା ସଜରେ।
କିନ୍ନରଙ୍କ ସ୍ୱାମୀ କିଏ: ତେବେ ଆପଣଙ୍କ ମନରେ ନିଶ୍ଚିତ ଭାବରେ ପ୍ରଶ୍ନ ଆସୁଥିବ କି, ଯଦି କିନ୍ନର ମାନେ ସାବିତ୍ରୀ କରୁଛନ୍ତି, ତାହାଲେ ତାଙ୍କ ସ୍ୱାମୀ କିଏ, ତେବେ ଆମେ ଏଠି କହି ରଖିବା ପାଇଁ ଚାହିଁବୁ କି କିନ୍ନରମାନେ ତାଙ୍କ ଗୁରୁଙ୍କୁ ନିଜର ସବୁକିଛି ମାନିଥାନ୍ତି।
ବଟବୃକ୍ଷ ତଳେ ସବୁ କିନ୍ନର ଏକାଠି ହୋଇ ପୂଜା କରନ୍ତି। ଶଙ୍ଖା ସିନ୍ଦୁରରୁ ନେଇ ଫଳମୂଳ ଓ ନୂଆ ବସ୍ତ୍ର ଦେଇ ନିଜର ଗୁରୁ ତଥା ବିଶ୍ୱାସୀଙ୍କ ମଙ୍ଗଳ କାମନା କରି କିନ୍ନର ମାନେ ବ୍ରତ ପାଳନ୍ତି।
ଏହି ସାବିତ୍ରୀ ବ୍ରତକୁ ସେମାନେ ଗୁରୁଶିଷ୍ୟ ପରମ୍ପରା ବୋଲି ମାନିଥାନ୍ତି। ଖାଲି ସେତିକି ନୁହେଁ ସେମାନେ ଗୁରୁଙ୍କୁ ହିଁ ତାଙ୍କର ପରିବାର ମାନନ୍ତି। ତେଣୁ ତାଙ୍କର ମଙ୍ଗଳ କାମନା କରି ଏହି ସାବିତ୍ରୀ ବ୍ରତ କରିଥାନ୍ତି। ମହିଳା ବ୍ରତଧାରୀମାନେ ଯେଉଁଭଳି ପୂଜା କରିଥାନ୍ତି ସମାନ ଢଙ୍ଗରେ କିନର ମାନେ ମଧ୍ୟ ସାବିତ୍ରୀ ବ୍ରତ ପାଳିଥାନ୍ତି।