fbpx

ଶେଷ ଟେଷ୍ଟ ପୂର୍ବରୁ ଲଣ୍ଡନ୍ ପହଞ୍ଚିଲେ କେ.ଏଲ ରାହୁଲ: ବୁମରାହଙ୍କ କମବ୍ୟାକକୁ ନେଇ ବଡ଼ ଅପଡେଟ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଉପରେ ଏବେ ଭାରତ ଆଧିପତ୍ୟ ହାସଲ କରିସାରିଛି । ତେବେ ମାର୍ଚ୍ଚ ୭ ତାରିଖରୁ ସିରିଜର ଶେଷ ମ୍ୟାଚ ଖେଳିବେ ଉଭୟ ଦଳ । ଭାରତ ଏହି ସିରିଜରେ ୩-୧ରେ ଅଜୟ ଅଗ୍ରଣୀ ପାଇଥିଲେ ମଧ୍ୟ ଶେଷ ମ୍ୟାଚ ପୂର୍ବରୁ ଦଳକୁ ଲାଗିଛି ଝଟକା । ଷ୍ଟାର ବ୍ୟାଟର କେ.ଏଲ ରାହୁଲଙ୍କ ଆହତ ସମସ୍ୟା ଅଧିକ ହୋଇଥିବା ବେଳେ ଉପ-ଅଧିନାୟକ ଜଶପ୍ରୀତ ବୁମରାହଙ୍କୁ ନେଇ ମଧ୍ୟ ବଡ଼ ଅପଡେଟ ଆସିଛି । ତେଣୁ ଅନ୍ତିମ ମ୍ୟାଚରେ ରାହୁଲଙ୍କ ଖେଳିବା ନେଇ ଏବେ ଆଶଙ୍କା ଦେଖାଦେଇଛି । ତେବେ ପଞ୍ଚମ ଟେଷ୍ଟରେ କ’ଣ ରହିବ ପ୍ଲେଇଙ୍ଗ ୧୧?

ଆହତ ସମସ୍ୟା ଯୋଗୁଁ ଦଳର ବାଦ୍ ପଡ଼ିଥିବା କେ.ଏଲ ରାହୁଲ ଚିକିତ୍ସା ପାଇଁ ଲଣ୍ଡନରେ ପହଞ୍ଚିଛନ୍ତି । ପ୍ରାୟ ଏକ ସପ୍ତାହ ଧରି ତାଙ୍କର ଚିକିତ୍ସା ଜାରି ରହିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ବିଶେଷ ସୂଚନା ମିଳି ପାରିନାହିଁ । ରାଜକୋଟ ଟେଷ୍ଟରେ ସେ ଦଳକୁ ଫେରିବା ନେଇ ଆଶା କରାଯାଉଥିଲେ ମଧ୍ୟ ସେ ଦଳରୁ ବାଦ୍ ପଡ଼ିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ବିସିସିଆଇ ତରଫରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ କିମ୍ବା ପଞ୍ଚମ ଟେଷ୍ଟରେ ତାଙ୍କ ଖେଳିବା ମଧ୍ୟ ସ୍ପଷ୍ଟ ହୋଇନାହିଁ ।

ଅନ୍ୟ ପକ୍ଷରେ ଦଳର ଉପ-ଅଧିନାୟକ ଜଶପ୍ରୀତ ବୁମରାହଙ୍କ କମବ୍ୟାକକୁ ନେଇ ମଧ୍ୟ ଏକ ବଡ଼ ଅପଡେଟ ଆସିଛି । ଚତୁର୍ଥ ଟେଷ୍ଟରେ ବୁମରାହଙ୍କୁ ବିଶ୍ରାମ ଦିଆ ଯାଇଥିବା ବେଳେ ପଞ୍ଚମ ଟେଷ୍ଟରେ ସେ ଦଳକୁ କମବ୍ୟାକ କରିବେ । ଏହାବ୍ୟତୀତ ଟିମ ଇଣ୍ଡିଆ ଏହି ମ୍ୟାଚରେ କିଛି ଖେଳାଳିଙ୍କୁ ବିଶ୍ରମ ଦେଇପାରେ । ଶେଷ ଟେଷ୍ଟ ପାଇଁ ଅତି କମ୍ ରେ ୨ଟି ପରିବର୍ତ୍ତନ(ଜଣେ ବ୍ୟାଟ୍ସମ୍ୟାନ୍ ଏବଂ ଜଣେ ବୋଲର) କରିପାରେ ଭାରତୀୟ ଟିମ ମ୍ୟାନେଜମେଣ୍ଟ । ତେଣୁ ରଜତ ପାଟିଦାର, ଶୁଭମନ ଗିଲ୍ କିମ୍ବା ଯଶସ୍ୱୀ ଜଏସ୍ୱାଲଙ୍କ ମଧ୍ୟରୁ କେହି ଜଣେ ଦଳରୁ ବିଶ୍ରାମ ନେଇପାରନ୍ତି । ତାଙ୍କ ସ୍ଥାନରେ ଦେବଦତ୍ତ ପାଡିକ୍କଲଙ୍କୁ ଡେବ୍ୟୁ କରିବାର ସୁଯୋଗ ମିଳିପାରେ ବୋଲି ଅନୁମାନ କରାଯାଉଛି । ସେହିପରି ବୋଲର ଭାବରେ ଅଶ୍ୱୀନଙ୍କ ସ୍ଥାନରେ ଅକ୍ସର ପଟେଲ ଦଳରେ ସ୍ଥାନ ପାଇପାରନ୍ତି ।

କ’ଣ ରହିବ ପ୍ଲେଇଙ୍ଗ-୧୧: ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ ଜଏସ୍ୱାଲ, ଶୁଭମନ ଗିଲ୍, ରଜତ ପାଟିଦାର/ଦେବଦତ୍ତ ପାଡିକ୍କଲ, ସରଫରାଜ ଖାନ୍, ରବିନ୍ଦ୍ର ଜାଡେଜା, ଧ୍ରୁବ ଜୁରେଲ, ରବିଚନ୍ଦ୍ରନ ଅଶ୍ୱୀନ/ଅକ୍ସର ପଟେଲ, ଜଶପ୍ରୀତ ବୁମରାହ, ଆକାଶ ଦୀପ୍/ମହମ୍ମଦ ସିରାଜ, କୁଳଦୀପ ଯାଦବ

Get real time updates directly on you device, subscribe now.