fbpx

ଫାଟିଗଲା ପୃଥିବୀ, ଦିଶୁଛି ‘ପାତାଳ ଲୋକ’: କେଇଟା ମୁହୂର୍ତ୍ତରେ ବଦଳିଗଲା ଏହି ପର୍ଯ୍ୟଟନ ସ୍ଥଳୀର ଦୃଶ୍ୟ

ନୂଆଦିଲ୍ଲୀ: ପୃଥିବୀର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ପ୍ରକୃତିର ତାଣ୍ଡବ । କେଉଁଠି ପ୍ରବଳ ବର୍ଷା ତ କେଉଁଠି ଭୂକମ୍ପ ବିଭିନ୍ନ ଅଞ୍ଚଳର ଦୃଶ୍ୟ ହିଁ ବଦଳାଇ ଦେଉଛି । ଏଭଳି ଏକ ପର୍ଯ୍ୟଟନ ସ୍ଥଳୀ ଏବେ ଭୟଙ୍କର ରୂପ ନେଇଛି । ଭୂସ୍ଖଳନ ଯୋଗୁଁ ମାଟି ଫାଟିଯିବାରୁ ଭୟଭୀତ ଅବସ୍ଥାରେ ରହୁଛନ୍ତି ସ୍ଥାନୀୟ ଲୋକେ । ଏଠାରେ ସ୍ଥିତି ଏପରି ରହିଛି ଯେ, ଲୋକେ ଏହାକୁ ‘ପାତାଳ ଲୋକ’ ସହ ତୁଳନା କରିଛନ୍ତି । ତେବେ ପ୍ରକୃତିର ଭୟଙ୍କରୀ ପରିବର୍ତ୍ତନରେ କେଇଟା ମୁହୂର୍ତ୍ତରେ ବଦଳି ଯାଇଛି ସୁନ୍ଦର ପର୍ଯ୍ୟଟନ ସ୍ଥଳୀର ରୂପରେଖ ।

ହିମାଚଳ ପ୍ରଦେଶ ଲାହୋଲ ସ୍ପିତିର ପ୍ରସିଦ୍ଧ ପର୍ଯ୍ୟଟନ କେନ୍ଦ୍ର ସିରସୁରେ ଭୟଙ୍କର ଭୂସ୍ଖଳନ ହୋଇଛି । ତେବେ ଏହାପରେ ମାଟିରେ ବଡ଼ ବଡ଼ ଫାଟ ସୃଷ୍ଟି ହେବା ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ସରସୁ ନିକଟସ୍ଥ ଲେହ-ମନାଲୀ ହାଇୱେର ସେଲଫି ପଏଣ୍ଟ ପାଖରେ ଲଗାତାର ଭୂସ୍ଖଳନ ଜାରି ରହିଛି । ହାଇୱେର ଗୋଟିଏ ଲେନ୍ ମାଟି ତଳେ ଫସି ଯାଇଥିବା ବେଳେ ଏହାର ଉପରି ଭାଗରେ ମଧ୍ୟ ମାଟିରେ ଫାଟ ଦେଖାଯାଇଛି । ଯାହା ସ୍ଥାନୀୟ ଦୁଇଟି ଗାଁ ପାଇଁ ବିପଦ ପାଲଟିଛି । ଏଠାରେ ଲଗାତାର ବରଫ ତରଳିବାରୁ ପାଣି ଲିକ୍ ହେଉଛି ଏବଂ ପରେ ଭୂସ୍ଖଳନ ହେବା ସହ ମାଟି ଧସିଯାଉଛି । ଏଥିସହିତ ତଳୁ ଚନ୍ଦ୍ରା ନଦୀର ଜଳସ୍ତର ବୃଦ୍ଧି ହେତୁ ଜମି କ୍ଷୟ ଘଟିଛି। ତେବେ ଲାହୋଲ ସ୍ପିତି ଜିଲ୍ଲା ପ୍ରଶାସନ ଏବଂ ସୀମା ସଡକ ସଂଗଠନର ବରିଷ୍ଠ ଅଧିକାରୀମାନେ ଏଠାରେ ଏକ ବୈଠକ କରି ଛନ୍ତି । ଏଥିରେ ଭୂସ୍ଖଳନ ରୋକିବା ଏବଂ ବିକଳ୍ପ ମାର୍ଗର ଉନ୍ନତି ଏବଂ ସ୍ଥାୟୀ ସମାଧାନ ଉପରେ ଆଲୋଚନା କରାଯାଇଥିଲା।

ଲାହୋଲ ସ୍ପିତି ଡିସି ରାହୁଲ କୁମାର ଏବଂ ବି.ଆର.ଓ ମୁଖ୍ୟ ଇଞ୍ଜିନିୟର ସିଭିଲ୍ ନବୀନ କୁମାର ତଥା ଲୋକ ନିର୍ମାଣ ବିଭାଗ ଏବଂ ବନବିଭାଗର ଟିମ୍ ଏହି ଭୂସ୍ଖଳନ ସ୍ଥଳର ସମୀକ୍ଷା କରିଛନ୍ତି। ଯାଞ୍ଚ ପରେ ଡିସି ରାହୁଲ କୁମାର କହିଛନ୍ତି ଯେ, ସିରସୁ ସେଲଫି ପଏଣ୍ଟରେ ଭୂସ୍ଖଳନକୁ ରୋକିବା ପାଇଁ ଖୁବଶୀଘ୍ର ସୀମା ସଡକ ସଂଗଠନର ବୈଷୟିକ ୱିଙ୍ଗ ତରଫରୁ ଏକ ବିଶେଷଜ୍ଞ ଦଳ ପରିଦର୍ଶନ କରିବେ। ଭୂସ୍ଖଳନ ରୋକିବା ଏବଂ ସ୍ଥାୟୀ ସମାଧାନ ସମ୍ବନ୍ଧରେ ସେମାନଙ୍କର ମତାମତ ପରେ ଏହାର ଉନ୍ନତି କାର୍ୟ୍ୟ ଆରମ୍ଭ ହେବ ।

ଡିସି କହିଛନ୍ତି ଯେ, ବିକଳ୍ପ ତେଲିଙ୍ଗ ମାର୍ଗରେ ଉନ୍ନତି ଆଣିବାକୁ ଜନସମ୍ପର୍କ ବିଭାଗକୁ କୁହାଯାଇଛି। ଏହି ମାର୍ଗର ଉନ୍ନତି ପାଇଁ ବିଭାଗକୁ ବିଶେଷ ପ୍ରାଧାନ୍ୟ ଦେବା ସହ ଡ୍ରେନରେ ଜଳ ନିଷ୍କାସନ ପାଇଁ ମଧ୍ୟ ଉପଯୁକ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାହାଫଳରେ ମୁଖ୍ୟ ରାସ୍ତା ଅବରୋଧ ହେଲେ ମଧ୍ୟ ବିକଳ୍ପ ମାର୍ଗ ଦେଇ ଯାତାୟତ ଜାରି ରହିପାରିବ । ନଚେତ୍ ସ୍ଥାନୀୟ ଲୋକ ଏବଂ ପର୍ୟ୍ୟଟକ ନାନା ସମସ୍ୟାର ସ୍ମମୁଖୀନ ହେବେ ।

Get real time updates directly on you device, subscribe now.