ନୂଆଦିଲ୍ଲୀ: ପୁଣି ବେକାବୁ ହେଉଛି କରୋନା । ଦେଶରେ ପୁଣି ଥରେ ଦ୍ରୁତ ଭାବରେ ବୃଦ୍ଧି ପାଇବାରେ ଲାଗିଛି କରୋନା ଭାଇରସ । ସୋମବାର ରାଜଧାନୀ ଦିଲ୍ଲୀରେ ଗୋଟିଏ ଦିନରେ ୪୦୦୦ ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଯାହାକୁ ନେଇ ବଢ଼ିଛି ଚିନ୍ତା । ଏହା ସହ ଦିଲ୍ଲୀ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୪.୫୮ କୁ ବୃଦ୍ଧି ପାଇଛି, ଏବଂ ପଜିଟିଭିଟି ହାର ୬.୪୬ କୁ ବୃଦ୍ଧି ପାଇଛି । କରୋନା ସଂକ୍ରମଣ ଯୋଗୁଁ ଦିଲ୍ଲୀରେ ଜଣକର ମୃତ୍ୟୁ ହୋଇଛି । ତେବେ ସଂକ୍ରମଣ ହାର ବୃଦ୍ଧି ପାଇବା ସହ ଏବେ ଦିଲ୍ଲୀରେ ଲକଡାଉନ ସମ୍ଭାବନା ମଧ୍ୟ ବଢ଼ିବାରେ ଲାଗିଛି ।
ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୪,୦୯୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଏବଂ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଯାହାକୁ ମିଶାଇ ଦିଲ୍ଲୀରେ କରୋନା ମୃତ୍ୟୁ ସଂଖ୍ୟା ୨୫,୧୦୦ ହୋଇଛି । ସେହିପରି ଏପର୍ଯ୍ୟନ୍ତ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୧୪,୫୮,୨୨୦ ହୋଇଛି । ସେପଟେ ୧୪,୨୨,୧୨୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।