fbpx

ଲସ୍ ଏଞ୍ଜେଲ୍‌ସ ଅଲିମ୍ପିକ୍ସ: ୬ କ୍ରିକେଟ୍ ଟିମ୍ ଇଭେଣ୍ଟ ପାଇଁ ସୁପାରିଶ

ନୂଆଦିଲ୍ଲୀ : ଆମେରିକାର ଲସ୍‌ ଏଞ୍ଜେଲ୍‌ସଠାରେ ଅନୁଷ୍ଠିତ ହେବାକୁ ଥିବା ୨୦୨୮ ଅଲିମ୍ପିକ୍ କ୍ରୀଡାରେ ଟି୨୦ ଫର୍ମାଟ କ୍ରିକେଟ ଇଭେଣ୍ଟ ସାମିଲ କରିବା ପାଇଁ ଯୋଜନା ଚାଲିଛି। ଏହି ଅଲିମ୍ପିକ୍ସରେ କ୍ରିକେଟ ସହିତ ବାସ୍କେଟ ବଲ୍‌, ସଫ୍ଟ ବଲ୍‌, ଫ୍ଲାଗ୍ ଫୁଟବଲ, ଲାକ୍ରୋସେ, ବ୍ରେକ୍ ଡ୍ୟାନ୍ସିଂ, କରାଟେ, କିକ୍ ବକ୍ସିଂ, ସ୍କ୍ୱାସ୍ ଓ ମୋଟର ସ୍ପୋର୍ଟ୍ସ ଇଭେଣ୍ଟ ସାମିଲ ହେବା ନେଇ ଆଲୋଚନା ଜାରି ରହିଛି। ତେବେ ଆସନ୍ତା ଅକ୍ଟୋବର ମାସରେ ଏହି ସବୁ କ୍ରୀଡା ଅଲିମ୍ପିକ୍ସରେ ସାମିଲ ହେବା ନେଇ ଚୂଡାନ୍ତ ହେବ। ମୁମ୍ବାଇରେ ଅନ୍ତର୍ଜାତୀୟ ଅଲିମ୍ପିକ କମିଟିର ବାର୍ଷିକ ସେସନ ଅକ୍ଟୋବରରେ ଅନୁଷ୍ଠିତ ହେବା କାର୍ଯ୍ୟକ୍ରମ ରହିଛି।

ଅଲିମ୍ପିକ୍ସରେ କ୍ରିକେଟ ସାମିଲ କରିବାକୁ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ୍ (ଆଇସିସି) ବଡ ପ୍ରୟାସ ଚଳାଇଛି। ତେଣୁ ଲସ୍‌ ଆଞ୍ଜଲ୍‌ସ ଅଲିମ୍ପିକ୍ସରେ ଉଭୟ ପୁରୁଷ ଓ ମହିଳା କ୍ରିକେଟ ଇଭେଣ୍ଟର ୬ ଲେଖାଏଁ ଟିମ୍ ଭାଗ ନେବା ନେଇ ଶନିବାର ସୁପାରିଶ କରିଛି। ସେହିପରି ବିସିସିଆଇ ସଂପାଦକ ଜୟ ଶାହା ଆଇସିସି ଅଲିମ୍ପିକ୍ସ ୱାକିଂ ଗ୍ରୁପ୍ ସହିତ ଏହି ପ୍ରସଙ୍ଗ ନେଇ ଆଲୋଚନା କରିଥିବା ବେଳେ ଅଲିମ୍ପିକ୍ସରେ କ୍ରିକେଟ ଇଭେଣ୍ଟ ସାମିଲ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। କାରଣ ଭାରତ ୨୦୩୬ରେ ଅଲିମ୍ପିକ କ୍ରୀଡା ଆୟୋଜନ କରିବା ସକାଶେ ଉଦ୍ୟମ ଆରମ୍ଭ କରିଥିବାରୁ ବିସିସିଆଇ ଏଥିପାଇଁ ଅହେତୁକ ଆଗ୍ରହ କରି ଆସୁଛି।

Get real time updates directly on you device, subscribe now.