fbpx
BSKY
BJD MC SKY
BJD YOUTH SKY

ଲୁହା ସ୍କେଲରେ ଆଖି ଫଟାଇଦେଲେ ମାଡାମ: ଏମ୍ସ ହସ୍ପିଟାଲରେ ହେଲା ଛାତ୍ରଙ୍କ ସର୍ଜରୀ

ନୂଆଦିଲ୍ଲୀ: ବର୍ତ୍ତମାନ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ଦଣ୍ଡମୁକ୍ତ ପରିସର ଘୋଷଣା କରାଯାଇଛି । ଶିକ୍ଷକ ମାନେ ଛାତ୍ରଛାତ୍ରୀମାନଙ୍କୁ କୌଣସି ପ୍ରକାର ଦଣ୍ଡ ଦେଇପାରିବେ ନାହିଁ ବୋଲି ଶିକ୍ଷା ବିଭାଗ ତରଫରୁ ନିଷ୍ପତ୍ତି ନିଆଯାଇଛି । କିନ୍ତୁ ଏହି ନିୟମକୁ ଫୁ କରି ଉଡ଼ାଇ ଦେଇଛନ୍ତି ଜଣେ ମହିଳା ଶିକ୍ଷୟତ୍ରୀ । ସ୍କୁଲରେ ଜଣେ ଛାତ୍ରଙ୍କ ଉପରକୁ ଲୁହା ସ୍କେଲ ଫିଙ୍ଗି ତାଙ୍କ ଆଖି ଫଟାଇ ଦେଇଥିବା ଜାଣିବାକୁ ମିଳିଛି । ଫଳରେ ଏମ୍ସ ହସ୍ପିଟାଲରେ ଗୁରୁତର ଛାତ୍ରଙ୍କର ଆଖି ସର୍ଜରୀ କରାଯାଇଛି । ଏହି ଘଟଣାକୁ ନେଇ ସବୁଆଡ଼େ ଚର୍ଚ୍ଚା ଜୋର ଧରିଛି ।

ସୂଚନା ଅନୁସାରେ, ମୋହନ ଗାର୍ଡେନ ଥାନା ଅନ୍ତର୍ଗତ ଗୁଡ ଲକ୍ ପବ୍ଲିକ ସ୍କୁଲରେ ଏଭଳି ଏକ ଭୟାନକ ଘଟଣା ଦେଖାଯାଇଛି । ଏହି ସ୍କୁଲରେ ୟୁକେଜି ଶ୍ରେଣୀରେ ପାଠ ପଢୁଥିବା ୬ ବର୍ଷୀୟ ଅକ୍ଷାଂଶ କୁମାର ବର୍ମାଙ୍କ ଉପରେ ମିନାକ୍ଷୀ ମାଡାମଙ୍କ ଅତ୍ୟାଚାର ବର୍ତ୍ତମାନ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଗତ ୧୭ ତାରିଖରେ ମିନାକ୍ଷୀ ମାଡାମ ପାଠ ପଢାଉଥିବା ବେଳେ କୌଣସି କାରଣରୁ ଅକ୍ଷାଂଶଙ୍କ ଉପରକୁ ଲୁହା ସ୍କେଲ ଫିଙ୍ଗିଥିଲେ । ତେବେ ଏହି ସ୍କେଲ ଛାତ୍ରଙ୍କ ଆଖିରେ ବାଜିବାରୁ ଆଖିରୁ ଲଗାତାର ପାଣି ବହୁଥିଲା । ତେବେ ଏ ନେଇ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ ଅକ୍ଷାଂଶଙ୍କ ମା’ ଅନୁରାଧା ।

ଡାକ୍ତର ଅକ୍ଷାଂଶଙ୍କ ଆଖିକୁ ଦେଖି କହିଥିଲେ ଯେ, ଲୁହା ସ୍କେଲ ଆଖିରେ ବାଜିବାରୁ ତାଙ୍କୁ ଦେଖିବାରେ ସମସ୍ୟା ହେଉଛି । ଏହାସହିତ ତାଙ୍କ ଆଖିରେ ଆଘାତ ଲାଗିବାରୁ ଆଖି ଫାଟିଯାଇଛି ଏବଂ ତାଙ୍କର ଅପରେସନ୍ କରାଯିବ । ଏହାପରେ ଅନୁରାଧା ଅକ୍ଷାଂଶଙ୍କୁ ନେଇ ଦିଲ୍ଲୀ ଏମ୍ସକୁ ଚାଲି ଯାଇଥିଲେ । ଏଠାରେ ଡାକ୍ତର ଅକ୍ଷାଂଶଙ୍କ ଆଖି ସର୍ଜରୀ କରାଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ମେଡିକାଲରେ ରହି ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ଏହି ଘଟଣା ପରେ ବର୍ତ୍ତମାନ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

ତେବେ ଏ ନେଇ ପୋଲିସ ଏକ ମାମଲା ରୁଜୁ କରିଥିଲେ ମଧ୍ୟ ଘଟଣାରେ ସମ୍ପୃକ୍ତ ମିନାକ୍ଷୀ ମାଡାମଙ୍କୁ ଗିରଫ କରାଯାଇ ନାହିଁ । ଅଭିଯୋଗକୁ ନେଇ ମିନାକ୍ଷୀ ମାଡାମ କହିଛନ୍ତି ଯେ, ସେ କ୍ଲାସରେ ପିଲାମାନଙ୍କୁ ଚୁପ୍ କରାଉଥିଲେ, ଏହି ସମୟରେ ପିଲାମାନେ ପାଟି ବନ୍ଦ ନ କରିବାରୁ ତାଙ୍କ ହାତରୁ ସ୍କେଲଟି ଖସି ଯାଇଥିଲା । ଏହି ସ୍କେଲ ସିଧା ଯାଇ ଅକ୍ଷାଂଶଙ୍କ ଆଖିରେ ବାଜିବାରୁ ସେ ଆହତ ହୋଇଛନ୍ତି । ତେବେ ଏହି ମାମଲାରେ ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.