fbpx

‘ଜାଡେଜାଙ୍କୁ ଅଧିନାୟକ କରି ଭୁଲ କଲେ, ଧୋନୀଙ୍କ ନେତୃତ୍ଵରେ CSK ଏତେ ମ୍ୟାଚ୍ ହାରିନଥାନ୍ତା’

ନୂଆଦିଲ୍ଲୀ : ଚାରି ଥରର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ ୨୦୨୨ର ପ୍ଲେ ଅଫ ଦୌଡରୁ ଆପାତଃ ବାଦ୍ ପଡି ସାରିଛି। ଏହି ସିଜିନରେ ଦଳ ଏ ପର‌୍ୟ୍ୟନ୍ତ ୧୦ଟି ମ୍ୟାଚ୍ ଖେଳି ୭ ହାରି ସାରିଛି। ଲିଗରେ ଦଳର ନିରାଶଜନକ ପ୍ରଦର୍ଶନର ସବୁଠୁ ବଡ କାରଣ ଅଧିନାୟକ ପରିବର୍ତ୍ତନ କୁହାଯାଉଛି। ସିଜିନ ଆରମ୍ଭ ହେବା ପୂର୍ବରୁ ଧୋନୀ ଚେନ୍ନାଇର ଅଧିନାୟକ ଦାୟିତ୍ଵ ଛାଡି ରବୀନ୍ଦ୍ର ଜାଡେଜାଙ୍କୁ ଅଧିନାୟକ ଦାୟିତ୍ଵ ଦେଇଥିଲେ। ହେଲେ କ୍ରମାଗତ ପରାଜୟ ପରେ ଜାଡେଜା ପୁଣି ଥରେ ଅଧିନାୟକ ଦାୟିତ୍ଵ ଧୋନୀଙ୍କୁ ହସ୍ତାନ୍ତର କରିଛନ୍ତି। ମାତ୍ର ସେତେବେଳକୁ ବହୁ ବିଳମ୍ବ ହୋଇ ସାରିଛି। ଚେନ୍ନାଇ ସୁପର କିଙ୍ଗ୍ସ ପ୍ଲେ ଅଫ ଦୌଡରୁ ପ୍ରାୟତଃ ବାଦ୍ ପଡି ସାରିଛି।

ଏବେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ବୀରେନ୍ଦ୍ର ସେହ୍ଵାଗଙ୍କ ମତରେ ଆରମ୍ଭରୁ ରବୀନ୍ଦ୍ର ଜାଡେଜାଙ୍କୁ ଅଧିନାୟକ କରି ଚେନ୍ନାଇ ପ୍ରାଞ୍ଚାଇଜି ବହୁତ ବଡ ଭୁଲ୍ କରିଛନ୍ତି। ଯଦି ଧୋନୀ ଆରମ୍ଭରୁ ଅଧିନାୟକ ଥାଆନ୍ତେ ତେବେ ଚେନ୍ନାଇ ଏତେ ମ୍ୟାଚ୍ ହାରି ନଥାନ୍ତା।

ବୁଧବାର ଚେନ୍ନାଇର ପରାଜୟ ପରେ ସେହ୍ଵାଗ କ୍ରିକବଜ ସହ ଆଲୋଚନା ବେଳେ କହିଛନ୍ତି, ପ୍ରଥମ ଭୁଲ ଜାଡେଜାଙ୍କୁ ଅଧିନାୟକ କରାଯିବା। ଏହା ଦଳର ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଥିଲା। ଦଳରେ ଚୂଡାନ୍ତ ଏକାଦଶକୁ ନେଇ କିଛି ସ୍ପଷ୍ଟ ନଥିଲା। ଋତୁରାଜ ଗାଏକଓ୍ଵାଡ ଆରମ୍ଭରୁ ରନ କରିବାରେ ବିଫଳ ହେଲେ। ବ୍ୟାଟସମ୍ୟାନଙ୍କ ନିରାଶଜନକ ପ୍ରଦର୍ଶନ କାରଣରୁ ଦଳର ଆରମ୍ଭ ଖରାପ ରହିଥିଲା। ଯଦି ଧୋନୀ ଆରମ୍ଭରୁ ଅଧିନାୟକ ଥାଆନ୍ତେ ତେବେ ଚେନ୍ନାଇ ବୋଧହୁଏ ଏତେ ମ୍ୟାଚ୍ ହାରିନଥାନ୍ତା ବୋଲି ସେହ୍ଵାଗ କହିଛନ୍ତି।

ଏହି ସିଜିନରେ ୧୦ଟି ମ୍ୟାଚରେ ଜାଡେଜା ଅଦ୍ୟାବଧି ୧୯.୩୩ ହାରରେ ମାତ୍ର ୧୧୬ ରନ କରିଛନ୍ତି। ସେହି ପରି ୭.୫୨ ହାରରେ ମାତ୍ର ୫ ଓ୍ଵିକେଟ୍ ନେଇଛନ୍ତି। ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚରେ ଜାଡେଜା ମାତ୍ର ତିନି ରନ କରି ଆଉଟ୍ ହୋଇଥିଲେ। ଫଳରେ ସିଏସକେ ବେଙ୍ଗାଲୁରୁ ନିକଟରୁ ୧୩ ରନରେ ମ୍ୟାଚ୍ ହାରିଥିଲା। ୧୦ଟି ମ୍ୟାଚରୁ ମାତ୍ର ୬ ପଏଣ୍ଟ ସହ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିବାର ଦ୍ଵାର ଦେଶରେ ପହଞ୍ଚି ଯାଇଛି।

 

 

Get real time updates directly on you device, subscribe now.