fbpx

କଲମା ବ୍ୟାରେଜ ସ୍ଥିତି ଅନୁଧ୍ୟାନ କଲେ ମହାନଦୀ ଟ୍ରିବ୍ୟୁନାଲ: ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ

AAKASH

ଭୁବନେଶ୍ୱର: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳବିବାଦର ସମାଧାନ ପାଇଁ କ୍ଷେତ୍ର ପରିଦର୍ଶନରେ ଆସିଥିବା ମହାନଦୀ ଟ୍ରିବ୍ୟୁନାଲର ସଦସ୍ୟମାନେ ଆଜି ଛତିଶଗଡ଼ର କଲମା ବ୍ୟାରେଜ ବୁଲି ଦେଖିଛନ୍ତି। ଟ୍ରିବ୍ୟୁନାଲ ସଦସ୍ୟମାନେ ଆଜି ସକାଳେ ପ୍ରଥମେ ବସନ୍ତପୁର ବ୍ୟାରେଜ୍‍ ପରିଦର୍ଶନ କରିଥିଲେ। ଟ୍ରିବ୍ୟୁନାଲ ସଦସ୍ୟଙ୍କ ଏହି ପରିଦର୍ଶନ ସମୟରେ ଓଡ଼ିଶା ଓ ଛତିଶଗଡ଼ ଜଳସମ୍ପଦ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ମହାନଦୀ ଟ୍ରିବ୍ୟୁନାଲର ସଦସ୍ୟମାନେ ଦ୍ୱିତୀୟ ପର୍ଯ୍ୟାୟରେ ଗତ ୩ ତାରିଖରୁ ମହାନଦୀ ଉପରେ ଛତିଶଗଡ଼ ନିର୍ମାଣ କରିଥିବା ବିଭିନ୍ନ ବ୍ୟାରେଜର ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଟ୍ରିବ୍ୟୁନାଲ ଛତିଶଗଡ଼ରୁ କ୍ଷେତ୍ର ପରିଦର୍ଶନ ଦୁଇ ପର୍ଯ୍ୟୟାରେ କରୁଛନ୍ତି। ଏପ୍ରିଲ ୨୯ରୁ ମଇ ୩ ତାରିଖ ଯାଏଁ ହେବାକୁ ଥିବା କ୍ଷେତ୍ର ପରିଦର୍ଶନରେ ଟ୍ରିବ୍ୟୁନାଲ ମଧ୍ୟ ଅବବାହିକା ଅଞ୍ଚଳରୁ ତଳିଆ ଅଞ୍ଚଳ ଯାଏଁ ଗସ୍ତ କରି ନିରୀକ୍ଷଣ କରିବେ।

ଟ୍ରିବ୍ୟୁନାଲଙ୍କ ଏହି ଗସ୍ତକୁ ନେଇ ଉଭୟ ରାଜ୍ୟ ନିଜ ନିଜର ପ୍ରସ୍ତୁତି କରିଥିବା ବେଳେ ଓଡ଼ିଶା ପକ୍ଷରୁ ତ୍ୱରିତ୍‌‌ ନ୍ୟାୟ ଦାବି କରାଯାଉଛି। ମହାନଦୀ ଘଟଣାରେ ବିଗତ ବର୍ଷମାନଙ୍କରେ ଓଡ଼ିଶା ଲଗାତାର ଭାବେ ଅବିଚାର ସହି ଆସୁଛି। ଅଣମୌସୁମା ସମୟରେ ଛତିଶଗଡ଼ ଓଡ଼ିଶାକୁ ପ୍ରବାହିତ ଜଳସ୍ରୋତ ଉପରେ ଅଙ୍କୁଶ ଲଗାଉଥିବା ବେଳେ ମୌସୁମୀ ସମୟରେ ବଳକା ପାଣି ଓଡ଼ିଶାକୁ ଛାଡ଼ୁଛି। ତେଣୁ ବାସ୍ତବିକ ସ୍ଥିତିକୁ ହୃଦ୍‌‌ବୋଧ କରି ଟ୍ରିବ୍ୟୁନାଲ ଓଡ଼ିଶାକୁ ନ୍ୟାୟ ପ୍ରଦାନ କରନ୍ତୁ। ଏହି ଗସ୍ତ ସମୟରେ ତୁରନ୍ତ ଏକ ମଧ୍ୟବର୍ତ୍ତୀକାଳୀନ ରାୟ ପ୍ରଦାନ କରିବାକୁ ବିଶେଷଜ୍ଞମାନେ ଦାବି କରିଛନ୍ତି।

ପୂର୍ବରୁ ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲଙ୍କ ଦ୍ୱାରା ନିଯୁକ୍ତ ଆସେସରଙ୍କ ଉପସ୍ଥିତିରେ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ବୈଷୟିକ ଟିମ ମହାନଦୀ ଅବବାହିକାର ୧୩ଟି ଉପ ଅବବାହିକା ଅଞ୍ଚଳର ସୀମା ନିର୍ଦ୍ଧାରଣ କରିଛନ୍ତି। ମହାନଦୀର ଉତ୍ପତ୍ତି ସ୍ତଳରୁ ମୁଣ୍ଡଳି ଆନିକଟ ପର୍ଯ୍ୟନ୍ତ ସମୁଦାୟ ୧,୩୨,୪୧୪ ବର୍ଗ କିମି ସୀମା ନିର୍ଦ୍ଧାରଣ କରାଯାଇଛି।

Get real time updates directly on you device, subscribe now.