ମୁମ୍ୱାଇ: ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହେବା ପରେ ଏକ୍ଜିଟ୍ ପୋଲ୍ ଆସିବା ଆରମ୍ଭ ହୋଇଛି । ଅଧିକାଂଶ ସର୍ଭେ ମହାରାଷ୍ଟ୍ରରେ ପୁଣି ଥରେ ମହାୟୁତି ମେଣ୍ଟ ସରକାର ଗଠନ କରିବାର ସମ୍ଭାବନାର ପୂର୍ବାନୁମାନ ରହୁଛି । ସର୍ଭେ ତଥ୍ୟ ପୂର୍ବରୁ ଆମେ କହି ରଖୁଛୁ ଯେ, ଏଗୁଡ଼ିକ କେବଳ ଏକ୍ଜିଟ୍ ପୋଲ୍ । ଫଳାଫଳ ଭିନ୍ନ ହୋଇପାରେ ।
ସର୍ଭେ ଏଜେନ୍ସି ଅନୁଯାୟୀ, ମହାରାଷ୍ଟ୍ରର ୨୮୮ ଟି ବିଧାନସଭା ଆସନରୁ ବିଜେପି ଏବଂ ଏହାର ସହଯୋଗୀ ଦଳ୧୫୦-୧୭୦ ଆସନରେ ଆଗୁଆ ଅଛନ୍ତି । ସେହିପରି କଂଗ୍ରେସ ଓ ଏହାର ମେଣ୍ଟ ଦଳ ୧୧୦ରୁ ୧୩୦ ଆସନରେ ଆଗୁଆ ଅଛନ୍ତି। ଅନ୍ୟମାନଙ୍କୁ ୮ରୁ ୧୦ଟି ଆସନ ଦିଆଯାଇଛି । ପିପୁଲ୍ସ ପଲ୍ସ ପୋଲରେ ମହାୟୁତିଙ୍କୁ ୧୮୨ ଓ ମହାବିକାଶ ଆଘାଡିକୁ ୯୭ ଆସନ ଦିଆଯାଇଛି ।
ଚାଣକ୍ୟ ରଣନୀତି ବିଜେପି ନେତୃତ୍ୱାଧୀନ ମହାଯୁତି ମେଣ୍ଟକୁ ୧୫୨-୧୬୦, କଂଗ୍ରେସ ନେତୃତ୍ୱାଧୀନ ମହାବିକାଶ ଆଘାଡି ମେଣ୍ଟକୁ ୧୩୦-୧୩୮ ଏବଂ ଅନ୍ୟମାନଙ୍କୁ ୬ରୁ ୮ ରେ ଅଗ୍ରଣୀ ଦେଇଛି । ମହାୟୁତିକୁ ୧୩୭-୧୫୭ ଏବଂ ମହାବିକାଶ ଆଘାଡିକୁ ୧୨୬-୧୪୬ ଆସନ ମିଳିବ ବୋଲି ପି-ମାର୍କ ପୂର୍ବାନୁମାନ କରିଛି ।