fbpx

ମାହି, ବିରାଟ ଓ ଶାସ୍ତ୍ରୀ- କାମ କଲାନି କାହାର ଯାଦୁ, ବିଶ୍ୱକପରୁ ଖାଲି ହାତରେ ଫେରିଲା ଭାରତ: ଜାଣନ୍ତୁ ବିଫଳତା ପଛର ୫ଟି ବଡ଼ କାରଣ

ନୂଆଦିଲ୍ଲୀ: ଭାରତ ପାଇଁ ଚଳିତ ଟି-୨୦ ବିଶ୍ୱକପ ଅଶୁଭ ସାବ୍ୟସ୍ତ ହୋଇଛି । ମହେନ୍ଦ୍ର ସିଂହ ଧୋନୀ, ବିରାଟ କୋହଲି, ରବି ଶାସ୍ତ୍ରୀଙ୍କ ପରି ଅନୁଭବୀଙ୍କ ବ୍ରହ୍ମାସ୍ତ ଆଜି ହାତ ଟେକି ଦେଇଛି । ଆଇପିଏଲ ଓ ଅଭ୍ୟାସ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିବା ଟିମ୍ ଇଣ୍ଡିଆର ଭାଗ୍ୟ ବଦଳାଇ ଦେଲା ମାତ୍ର ଦୁଇଟି ମ୍ୟାଚ । ତେବେ ପରାଜୟ ପଛରେ ଅନେକ କାରଣ ଥିବା ବରିଷ୍ଠ କ୍ରିକେଟରମାନେ ମତ ଦେଇଛନ୍ତି ।

୧- ସମଗ୍ର ବିଶ୍ୱକପ ମ୍ୟାଚଗୁଡ଼ିକରେ ବିରାଟ ଓ ରୋହିତ ଶର୍ମାଙ୍କ ବ୍ୟାଟ ଏକରକମ ଶାନ୍ତ ହୋଇ ରହିଥିଲା । ଦୁହେଁ ବଡ଼ ପାଳି ଖେଳିବାରେ ଅକ୍ଷମ ହୋଇଥିଲେ । ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ପରି ଦୁଇଟି ହାଇଭୋଲଟେଜ୍ ମ୍ୟାଚରେ ଦଳ ବଡ଼ ସ୍କୋର କରିପାରି ନଥିବାରୁ ପରାଜୟ ବରଣ କରିଥିଲା ।

୨- ଭାରତ ପ୍ରଥମ ଦୁଇଟିରେ ହାରି ଅବଶିଷ୍ଟ ୩ଟି ବିଜୟ ହାସଲ କରିଥିଲେ ହେଁ ତାହା ସେମି ପାଇଁ ଯଥେଷ୍ଟ ନଥିଲା । ଯଦି ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଦଳ ସଂଘର୍ଷ କରିଥାନ୍ତା, ତେବେ କାହାକୁ ଦୋଷ ଦିଆଯାଇ ନଥାନ୍ତା । ଏହି ଦୁଇଟି ମ୍ୟାଚରେ ଦଳର ଦୁର୍ବଳ ବୋଲିଂ ପଦାକୁ ଆସିଥିଲା । ଦୁଇଟି ମ୍ୟାଚରେ ବୋଲରମାନେ ମାତ୍ର ୨ଟି ୱିକେଟ ନେବାକୁ ସମର୍ଥ ହୋଇଥିଲେ ।

୩- ଆଇପିଏଲ ସମାପ୍ତ ହେବା ପରେ ଦଳକୁ ବିଶ୍ରାମ ମିଳିନଥିଲା । ଫର୍ମରେ ଥିବାରୁ ପାକିସ୍ତାନ ମ୍ୟାଚକୁ ଦଳ ହାଲୁକା ଭାବେ ନେଇଥିଲା । ମାତ୍ର ପୂର୍ବରୁ ଭୋକିଲା ଥିବା ପାକ୍ ଭାରତ ଉପରେ ପଞ୍ଝା ମାଡ଼ି ବସିଥିଲା । ଭାବିଲା ବେଳକୁ ସବୁ ସରିଯାଇଥିଲା ।

୪- ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମ୍ୟାଚରେ ପ୍ରତିପକ୍ଷ ବୋଲିଂ ଓ ବ୍ୟାଟିଂରେ ଉନ୍ନତମାନର ପ୍ରଦର୍ଶନ କରିଥିଲେ । ଏହି ମ୍ୟାଚଗୁଡ଼ିକରେ ଦଳ ଉପଯୁକ୍ତ ରଣନୀତି ପ୍ରସ୍ତୁତ କରିନଥିଲା । ବୋଲର ଓ ବ୍ୟାଟ୍ସମ୍ୟାନ ଠିକ ସମୟରେ ଜବାବ ଦେବାରେ ବିଫଳ ହେବାରୁ ଦଳକୁ ତାହା ମହଙ୍ଗା ପଡ଼ିଥିଲା ।

୫- ବିଶ୍ୱକପ ପୂର୍ବରୁ କୋଚ, ଅଧିନାୟକ ବଦଳିବା ନିୟମ ବିସିସିଆଇର ଏକ ଭୁଲ ନିଷ୍ପତ୍ତି ଥିଲା । ଏହା ଖେଳାଳି ବିଶେଷ କରି କୋହଲି, ଶାସ୍ତ୍ରୀଙ୍କ ମନୋବଳକୁ ହ୍ରାସ କରିଦେଇଥିଲା । ସେହିପରି ଧୋନୀଙ୍କ ମେଣ୍ଟର ଭାବେ ଆଗମନ ଦଳୀୟ କନ୍ଦଳ ବଢ଼ାଇଥିବା କୁହାଯାଉଛି । ପ୍ଲେଇଂ-୧୧ ଚୟନ ବେଳେ କୋହଲିଙ୍କୁ ଗୌଣ କରାଯାଇ ଧୋନୀ ଓ ରୋହିତଙ୍କୁ ଗୁରୁତ୍ୱ ଦିଆଯାଇଥିବା ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.