fbpx
BJD SKY
BJD SKY

ମମତା ହେବେ ଜାତୀୟ ରାଜନୀତିର ମୁଖ୍ୟ ଚେହେରା! ଚାଲିଛି ଡେମୋ ପ୍ରସ୍ତୁତି, ମୋଦିଙ୍କ ପାଇଁ ବଢ଼ିବ ଅଡ଼ୁଆ

BJD

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ଭାରତୀୟ ଜନତା ପାର୍ଟି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କ୍ଷମତାରେ ଥିବାବେଳେ ଯେଉଁ କେତେକ ନେତା ସରକାରଙ୍କୁ ଟକ୍କର ଦେଇଆସିଛନ୍ତି, ସେମାନଙ୍କ ମଧ୍ୟରେ ସର୍ବାଗ୍ରେ ରହିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଗତ ମେ ମାସରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ହୋଇଥିବା କାଣ୍ଟେ କା ଟକ୍କରକୁ ଅନୁଧ୍ୟାନ କଲେ ଏକଥା ସ୍ପଷ୍ଟ ହେଉଛି । ଆଜି ମଧ୍ୟ ମମତାଙ୍କୁ ମୁଖ୍ୟମନ୍ତ୍ରୀ କରାଇ ନଦେବା ପାଇଁ ଅନେକ ଷଡ଼ଯନ୍ତ୍ର ଚାଲିଛି ବୋଲି ଅନେକ ଜାତୀୟସ୍ତରର ଗଣମାଧ୍ୟମରେ ନିୟମିତ ଚର୍ଚ୍ଚା ହେଉଛି । ଲୋକସଭାର ମୁଖ୍ୟ ବିରୋଧୀ ଦଳର ମୁଖ୍ୟ ନାୟକ ରାହୁଲ ଗାନ୍ଧିଙ୍କୁ ସର୍ବୋଚ୍ଚ ନେତା ଭାବେ ଗ୍ରହଣ କରିବାକୁ ଅଧିକାଂଶ ଦଳ ନାରାଜ । କଂଗ୍ରେସ ଦିନକୁ ଦିନ ଅଧିକାଂଶ ରାଜ୍ୟରେ ନିଜର ସତ୍ତା ହରାଇବାକୁ ବସିଲାଣି, ଯାହାକି ବିଜେପି ପାଇଁ ବହୁତ ଖୁସିର ଖବର । କିଛିଦିନ ପୂର୍ବରୁ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ନେତୃତ୍ୱରେ ମୋଦିଙ୍କୁ ଟକ୍କର ଦେବା ପାଇଁ ଏକ ବିରୋଧୀ ଦଳମାନଙ୍କର ବୈଠକ ବସିଥିଲା ।

ଆଜି ବି ମୋଦିଙ୍କ ସମକକ୍ଷ ଜଣେ ନେତା ଭାରତବର୍ଷରେ ନାହାନ୍ତି । କଂଗ୍ରେସ ଦିନକୁ ଦିନ ଦୁର୍ବଳ ହେବାକୁ ବସିଥିବା ବେଳେ ମମତାଙ୍କୁ ମୁଖ୍ୟ ଚେହେରା ଭାବେ ଉପସ୍ଥାପିତ କରିବାକୁ ଦଳ ପ୍ରସ୍ତୁତ ହେଉଛି । ତେବେ ବର୍ତ୍ତମାନ ଲୋକସଭାରେ ବିରୋଧୀ ଦଳ ନେତା ଥିବା ଅଧୀର ରଞ୍ଜନ ଚୌଧୁରୀଙ୍କୁ କଂଗ୍ରେସ ହଟାଇ ତାଙ୍କ ସ୍ଥାନରେ ଶଶି ଥରୁର କିମ୍ବା ମନିଷ ତିୱାରୀଙ୍କୁ ଅବସ୍ଥାପିତ ନେଇ ଚର୍ଚ୍ଚା ହେଉଛି । ପଶ୍ଚିମବଙ୍ଗରୁ ନିର୍ବାଚିତ ହୋଇ ସାଂସଦ ଥିବା ଅଧୀର ବିଧାନସଭାରେ କଂଗ୍ରେସର ଚେହେରା ଥିଲେ ମଧ୍ୟ ଦଳ ଆଶାନୁରୂପକ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲା । ତେବେ ସୂତ୍ରରୁ ଜଣାପଡ଼ିଛି ଯେ, ଆସନ୍ତା ଜୁନ ୧୯ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ କଂଗ୍ରେସ ଏହି ପରିପ୍ରେକ୍ଷୀରେ ଅଧୀରଙ୍କ ସ୍ଥାନରେ ଅନ୍ୟ ଜଣଙ୍କୁ ଉପସ୍ଥାପିତ କରିବାକୁ ଇଚ୍ଛୁକ ରହିଛି । ଅଧୀର ସଂସଦ ବାହାରେ ଓ ଭିତରେ ବିଜେପିକୁ ଘେରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ମମତା ଓ ମୋଦିଙ୍କ ମଧ୍ୟରେ ରହିଥିବା ଅହି-ନକୁଳ ସମ୍ପର୍କର ଫାଇଦା ହାସଲ କରିବାକୁ ହେଲେ କଂଗ୍ରେସ ଦିଦିଙ୍କ ସହ ମିଶି ଫାଇଦା ହାସଲ କରିପାରିବ ବୋଲି ଆଶାୟୀ ରହିଛି । ଦିଦି ମଧ୍ୟ ଜାତୀୟ ସ୍ତରକୁ ଲମ୍ଫ ପ୍ରଦାନ କରିବାକୁ ଆଶାୟୀ ଥିବା ବେଳେ ୨୦୨୪ ନିର୍ବାଚନକୁ ନଜରରେ ରଖିଛନ୍ତି । ତେଣୁ କଂଗ୍ରେସ ଦିଦିଙ୍କ ମାଧ୍ୟମରେ ମୋଦିଙ୍କୁ କ୍ଷମତାରୁ ହଟାଇବାକୁ ଯୁଦ୍ଧ ମଇଦାନକୁ ଓହ୍ଲାଇବାକୁ ପୂର୍ବରୁ ଡେମୋ ପ୍ରସ୍ତୁତିରେ ଲାଗି ପଡ଼ିଛି । ତେବେ ସୂଚନା ମୁତାବକ, ବର୍ତ୍ତମାନ କଂଗ୍ରେସ ଶଶି କିମ୍ବା ମନିଷଙ୍କୁ ବିରୋଧୀ ଦଳ ନେତା ଭାବେ ଅବସ୍ଥାପିତ କରି ଅତ୍ୟନ୍ତ ଚତୁରତାର ସହିତ ଗୋଟିଚାଳନା କରିବ ।

Get real time updates directly on you device, subscribe now.