fbpx

ଦିଦିଙ୍କ ନଜର ଦିଲ୍ଲୀ ସିଂହାସନ ଉପରେ: ଲୋକସଭା କି ରାଜ୍ୟସଭାର ସଭ୍ୟ ନାହାନ୍ତି, ତଥାପି ସଂସଦୀୟ ଦଳ ନେତା

ନୂଆଦିଲ୍ଲୀ: ନା ଲୋକସଭା ନା ରାଜ୍ୟସଭାର ସଦସ୍ୟ, ତଥାପି ମମତା ବାନାର୍ଜୀଙ୍କୁ ସଂସଦୀୟ ଦଳ ନେତା ଭାବେ ଚୟନ କରାଯାଇଛି । ତେବେ ମମତାଙ୍କ ଦିଲ୍ଲୀ ଗସ୍ତ ପରେ ପରେ ଏହି ନିଷ୍ପତ୍ତି ଖୁବ୍ ଗୁରୁତ୍ୱ ବହନ କରୁଛି । ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପିକୁ ହରାଇବାକୁ ପରେ ଆତ୍ମବିଶ୍ୱାସୀ ଦିଦିଙ୍କ ନଜର ଏବେ ଦିଲ୍ଲୀ ସିଂହାସନ ଉପରେ । ଗତ ୨୬ ତାରିଖରେ ମମତା ଦିଲ୍ଲୀରେ ପାଦ ରଖିବା ପରେ ବିରୋଧୀ ଦଳର ବହୁ ନେତାଙ୍କ ସହ ସାକ୍ଷାତ କରି ଆଲୋଚନା କରିଥିଲେ ।

ତେବେ ଦୁଇ ଗୃହର ସଦସ୍ୟ ନଥାଇ ବି ମମତାଙ୍କୁ ଟିଏମସି ପକ୍ଷରୁ ସଂସଦୀୟ ଦଳ ନେତା ଭାବେ ଚୟନ କରାଯିବାକୁ ନେଇ ଅନେକ ରହସ୍ୟ ଥିବା ଭଳି ମନେ ହେଉଛି । ପୂର୍ବରୁ ସୋନିଆ ଗାନ୍ଧୀ ମଧ୍ୟ କୌଣସି ଗୃହର ସଦସ୍ୟ ନଥାଇ ସଂସଦୀୟ ଦଳ ନେତା ଭାବେ ନିର୍ବାଚିତ ହୋଇଥିଲେ । ତେବେ ମମତାଙ୍କୁ ଏହି ପଦ ପାଇଁ ଚୟନ କରାଯିବାର ନିଷ୍ପତ୍ତି ପୂର୍ବରୁ ହୋଇସାରିଥିଲା । ଦିଲ୍ଲୀ ଗସ୍ତ ସମୟରେ ମମତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ, କଂଗ୍ରେସ ନେତା ଆନନ୍ଦ ଶର୍ମା, ଅଭିଷେକ ମନୁ ସିଂଘଭୀ, ଡିଏମକେ ନେତ୍ରୀ କାନିମୋଝୀ ଓ ସଡ଼କ, ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସହ ସାକ୍ଷାତ କରିଥିଲେ ।

ବର୍ତ୍ତମାନ କେନ୍ଦ୍ରରେ ବିଜେପିକୁ ଟକ୍କର ଦେବା ଭଳି ଦଳ ନଥିବାରୁ ଏକାଠି ମିଶିପାରିଲେ ଫାଇଦା ହେବ ବୋଲି ଟିଏମସି ଓ କଂଗ୍ରେସ ଛଡ଼ା ଅନ୍ୟ ଦଳଗୁଡ଼ିକର ହୃଦବୋଧ ହୋଇଛି । ୨୦୨୪ ନିର୍ବାଚନ ପାଖେଇ ଆସୁଥିବା ବେଳେ ବେଳ ଥାଉ ଥାଉ ଘାଟ ସଜାଡ଼ିବା ପ୍ରୟାସରେ ରହିଛନ୍ତି ବିପକ୍ଷ ଦଳମାନେ । ତେବେ ସୋନିଆ ତାଙ୍କୁ ଚା’ ପାଇଁ ଆମନ୍ତ୍ରଣ କରିଥିବା ମମତା କହିଥିଲେ ହେଁ ସେ ରାଜନୀତିକୁ ନେଇ ନିଶ୍ଚୟ ଆଲୋଚନା କରିଥିବେ ବୋଲି ଅନୁମାନ କରାଯାଉଛି । ପଶ୍ଚିମବଙ୍ଗରେ ନିର୍ବାଚନ ଜିତିବା ପରେ ଆତ୍ମବିଶ୍ୱାସୀ ଦିଦି ଭବିଷ୍ୟତରେ ମୋଦିଙ୍କୁ ଟକ୍କର ଦେଇପାରିବେ ବୋଲି ଇସାରା ଦେଇସାରିଲେଣି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କଂଗ୍ରେସର ଏନେଇ କ’ଣ ରହିବ ନିଜର ଆଭିମୁଖ୍ୟ । କାରଣ ମମତାଙ୍କ ପରି ଅନ୍ୟ ଦଳର ନେତ୍ରୀ ବିପକ୍ଷ ମହାମେଣ୍ଟର ନେତୃତ୍ୱ ନେଲେ ତାହା କଂଗ୍ରେସକୁ କ୍ଷତି ପହଞ୍ଚାଇବ କି ଫାଇଦା ଦେବ ତାହା ଦଳ ସ୍ଥିର କରିବ ।

Get real time updates directly on you device, subscribe now.